ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

Jul 23, 2026 - 08:13
ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲାକୁ ପର୍ଯ୍ୟାପ୍ତ ସାର ଆସିଛି ବୋଲି କୃଷି ବିଭାଗ କହୁଛି। ମାତ୍ର ବାସ୍ତବତା ଭିନ୍ନ ରହିଛି। ବେପାରୀଙ୍କଠାରେ ସାର ମହଜୁଦ୍‌ ଥିବାବେଳେ ସାର ପାଇଁ ଚାଷୀମାନଙ୍କୁ ଖୁବ୍‌ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି। ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ) ଗୁଡ଼ିକରେ ଚାଷୀମାନଙ୍କୁ ସକାଳୁ ଧାଡ଼ିବାନ୍ଧି ରହିବାକୁ ପଡୁଛି। ମାତ୍ର ଶେଷରେ ସେମାନଙ୍କୁ ନିରାଶ ହୋଇ ଘରକୁ ଫେରିବାକୁ ପଡୁଥିବା ଅନେକ ଚାଷୀ କହିଛନ୍ତି। ସେହିପରି ଅନ୍ୟ କେତେକ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାମାନେ ମଧ୍ୟ ସରକାରଙ୍କ ନିର୍ଦ୍ଧାରୀତ ମୂଲ୍ୟ ବଦଳରେ ଚଢ଼ାଦରରେ ସାର ବିକୁଥିବା ଅଭିଯୋଗ ହୋଇଛି। ଜିଲାରେ ସାର କଳାବଜାର ଏବଂ ସାର ସଙ୍କଟ ବଢ଼ି ଚାଲିଛି। ମାତ୍ର ତାର ପ୍ରତିକାର ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଉ ନଥିବାରୁ ଜିଲାରେ ଚାଷୀ ଅସନ୍ତୋଷ ବଢ଼ି ଚାଲିଛି। ଏହି କ୍ରମରେ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।
ସୂଚନା ଅନୁଯାୟୀ, ବରଗଡ଼ ଜିଲାକୁ ୩୯ହଜାର ୧୦୦ ମେଟ୍ରିକ ଟନ୍‌ ୟୁରିଆ, ୧୪ହଜାର ୮୭୫ ମେଟ୍ରିକ ଟନ୍‌ ଡିଏପି, ୯୭୦୦ ମେଟ୍ରିକ ଟନ୍‌ ଏମଓପି, ୨୪ହଜାର ୯୨୦ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌, ୫୦୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ସୁଦ୍ଧା ଚାଷୀମାନଙ୍କୁ ୧୫ହଜାର ୧୨୩ ମେଟ୍ରିକ ଟନ୍‌ ୟୁରିଆ, ୬୬୪୪ ମେଟ୍ରିକ ଟନ୍‌ ଡିଏପି, ୯୭୮ ମେଟ୍ରିକ ଟନ୍‌ ଏମ୍‌ଓପି, ୬୭୨୨ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୨୦୨ ମେଟ୍ରିକ ଟନ୍‌ ଏମ୍‌ଓପି ସାର ମିଳିଥିବା ସୂଚନା ଦିଆଯାଇଛି। ଅନ୍ୟପଟେ ସେମାନଙ୍କୁ ଠିକ୍‌ଭାବେ ସାର ମିଳୁ ନାହିଁ ବୋଲି ଜିଲାର ଅନେକ ଚାଷୀ ଅଭିଯୋଗ କରିଛନ୍ତି। ପାକ୍ସକୁ ଯାଇ କେହି ନିରାଶରେ ଫେରୁଥିବାବେଳେ ଆଉ କିଏ ଲାଇସେନ୍ସପ୍ରାପ୍ତ ସାର ବ୍ରିକେତାଙ୍କଠାରେ କଳାବଜାରର ସମ୍ମୁଖୀନ ହେଉଥିବା କହିଛନ୍ତି। ସରକାରୀ ଧାର୍ଯ୍ୟଦର ମୁତାବକ ୟୁରିଆ ପ୍ୟାକେଟ୍‌ ପ୍ରତି ୨୬୬ ଟଙ୍କା ୫୦ ପଇସା, ଡିଏପି ପକେଟ୍‌ ପ୍ରତି ୧୩୫୦ ଟଙ୍କା ରହିଛି। ମାତ୍ର ୟୁରିଆ ପକେଟ୍‌ ପ୍ରତି ୫୦୦ ଏବଂ ଡିଏପି ସାର ପକେଟ୍‌ ପ୍ରତି ୨୦୦୦ରୁ ୨୨୦୦ ଟଙ୍କା ଦରରେ ବିକ୍ରି ହେଉଥିବା ଅଭିଯୋଗ ହୋଇଛି।
ତେବେ ଜିଲାରେ ବର୍ତ୍ତମାନ ମଧ୍ୟ ୧୮ହଜାର ୯୯୮ ମେଟ୍ରିକ ଟନ୍‌ ୟୁରିଆ, ୭୨୭୭ ମେଟ୍ରିକ ଟନ୍‌ ଡିଏପି, ୨୯୮୨ ମେଟ୍ରିକ ଟନ୍‌ ଏମ୍‌ଓପି, ୧୯ହଜାର ୫୯୯ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୪୧୭ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ମହଜୁଦ ରହିଛି ବୋଲି କୃଷି ବିଭାଗ ସୂଚନା ଦେଉଛି। କିନ୍ତୁ ଚାଷୀମାନେ ସାର ପାଇଁ ଲାଇସେନ୍ସ ପ୍ରାପ୍ତ ସାର ବିକ୍ରେତା ଏବଂ ପାକ୍ସକୁ ଗଲେ ସେମାନଙ୍କୁ କାହିଁକି ନାନା ଆଳ ଦେଖାଇ ଫେରାଇ ଦିଆଯାଉଛି, ତାକୁ ନେଇ ଏବେ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଚାଷୀଙ୍କୁ ସଙ୍କଟ ହୋଇଥିବାବେଳେ ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳର ବେପାରୀମାନେ ନିଜ ଗୋଦାମରେ ପ୍ରଚୁର ପରିମାଣରେ ସାର ମହଜୁଦ୍‌ ରଖିଥିବା ଏବଂ ତାକୁ ଚଢ଼ାଦରରେ ବିକୁଥିବା ଅଭିଯୋଗ ହେଉଛି। ଏପରିକି ସମ୍ପୃକ୍ତ ବେପାରୀମାନେ ବର୍ତ୍ତମାନ ଚାଷୀଙ୍କୁ ଚଢ଼ାଦର ଏବଂ ସୁଧରେ ସାର ଦେଇ ଅମଳ ସମୟରେ ସେମାନଙ୍କଠାରୁ ଅଣ୍ଡରରେଟ୍‌ରେ ଧାନ କିଣିବା ପାଇଁ ଏବେଠାରୁ ସେଭଳି ମସୁଧା ଚଲାଇଥିବା ସାଧାରଣରେ ଆଲୋଚନା ହେଉଛି।
ଜିଲାରେ ଦେଖାଯାଇଥିବା ଏଭଳି ସାର ସଙ୍କଟ ନେଇ ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର ପ୍ରଶ୍ନ କରିଛନ୍ତି, ଜିଲାରେ ଯଦି ସାର ମହଜୁଦ୍‌ ଅଛି, ତାହା କାହିଁକି ଚାଷୀମାନଙ୍କୁ ଦିଆଯାଉ ନାହିଁ। କେଉଁ ଗୋଦାମ ଏବଂ ବିକ୍ରୟ କେନ୍ଦ୍ରରେ ସେହି ସାର ମହଜୁଦ ରହିଛି, କୃଷି ବିଭାଗ ତାର ସ୍ପଷ୍ଟୀକରଣ ଜାରି କରୁ ବୋଲି ମହାପାତ୍ର ଦାବି କରିଛନ୍ତି। ପ୍ରକୃତରେ କଳାବଜାର ନା ଛତିଶଗଡ଼କୁ ଚାଲାଣ ପାଇଁ ସେହି ସାର ଗଚ୍ଛିତ ରଖାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ସେହିପରି ଅନ୍ୟଜଣେ ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଚାଷୀମାନେ ବର୍ତ୍ତମାନ ଡିଏପି ଏବଂ ୟୁରିଆ ସାର ପାଇଁ ବହୁ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି। ସାର କଳାବଜାର ଯୋଗୁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଛି। ଫଳରେ ଜିଲା ପ୍ରଶାସନ ଏହାକୁ ଗୁରୁତ୍ୱ ଦେଇ ତ୍ୱରିତ୍‌ ପଦକ୍ଷେପ ନ ନେଲେ ଚାଷୀମାନେ ଆଗକୁ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ସେ ଚେତାବନୀ ଦେଇଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।