କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି
ଭବାନୀପାଟଣା, ୩।୭(ଉତ୍ତମ କୁମାର ଦାଶ): ତୁର୍କୀର ମରସିନ ଠାରେ ଅନୁଷ୍ଠିତ ହୋଇଯାଇଥିବା ସେଲିବ୍ରେଟେଡ୍ ‘ୱାର୍ଲ୍ଡ ଆବିଲିଟି ସ୍ପୋର୍ଟ ୟୁଥ୍ ଗେମ୍ସ- ୨୦୨୬’ ରେ ଚମତ୍କାର ପ୍ରଦର୍ଶନ କରି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି କଳାହାଣ୍ଡିର ପୁଅ ଆକାଶ ରଞ୍ଜନ ମୁଣ୍ଡ। ଏହି ଆନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସେ ୨ଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି। ଏହି ବଡ଼ ସଫଳତା ପରେ ଶୁକ୍ରବାର ଆକାଶ ନିଜ ଗୃହ ଜିଲା କଳାହାଣ୍ଡିର ଭବାନୀପାଟଣା ସହରରେ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ସଂଗଠନ ଓ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି।
ଆକାଶଙ୍କ ଏହି କୃତିତ୍ୱ ପାଇଁ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଜିଲା ପ୍ରଶାସନ ତରଫରୁ ତାଙ୍କୁ ଉତ୍ସାହିତ କରିବା ପାଇଁ ୫୧ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ ନିଜେ ଏହି ପୁରସ୍କାର ରାଶି ଆକାଶଙ୍କୁ ହସ୍ତାନ୍ତର କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।
ଏହି ସମ୍ବର୍ଦ୍ଧନା ସମୟରେ ଜିଲାପାଳଙ୍କ ସମେତ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ, ଜିଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଏବଂ ଜିଲା କ୍ରୀଡ଼ା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଆକାଶ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖି କଳାହାଣ୍ଡି ସମେତ ସମଗ୍ର ଦେଶ ପାଇଁ ଆହୁରି ଅନେକ ସଫଳତା ଆଣନ୍ତୁ ବୋଲି ଉପସ୍ଥିତ ଅତିଥିମାନେ କହିଛନ୍ତି।
Dharitri – Odisha’s No.1 Odia Daily
The post କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ କ୍ରୀଡ଼ାବିତ୍ ଆକାଶଙ୍କୁ ସମ୍ବର୍ଦ୍ଧନା; ମିଳିଲା ୫୧ ହଜାର ଟଙ୍କାର ପୁରସ୍କାର ରାଶି appeared first on Dharitri Odia News.