ଘୂର୍ଣ୍ଣିବଳୟ ସକ୍ରିୟ: ୨୪ ଯାଏ ଲାଗିରହିବ ଘଡ଼ିଘଡ଼ି ସହ ବର୍ଷା, ୟେଲୋ ୱାର୍ନିଂ ଜାରି
ଭୁବନେଶ୍ୱର, ୨୧।୭- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଅପରପକ୍ଷେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ଥିବା ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟରୁ ଏକ ଟ୍ରଫ୍ ବାୟୁମଣ୍ଡଳର ୫.୮ କି.ମି. ଉଚ୍ଚତାରେ ଦକ୍ଷିଣ ଓଡ଼ିଶା, ଦକ୍ଷିଣ ଛତିଶଗଡ଼, ତେଲେଙ୍ଗାନା, ମଧ୍ୟ ମହାରଷ୍ଟ୍ର, ମରାଠାଓ୍ବାଡା ଓ ଦକ୍ଷିଣ ଗୁଜୁରାଟ ଅଞ୍ଚଳ ଦେଇ ଉତ୍ତର-ପୂର୍ବ ଆରବ ସାଗର ପର୍ଯ୍ୟନ୍ତ ଲମ୍ବିଛି। ଏହି ଦୁଇ ପାଣିପାଗ ନିୟାମକ ପ୍ରଭାବରେ ଆଗାମୀ କିଛିଦିନ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ। ତେବେ ଆସନ୍ତା ୨୪ ତାରିଖ ଅର୍ଥାତ୍ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ବିଭିନ୍ନ ଜିଲାରେ ବର୍ଷା ସହ ବଜ୍ରପାତ ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବିଶେଷକରି ଆଗାମୀ ୪ ଦିନ ଉପକୂଳ ଓଡ଼ିଶାର ଜିଲ୍ଲା ଗୁଡ଼ିକରେ ବର୍ଷାର ପରିମାଣ ଅଧିକ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ସେହିପରି ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାକୁ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି ହୋଇଛି। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ ରୁ ୪୦ କି.ମି. ରହିବ ବୋଲି ସୂଚନା ଦିଆଯାଇଛି।
ସେହିପରି ବୁଧବାର ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାକୁ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଏବଂ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାକୁ ଝଡ଼ବର୍ଷା ପାଇଁ ସତର୍କତା ଜାରି ହୋଇଛି।
ଅପରପକ୍ଷେ ଜୁନ ୧ରୁ ଏଯାବତ ରାଜ୍ୟରେ ମୋଟ୍ ୪୬୯.୪ ମିମି ବର୍ଷା ରେକର୍ଡ ହୋଇଥିବାବେଳେ ସ୍ବାଭାବିକ ବର୍ଷାଠାରୁ ୧୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହୋଇଥିବାବେଳେ ୫ ଜିଲାରେ ପ୍ରବଳ ଏବଂ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।