ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

Aug 01, 2026 - 20:58
ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨ ମହଲା କୋଠା ଲୁଚିଗଲାଣି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ପାଠାଗାର ନିର୍ମାଣ ହୋଇଥିଲା ତାହା ସାଧିତ ହେଉନାହିଁ। ଏଥିପ୍ରତି ଗୁରୁତ୍ୱ ଦେଇ କାର୍ଯ୍ୟକ୍ଷମ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ପ୍ରକାଶ ଯେ, ପୂର୍ତ୍ତ ବିଭାଗ ପକ୍ଷରୁ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ପାଠାଗାର ନିର୍ମାଣ ହୋଇଥିଲା। ଏହା ଯୁବତୀଯୁବକଙ୍କ ଶିକ୍ଷାଦାନ ପାଇଁ ସହାୟକ ହେବା ସହିତ ବୃଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମଧ୍ୟ ବିଭିନ୍ନ ପୁସ୍ତକ ପଢ଼ିବାର ସୁବିଧା ପାଇବେ ବୋଲି ଆଶା କରାଯାଇଥିଲା। କିନ୍ତୁ ଘର କାର୍ଯ୍ୟ ୧ ବର୍ଷରୁ ଊର୍ଦ୍ଧ୍ୱ ହେବ ସରିଥିଲେ ହେଁ କାର୍ଯ୍ୟକ୍ଷମ ହେଉନାହିଁ। ଗୃହଟି ପାଠାଗାର ସହ ବହୁମୁଖୀ କାର୍ଯ୍ୟକ୍ରମରେ ସାମିଲହେବା ନେଇ ଆଶା କରାଯାଉଥିଲା। ଗୃହଟି ବ୍ୟବହାର କରାଯାଉ ନ ଥିବାରୁ ନଷ୍ଟହେବା ଆଶଙ୍କା ଦେଖାଦେଇଛି। ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଚାରିପାର୍ଶ୍ୱ ଓ ପରିସର ମଧ୍ୟରେ ଘାସ, ଲତା ଉଠି ଗୃହର ସୌନ୍ଦର୍ଯ୍ୟ ନଷ୍ଟ ହେବାକୁ ବସିଲାଣି। ଏଥିପ୍ରତି ଜିଲାପାଳ ଦୃଷ୍ଟିଦେଇ ନିର୍ମିତ ଗୃହକୁ କାର୍ଯ୍ୟକ୍ଷମ କରିବାକୁ ବୃଦ୍ଧିଜୀବୀ ମହଲରେ ଦାବି ହୋଇଛି। ହାଟଡ଼ିହୀ ବିଡିଓ ରଞ୍ଜନ ପରିଡ଼ାଙ୍କୁ ପଚାରିବାରୁ ଗୃହ ସମ୍ପର୍କରେ ଅବଗତ ଅଛନ୍ତି। ଖୁବ୍‌ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।