ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍, ଆଉ ତା’ପରେ ଯାହା ଘଟିଲା…
ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ ଛକ ନିକଟରେ ମଙ୍ଗଳବାର ସକାଳ ପ୍ରାୟ ୬ଟା ୪୦ ମିନିଟ ସମୟରେ ଏକ ଅନିୟନ୍ତ୍ରିତ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପଶିଯାଇ ଓଲଟି ପଡ଼ିଥିଲା। ଏହି ସମୟରେ ଘର ଭିତରେ ଜଣେ ମା’ ନିଜର କୋମଳମତି ଶିଶୁ କନ୍ୟାକୁ ସ୍ତନ୍ୟପାନ କରାଉଥିଲେ। ଟ୍ରକଟି ସେମାନଙ୍କ ଉପରେ ଚଢ଼ିଯିବାରୁ ମା’ ଦୀପାଞ୍ଜଳି ଭୋଇ(୩୪)ଙ୍କ ଘଟଣାସ୍ଥଳରେ ହିଁ ଶୋଚନୀୟ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମା’ କୋଳରୁ ସେହି କୁନି ଝିଅଟି ଛିଟିକି ପଡ଼ି ଗୁରୁତର ଭାବେ ଆହତ ହୋଇଛି।
ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତ ଶିଶୁଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଭିମସାର ସ୍ଥାନାନ୍ତର କରିଛି। ଏହି ଦୁଃଖଦ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ମୃତ ଦୀପାଞ୍ଜଳିଙ୍କ ଶବକୁ ରାସ୍ତା ଉପରେ ରଖି ଜାତୀୟ ରାଜପଥ ଅବରୋଧ କରିବା ସହ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ରାସ୍ତାରୋକୋ ଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ଉପସ୍ଥିତ ରହି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।