WEDNESDAY
08 JULY 2026

Welcome!

Unlock your personalized experience.
Sign Up

ଘଟଣାକ୍ରମ ଗୋଟିଏ ହେଲେ ଏକାଧିକ ଅପରାଧ, ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ : ହାଇକୋର୍ଟ

Jul 08, 2026 - 11:29
ଘଟଣାକ୍ରମ ଗୋଟିଏ ହେଲେ ଏକାଧିକ ଅପରାଧ, ଦଣ୍ଡାଦେଶ ଏକକାଳୀନ ଲାଗୁ ହେବ : ହାଇକୋର୍ଟ

କଟକ, ୮/୭ : ଯଦି ଗୋଟିଏ ଘଟଣାକ୍ରମ ମଧ୍ୟରେ ଏକାଧିକ ଅପରାଧ ଘଟେ, ତେବେ ସେସବୁର ଜେଲ୍‌ ଦଣ୍ଡାଦେଶ ଗୋଟିଏ ପରେ ଗୋଟିଏ ନୁହେଁ ବରଂ ଏକକାଳୀନ ଲାଗୁ ହେବ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଫୁଲବାଣୀର ରମେଶ ଚନ୍ଦ୍ର ବେହେରାଙ୍କ ପକ୍ଷରୁ ଆଗତ ଏକ କ୍ରିମିନାଲ୍‌ ରିଭିଜନ୍‌ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ ଭି. ନରସିଂହ ଏହି ଆଦେଶ ଦେଇଛନ୍ତି । ଏଥିସହିତ ଅଦାଲତ ଅଭିଯୁକ୍ତଙ୍କୁ ଜେଲ୍‌ ନ ପଠାଇ “ପ୍ରୋବେସନ୍‌ ଅଫ୍‌ ଅଫେଣ୍ଡର୍ସ ଆକ୍ଟ୍‌-୧୯୫୮’ ଆଧାରରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

୨୦୨୩ ମସିହା ମାର୍ଚ୍ଚ ୧୭ ତାରିଖରେ ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ଆସାମୀ ରମେଶ ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ କରିଥିଲା । ଏହାର ବିରୋଧ କରିବାରୁ ପୀଡ଼ିତା ଓ ତାଙ୍କ ପୁଅଙ୍କୁ ଶାବଳ ଦ୍ୱାରା ଆକ୍ରମଣ କରିଥିଲା । ଫୁଲବାଣୀ ମହିଳା କୋର୍ଟ (ଜେଏମଏଫସି) ଏହି ମାମଲାର ବିଚାର କରି ରମେଶଙ୍କୁ ଆଇପିସିର ଧାରା ୪୫୧ (ଗୃହ ପ୍ରବେଶ) ପାଇଁ ୧ ବର୍ଷ ଜେଲ୍‌ ଓ ଧାରା ୩୨୩ (ଆକ୍ରମଣ) ପାଇଁ ୬ ମାସ ଜେଲ୍‌ ଦଣ୍ଡ ଦେବା ସହ ଏହି ଦଣ୍ଡ ଗୋଟିଏ ପରେ ଗୋଟିଏ ଲାଗୁ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ । ପରେ ଫୁଲବାଣୀ ଜିଲ୍ଲା ଜଜ୍‌ କୋର୍ଟ ଏହି ଦଣ୍ଡକୁ ସଂଶୋଧନ କରି ଉଭୟ ଧାରାରେ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ ମଧ୍ୟ ଗୋଟିଏ ପରେ ଗୋଟିଏ ଜେଲ୍‌ ଦଣ୍ଡ ଲାଗୁ ହେବ ବୋଲି ଆଦେଶ ଦେଇଥିଲେ । ଏହି ଆଦେଶ ବିରୋଧରେ ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ହାଇକୋର୍ଟ ଏହି ପରିପ୍ରେକ୍ଷୀରେ ସୁପ୍ରିମ୍‌କୋର୍ଟଙ୍କ ଏକ ରାୟକୁ ଉଦାହାରଣ ଭାବେ ନେଇ ଯଦି ଗୋଟିଏ ଘଟଣା କ୍ରମରେ ଏକାଧିକ ଅପରାଧିକ କାର୍ଯ୍ୟ ହୋଇଥିବ ସେଭଳି କ୍ଷେତ୍ରରେ ଦଣ୍ଡାଦେଶ ଏକତ୍ର ଚାଲିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ- Bangladesh Deportation: ସଜା ପରେ ସ୍ବଦେଶ ଫେରିଲା ମହମ୍ମଦ ବାବୁ ଖାନ୍; ବାଂଲାଦେଶରେ ଡିପୋର୍ଟ କଲା ବାଲେଶ୍ବର ପୁଲିସ

ଅନଲାଇନ ସପିଂରେ ଡାର୍କ ପାଟର୍ଣ୍ଣ ଖେଳ | Dark Pattern Game in Online Shopping

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।