ଗୋପାଳପୁର ଭାୟା ଦିଗପହଣ୍ଡି – ରାୟଗଡ଼ା ରେଳ ଲାଇନ ପାଇଁ ଦାବି, ଜନ ଆନ୍ଦୋଳନ ପାଇଁ ନିଷ୍ପତ୍ତି
ଦିଗପହଣ୍ଡି,୨୮।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ବାଲିପଡ଼ା ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପରେ ରବିବାର ଦକ୍ଷିଣ ଓଡ଼ିଶା ବିକାଶ ସମିତି ଆନୁକୁଲ୍ୟରେ ପ୍ରସ୍ତାବିତ ଗୋପାଳପୁର – ରାୟଗଡ଼ା ରେଳ ଲାଇନ ପ୍ରକଳ୍ପ ସମ୍ପର୍କରେ ଖେମୁଣ୍ଡି ଉନ୍ନୟନ ମଞ୍ଚ ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ଆଇନଜୀବୀ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ସଭାରେ କେନ୍ଦ୍ରୀୟ ପ୍ରଶାସନିକ ଅଧିକାରୀ ଅବସରପ୍ରାପ୍ତ ଆଇଏଏସ ଡ଼. ବାଳକୃଷ୍ଣ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ବରିଷ୍ଠ ସାମ୍ୟବାଦୀ ନେତା କୈଳାଶ ଷଢଙ୍ଗୀ, ପୂର୍ବତନ ଜିଲା ପରିଷଦ ସଦସ୍ୟ ବୃନ୍ଦାବନ ଖଟେଇ, ଦକ୍ଷିଣ ଓଡିଶା ରେଳ ବିକାଶ ପରିଷଦର ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା,ବାଲିପଡ଼ା ସରପଞ୍ଚ ପ୍ରତିନିଧି ଜିତେନ୍ଦ୍ର ସେଠୀ, ପୂର୍ବତନ ସରପଞ୍ଚ ମନୋଜ ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ।ସମଗ୍ର ଦକ୍ଷିଣ ଓଡ଼ିଶାର ବହୁ ପ୍ରତିକ୍ଷୀତ ଗୋପାଳପୁର- ରାୟଗଡ଼ା ନୂତନ ରେଳପଥ ପ୍ରକଳ୍ପ କାର୍ଯ୍ୟକ୍ଷମ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରକଳ୍ପର ଚୂଡ଼ାନ୍ତ ମାନଚିତ୍ର ଓ ସର୍ଭେ କାର୍ଯ୍ୟ ସରିଛି। ସର୍ଭେ କାର୍ଯ୍ୟ ଦାୟିତ୍ୱରେ ଥିବା ଆନ୍ଧ୍ରର କିଛି ରେଲୱେ ଅଧିକାରୀ ପୂର୍ବରୁ ସର୍ଭେ କରାଯାଇଥିବା ଗୋପାଳପୁର ଠାରୁ ଜଗନ୍ନାଥପୁର,ଗୁରୁଣ୍ଠୀ,ବାଲିପଡ଼ା, ଡେଙ୍ଗାପଦର, ଅନଙ୍ଗପୁର, ଦିଗପହଣ୍ଡି,ଗୁମା, ଫାସିଗୁଡ଼ା ଭୀଷ୍ମଗିରି, ଚାକୁଣ୍ଡାପଲ୍ଲୀ ଦେଇ ଗଜପତି ଜିଲା ଢେପାଗୁଡ଼ା, ଚାନ୍ଦିପୁଟ, ମୋହନା, ଅନ୍ତର୍ବା,ପଦ୍ମପୁର, ଗୁଡ଼ାରି ଠାରୁ ରାୟଗଡ଼ା
ସିଙ୍ଗାପୁର ରୋଡ଼ ମାତ୍ର ୧୮୦ କି.ମି ପରିବର୍ତ୍ତେ ଗୋପାଳପୁର ଠାରୁ ଭାୟା ଗଜପତି ଦେଇ ରାୟଗଡ଼ା ଅଙ୍କା ବଙ୍କା ରାସ୍ତା ର ୨୫୮ କି. ମି ରେଳ ଲାଇନ ନିର୍ମାଣ ପାଇଁ ଚୂଡାନ୍ତ ସର୍ଭେ ରିପୋର୍ଟ ପ୍ରସ୍ତୁତ କରି ରେଲୱେ ମନ୍ତ୍ରଣାଳୟର ଅନୁମୋଦନ ନିମନ୍ତେ ବିଶାଖାପାଟଣା ରେଲୱେ ଡିଭିଜନ କାର୍ଯ୍ୟାଳୟକୁ ପଠାଇଥିବା ନେଇ ସଭାରେ ଆଲୋଚନା କରାଯାଇଥିଲା। ତେଣୁ ପୂର୍ବ ସର୍ଭେ ରିପୋର୍ଟ ଅନୁଯାୟୀ ରେଳ ଲାଇନ୍ କରାଯିବା ଦାବିରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ଦକ୍ଷିଣ ଓଡ଼ିଶାର ଶିଳ୍ପାଞ୍ଚଳରୁ ବହୁ ପରିମାଣରେ ବକ୍ସାଇଟ୍, ଆଲୁମିନା ଏବଂ କୋଇଲା ଭଳି ସାମଗ୍ରୀ ପରିବହନ ହୋଇଥାଏ। ରେଳପଥର ଦୂରତା ହ୍ରାସ ଯୋଗୁଁ ପ୍ରତି ଟନ୍ ପ୍ରତି କିଲୋମିଟର ହିସାବରେ ପରିବହନ ଖର୍ଚ୍ଚ ଯଥେଷ୍ଟ କମିଯିବ । ଏହି ବାଣିଜ୍ୟିକ ସହଜତା ଆମର ଆଞ୍ଚଳିକ ତଥା ଦେଶର ଶିଳ୍ପଗୁଡ଼ିକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିପାରିବ।
ଦକ୍ଷିଣ ଓଡ଼ିଶା ଏବେ ଏକ ବଡ଼ ସାମୁଦ୍ରିକ ବାଣିଜ୍ୟ କେନ୍ଦ୍ର ଭାବେ ଗଢ଼ି ଉଠୁଛି। ତେଣୁ ଏହି ସଂକ୍ଷିପ୍ତ ୧୮୦ କିଲୋମିଟର ବିଶିଷ୍ଟ ରେଳଲାଇନ୍ ଦ୍ୱାରା ଗଜପତି ଜିଲା ଓ ରାୟଗଡ଼ାର ଖଣିଜ ସମ୍ପଦ ସିଧାସଳଖ ଏବଂ ଦ୍ରୁତ ଗତିରେ ଗୋପାଳପୁର ବନ୍ଦର ଏବଂ ପ୍ରସ୍ତାବିତ ବାହୁଦା ବନ୍ଦର କୁ ରପ୍ତାନି ପାଇଁ ଯାଇ ପାରିବ । ଏହାଦ୍ୱାରା ରପ୍ତାନି-ଆମଦାନୀ ବୃଦ୍ଧି ସହ ରାଜସ୍ୱ ଆଦାୟ ବଢିବ। ତେଣୁ ପୂର୍ବ ସର୍ଭେ ରିପୋର୍ଟ ଅନୁଯାୟୀ ରେଳ ଲାଇନ୍ କରାଯିବା ଦାବୀ ରେ ବ୍ୟାପକ ଜନ ଆନ୍ଦୋଳନ ପାଇଁ ସଭାରେ ନିଷ୍ପତ୍ତି ନିଆଯାଇଥିଲା।
ଏହି ପ୍ରସ୍ତାବିତ ରେଳ ପ୍ରକଳ୍ପ ଅଧିନସ୍ଥ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚ ତଥା ଅନ୍ୟାନ୍ୟ ବରିଷ୍ଠ ସଙ୍ଗଠକ ଓ ବୁଦ୍ଧିଜୀବୀ ମାନଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ସଭାରେ ନିଷ୍ପତ୍ତି ନିଆଯାଇଥିଲା। ରାୟଗଡା ଜିଲା ପଦ୍ମପୁର ବିକାଶ ପରିଷଦର ସଭାପତି ଉଦୟ ନାଥ ସାହୁ ପ୍ରକୃତିବନ୍ଧୁ ବୃନ୍ଦାବନ ପଣ୍ଡା, ଗଜପତି ଜିଲା ଚାନ୍ଦିପୁଟ ଗ୍ରାମ ଜିଲା ପରିଷଦ ସଦସ୍ୟ ସୁନୀଲ କୁମାର ବିଷୋୟୀ, ଦିଗପହଣ୍ଡି ର ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ,ପୂର୍ବତନ ଜିଲା ପରିଷଦ ସଦସ୍ୟ ବିଜୟ କୁମାର ପ୍ରଧାନ, କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ତଥା ଗଞ୍ଜାମ ଜିଲା ସରପଞ୍ଚ ସଂଘର ସଭାପତି ମନୋରଞ୍ଜନ ଗୌଡ଼, ଫାସିଗୁଡ଼ା ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଚଷା ନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼, ଖମାରିଗାଁ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡ଼, ତୁରୁବୁଡି ସରପଞ୍ଚ ଲିଙ୍ଗରାଜ ଦୋରା, ପ୍ରାକ୍ତନ ସରପଞ୍ଚ, ରାଜେନ୍ଦ୍ର ପ୍ରସାଦ ପାଠୀ, ସୁଶାନ୍ତ ପାଣି, ପିତାମ୍ବର ଗୌଡ଼, ଭୀମସେନ ସାହୁ, ସଂଜୀବ ରେଡ୍ଡୀ, ସାରଥୀ ଗୌଡ଼, ସିମାଞ୍ଚଳ ବିଷୋୟୀ, ସମିତି ସଭ୍ୟ କାହ୍ନୁ ଚରଣ ପାତ୍ର, ଯତୀନ୍ଦ୍ର ପାତ୍ର, ସାମାଜିକ କର୍ମୀ ଶୁଭେନ୍ଦୁ ପାଢ଼ୀ,ମନୋଜ ପଟ୍ଟନାୟକ, ଦକ୍ଷିଣ ଓଡିଶା ରେଳ ବିକାଶ ପରିଷଦର ସଦସ୍ୟ ସୁଜିତ କୁମାର ତ୍ରିପାଠୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ଼. ଯୁଧିଷ୍ଠିର ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମେକାପ, କାଉନସିଲର ସୁନୀଲ ପଣ୍ଡା, ଆଇନଜୀବୀ ନକୁଳ ପ୍ରଧାନ, ସତ୍ୟନାରାୟଣ ରଥ, ସୁକାନ୍ତ ପ୍ରଧାନ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ସଭାରେ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି,ଆଇନଜୀବି ଓ ବହୁ ସଂଖ୍ୟକ ସାମାଜିକ କର୍ମୀ ଉପସ୍ଥିତ ଥିଲେ।