ଗଣତନ୍ତ୍ର ବିରୋଧୀ ଭାବନା

Jul 24, 2026 - 08:32
ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି କ୍ଷମତାକୁ ଆସିବା ପରେ ଗଣତନ୍ତ୍ରକୁ ବିଲୋପ କରିବାକୁ ଚାହାନ୍ତି ସେମାନଙ୍କ ବିରୋଧରେ ଗଣତନ୍ତ୍ରକୁ ବେଳେବେଳେ ଅଗଣତାନ୍ତ୍ରିକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିଥାଏ। ସମସ୍ୟା ହେଉଛି, ଏଭଳି ପଦକ୍ଷେପ ନେଲେ ଅଭିଯୋଗ ଉଠିପାରେ ଯେ ଗଣତନ୍ତ୍ର ନିଜେ ନିଜକୁ ଧ୍ୱଂସ କରୁଛି। ବିଶେଷକରି ଅତି ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀ ଦଳମାନଙ୍କ ଉତ୍‌ଥାନ ପରେ ଏହି ଦ୍ୱନ୍ଦ୍ୱ ପୁନର୍ବାର ସାମ୍ନାକୁ ଆସିଛି। ଜର୍ମାନୀର ଦକ୍ଷିଣପନ୍ଥୀ ଦଳ ‘ଅଲଟରନେଟିଭ୍‌ ଫର ଜର୍ମାନୀ’ (ଏଏଫ୍‌ଡି)କୁ ବିଚାରକୁ ନିଆଯାଉ। ଜର୍ମାନୀର ସାମ୍ବିଧାନିକ ବ୍ୟବସ୍ଥା ପ୍ରତି ଏହା ସୃଷ୍ଟି କରୁଥିବା ବିପଦକୁ ଦେଖିଲେ ଏଏଫ୍‌ଡିକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା ସପକ୍ଷରେ ଏକ ଦୃଢ଼ ଯୁକ୍ତି ରହିଛି।
୧୯୩୦ ଦଶକରେ, ଜର୍ମାନ-ଇହୁଦୀ ନିର୍ବାସିତଙ୍କ ମଧ୍ୟରେ କାର୍ଲ ଲୋଭେନଷ୍ଟାଇନ ପ୍ରଥମ ବ୍ୟକ୍ତି ଭାବେ ଯୁକ୍ତି ବାଢ଼ିଥିଲେ ଯେ, ଯେଉଁମାନେ ଗଣତାନ୍ତ୍ରିକ ପଦ୍ଧତିକୁ ବ୍ୟବହାର କରି ସ୍ବେଚ୍ଛାଚାରୀ ଶାସନ ସ୍ଥାପନ କରିବାକୁ ଚାହାନ୍ତି, ସେମାନଙ୍କର କେତେକ ମୌଳିକ ଅଧିକାରକୁ ଗଣତନ୍ତ୍ର ସୀମିତ କରିବା ଉଚିତ। ଫାସିବାଦୀ ଦଳଗୁଡ଼ିକର ନିର୍ବିରୋଧ ଅଭ୍ୟୁଦୟକୁ ଦେଖି ସେ ଗଣତନ୍ତ୍ରକୁ ‘ନିଆଁକୁ ନିଆଁ ଦ୍ୱାରା ମୁକାବିଲା କରିବା’ ପାଇଁ ଆହ୍ବାନ ଦେଇଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପଶ୍ଚିମ ଜର୍ମାନୀର ମୌଳିକ ସମ୍ବିଧାନରେ ଏହି ଧାରଣାକୁ ସ୍ଥାନ ଦିଆଯାଇଥିଲା। ଜର୍ମାନ ଫେଡେରାଲ୍‌ ସାମ୍ବିଧାନିକ ଅଦାଲତ ନାଜିମାନଙ୍କର ଏକ ଉତ୍ତରାଧିକାରୀ ଦଳକୁ ନିଷିଦ୍ଧ କରିଥିଲେ ଏବଂ ପରେ ୧୯୫୦ ଦଶକରେ ଜର୍ମାନ କମ୍ୟୁନିଷ୍ଟ ପାର୍ଟିକୁ ନିଷିଦ୍ଧ କରିଥିଲେ। ଏବେ ସେହି ଅଦାଲତ କ୍ଷୁଦ୍ର ତଥା ନୂତନ ନାଜି ନ୍ୟାଶନାଲ୍‌ ଡେମୋକ୍ରାଟିକ୍‌ ପାର୍ଟି (ଏନ୍‌ପିଡି) (ଯାହା ପରବର୍ତ୍ତୀ ସମୟରେ ‘ଡାଇ ହେଇମାଟ୍‌’ ନାମରେ ନାମିତ ହୋଇଥିଲା), ତାହାକୁ ବେଆଇନ ଘୋଷଣା କରିବାକୁ ଅସ୍ବୀକାର କରିଥିଲେ; କାରଣ ଏହି ଦଳ କ୍ଷମତା ହାସଲ କରିବାର ସମ୍ଭାବନା ନାହିଁ। ଅଦାଲତ ପରାମର୍ଶ ଦେଇଥିଲେ ଯେ, ସରକାରୀ ଭାବେ ଗଣତନ୍ତ୍ର ବିରୋଧୀ ବୋଲି ଚିହ୍ନଟ ହୋଇଥିବା ଦଳଗୁଡ଼ିକୁ ସରକାରୀ ପାଣ୍ଠିରୁ ବଞ୍ଚିତ କରିବା ପାଇଁ ସମ୍ବିଧାନରେ ସଂଶୋଧନ କରାଯାଉ। ପରେ ସେହି ଅନୁଯାୟୀ ମୌଳିକ ଆଇନରେ ସଂଶୋଧନ କରାଯାଇଛି। ଏଏଫ୍‌ଡି ଚଳିତବର୍ଷ ଶେଷ ଆଡ଼କୁ ପୂର୍ବ ଜର୍ମାନୀର ଏକ ରାଜ୍ୟରେ ସରକାର ଗଠନ କରିପାରେ। ଏହି ସମ୍ଭାବନାକୁ ଆଶଙ୍କା କରି ବିଶିଷ୍ଟ ବିଶେଷଜ୍ଞଙ୍କର ଏକ ଦଳ ସାମ୍ବିଧାନିକ ଅଦାଲତ ଏଭଳି ନିଷେଧକୁ ଅନୁମୋଦନ କରିପାରିବ କି ନାହିଁ ସେ ବିଷୟରେ ଏକ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ସେମାନେ କେବଳ ଏଏଫ୍‌ଡିର ଦଳୀୟ କାର୍ଯ୍ୟକ୍ରମଗୁଡ଼ିକୁ ନୁହେଁ, ବରଂ ଦଳର ନେତା ଓ ସେମାନଙ୍କ ସମର୍ଥକଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟର ପ୍ରାୟ ୨୯ ଲକ୍ଷ ସୋସିଆଲ୍‌ ମିଡିଆ ପୋଷ୍ଟର ବିଶ୍ଳେଷଣ କରିଛନ୍ତି।
ଆଇନ ବିଶେଷଜ୍ଞମାନେ ଏହି ରିପୋର୍ଟର କଠୋର ବିଶ୍ଳେଷଣକୁ ପ୍ରଶଂସା କରିଛନ୍ତି। ଯଦିଓ କିଛି ଲୋକ ସନ୍ଦେହ କରୁଛନ୍ତି ଯେ, ଏଏଫ୍‌ଡିର ପାତରଅନ୍ତର ନୀତି ପ୍ରସ୍ତାବଗୁଡ଼ିକ ମାନବୀୟ ମର୍ଯ୍ୟାଦା ପ୍ରତି ବିପଦ ସୃଷ୍ଟି କରିବାର ଆଇନଗତ ସୀମା ଉଲ୍ଲଂଘନ କରୁଛି। ଅନେକ ସମୀକ୍ଷକ ଚିନ୍ତା ପ୍ରକଟ କରନ୍ତି ଯେ, ପୂବାଞ୍ଚଳର ଗୋଟିଏ ପ୍ରଦେଶରେ ପ୍ରାୟ ୪୦% ଭୋଟ୍‌ ପାଇବାକୁ ଥିବା ଏବଂ ବର୍ତ୍ତମାନ ଜାତୀୟ ସର୍ଭେରେ ଶୀର୍ଷରେ ଥିବା ଏକ ଦଳକୁ ନିଷିଦ୍ଧ କରିବା ଦ୍ୱାରା ନାଗରିକମାନଙ୍କର ଏକ ବଡ଼ ଗୋଷ୍ଠୀ ରାଜନୈତିକ ପ୍ରକ୍ରିୟାରୁ ବାଦ୍‌ ପଡ଼ିଯିବେ। ସେମାନେ ଆଶଙ୍କା କରନ୍ତି ଯେ, ଏକ ନିଷେଧାଦେଶ ଅନେକ ଭୋଟରଙ୍କୁ ଗଣତନ୍ତ୍ର ପ୍ରତି ସେମାନଙ୍କ ଭଲ ପାଇବାରେ ବାଧା ଦେଇପାରେ ଏବଂ ଅତ୍ୟଧିକ ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀଙ୍କୁ ଆତ୍ମତ୍ୟାଗର ଗୌରବ ଦାବି କରିବାର ସୁଯୋଗ ଦେଇପାରେ। କିନ୍ତୁ ଏହି ଆଶଙ୍କାଗୁଡ଼ିକ ଅତିରଞ୍ଜିତ କରି କୁହାଯାଇଛି। ଯଦି କ୍ଷମତା ହାସଲ କରିବା ପାଇଁ ଅତି ଛୋଟ ଥିବା ଏକ ଦଳ ଉପରେ ନିଷେଧାଦେଶ ଲଗାଯାଇପାରିବ ନାହିଁ, ତେବେ ତୁମେ ଏକ ବଡ଼ ଦଳ ଉପରେ ନିଷେଧାଦେଶ ବିରୋଧରେ ଯୁକ୍ତି ବାଢ଼ିପାରିବ ନାହିଁ। ଏହା ସ୍ପଷ୍ଟ ଯେ, ଗଣତନ୍ତ୍ର ବିରୋଧୀ ଦଳ ଯେତେ ବଡ଼ ହେବ, ଗଣତନ୍ତ୍ର ପ୍ରତି ତାହା ସେତେ ଅଧିକ ବିପଦ ସୃଷ୍ଟି କରିବ।
ଏକ ନିଷେଧାଦେଶ ଯୋଗୁ କେତେକ ନାଗରିକ ମତାଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଅନୁଭବ କରିପାରନ୍ତି। ଗଣତନ୍ତ୍ର ଏକ କାଳ୍ପନିକ ରାଜ୍ୟ ନୁହେଁ, ଯେଉଁଠାରେ ସମସ୍ତଙ୍କର ବିଶେଷ ଇଚ୍ଛା ସବୁବେଳେ ପୂରଣ ହେବ। କିଛି ରାଜନୈତିକ ଲକ୍ଷ୍ୟର ବିଜୟ ପାଇଁ, କେତେକ ଲକ୍ଷ୍ୟରୁ ପଛକୁ ହଟିବାକୁ ପଡ଼େ ଏବଂ ବେଳେବେଳେ ଗଣତାନ୍ତ୍ରିକ ଶାସନ, ଆଇନର ଶାସନ ଏବଂ ମାନବ ମର୍ଯ୍ୟାଦା ପ୍ରତି ପ୍ରଶାସନର ମୌଳିକ ପ୍ରତିବଦ୍ଧତାକୁ ବଜାୟ ରଖିବା ପାଇଁ ନିଜର ପସନ୍ଦର କାର୍ଯ୍ୟକ୍ରମକୁ ନିଷିଦ୍ଧ କରିବାକୁ ପଡ଼ିବ। ମୁଖ୍ୟ ଆବଶ୍ୟକତା ହେଉଛି, ସମୟ ସହିତ ମୁକ୍ତ ଏବଂ ନିରପେକ୍ଷ ରାଜନୈତିକ ପ୍ରତିଯୋଗିତାକୁ ବଜାୟ ରଖିବା। କେହି ଯୁକ୍ତି କରିପାରନ୍ତି ଯେ ଯଦି ଏକ ଦକ୍ଷିଣପନ୍ଥୀ ସରକାର କିଛି ସଂଖ୍ୟାଲଘୁଙ୍କ ସମାନ ଅଧିକାରକୁ କ୍ଷୁଣ୍ଣ କରୁଥିବା ଆଇନ ପ୍ରଣୟନ କରନ୍ତି, ତେବେ ଅଦାଲତ ସେଗୁଡ଼ିକୁ ରଦ୍ଦ କରିଦେବେ। କିନ୍ତୁ ଏହି ସମୟ ମଧ୍ୟରେ ଲୋକମାନେ କଷ୍ଟ ପାଇସାରିଥିବେ। ତା’ଛଡ଼ା ଗଣତନ୍ତ୍ର-ବିରୋଧୀ ଲକ୍ଷ୍ୟକୁ ଖୋଲାଖୋଲି ପ୍ରଚାର କରିବାକୁ ଅନୁମତି ଦେବା ମଧ୍ୟ ରାଜନୀତିକୁ କ୍ଷତି କରେ।
ଅତି ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀ ନେତାମାନେ ନାଗରିକଙ୍କ ମନରେ ବିଶ୍ୱାସ ଜନ୍ମାନ୍ତି ଯେ, ସେମାନେ ହିଁ କେବଳ ସତ କହୁଛନ୍ତି ଏବଂ ଏକ ଖରାପ ବ୍ୟବସ୍ଥା ସେମାନଙ୍କୁ ଦମନ କରୁୁଛି ।
ଫ୍ରାନ୍ସରେ ମାରିନ ଲେ ପେନ୍‌ କିମ୍ବା ବ୍ରିଟେନରେ ନାଇଜେଲ ଫରାଜଙ୍କ କଥା ଦେଖନ୍ତୁ। ସେମାନେ ମୁକ୍ତ ଭାବରେ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା କରିପାରୁଛନ୍ତି (ମୌଳିକ ନିୟମ ଭାଙ୍ଗିଥିବା ସତ୍ତ୍ୱେ)। ସେମାନେ ମଧ୍ୟ ନିଜକୁ ଅଭିଜାତ ଶ୍ରେଣୀର ଚକ୍ରାନ୍ତର ଶିକାର ହେଉଛନ୍ତି ବୋଲି ଦର୍ଶାନ୍ତି। ଯଦି ଦକ୍ଷିଣପନ୍ଥୀଙ୍କ ଶକ୍ତି ବିରୋଧରେ ଅଭିଯୋଗ ହେଉଛି ଯେ, ଏହା ଲୋକଙ୍କୁ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରୁ ବାଦ୍‌ ଦେବାକୁ କିମ୍ବା ଗଣତାନ୍ତ୍ରିକ ପ୍ରତିଯୋଗିତାକୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରୁଛି (ଏଭଳି ଏକ ମାମଲା ଏଏଫ୍‌ଡି ବିରୋଧରେ କରାଯାଇଛି), ତେବେ ଏହା ଏକ ବିରୋଧାଭାସ ଭଳି ମନେହୁଏ।
ଦକ୍ଷିଣପନ୍ଥୀ ଶକ୍ତିମାନେ ମୂଳ ଗଣତାନ୍ତ୍ରିକ ବୁଝାମଣାକୁ ପ୍ରତ୍ୟାଖ୍ୟାନ କରିଥାନ୍ତି, ଯାହାକୁ ଅନ୍ୟ ସମସ୍ତେ ଗ୍ରହଣ କରିଛନ୍ତି। ଗଣତନ୍ତ୍ରର ଭିତ୍ତି ହେଉଛି, ଯିଏ ନିର୍ବାଚନ ଜିତିବେ, ସମସ୍ତେ ତାଙ୍କ ଶାସନକୁ ସ୍ବୀକାର କରିବେ। କିନ୍ତୁ ଅନେକ ଦକ୍ଷିଣପନ୍ଥୀ ନେତା ସ୍ପଷ୍ଟ କରିଛନ୍ତି ଯେ, ସେମାନେ ଏହି ଚୁକ୍ତିକୁ ସମ୍ମାନ ଦେବେ ନାହିଁ। ସେମାନେ ଅନିୟନ୍ତ୍ରିତ କ୍ଷମତା ରଖିବାକୁ ଚାହାନ୍ତି ଏବଂ ଏକ କଥିତ ଭ୍ରଷ୍ଟ ବ୍ୟବସ୍ଥା କିମ୍ବା ସଂଖ୍ୟାଲଘୁ ପ୍ରତିନିଧିମାନଙ୍କ ଦ୍ୱାରା ଶାସିତ ହେବାକୁ ମନା କରନ୍ତି, ଯାହାଙ୍କୁ ସେମାନେ ‘ପ୍ରକୃତ ଜନସାଧାରଣ’ବୋଲି ଗଣନା କରନ୍ତି ନାହିଁ। ଏହି କଥାଟି କେବଳ କାଳ୍ପନିକ ନୁହେଁ। ହଙ୍ଗେରୀର ଭିକ୍ଟର ଓରବାନ୍‌ ଏବଂ ପୋଲାଣ୍ଡର ଜାରୋସ୍କା କାଜିନସ୍କିଙ୍କଠାରୁ ଆରମ୍ଭ କରି ଆମେରିକାର ଡୋନାଲ୍ଡ ଟ୍ରମ୍ପଙ୍କ ପର୍ଯ୍ୟନ୍ତ କ୍ଷମତାକୁ ଆସିଥିବା ଦକ୍ଷିଣପନ୍ଥୀ ନେତାମାନେ ସ୍ଥିତିକୁ କ୍ରମାଗତ ଭାବରେ ନିଜ ସପକ୍ଷରେ ବଦଳାଇବାକୁ ଚେଷ୍ଟା କରିଛନ୍ତି। ଏକ ଅତି ରାଷ୍ଟ୍ରବାଦୀ ଦକ୍ଷିଣପନ୍ଥୀ ଦଳକୁ ପର୍ଯ୍ୟାପ୍ତ ସମୟ ଏବଂ କ୍ଷମତା ଦେଲେ ଏହା ‘ପ୍ରତିଯୋଗିତାମୂଳକ ଏକଚ୍ଛତ୍ରବାଦ’ ଆଣିବାର ସମ୍ଭାବନା ଥାଏ; ଯେଉଁଠାରେ ନିର୍ବାଚନ ତ ହୁଏ, କିନ୍ତୁ ତାହା ଆଉ ମୁକ୍ତ ଓ ନିରପେକ୍ଷ ରହେନାହିଁ। ସେହି କାରଣରୁ ଗଣତନ୍ତ୍ରପନ୍ଥୀ ଏବଂ ସ୍ବେଚ୍ଛାଚାରୀଙ୍କ ମଧ୍ୟରେ ଦୁଇଟି ଭିନ୍ନ ମାନଦଣ୍ଡ ପ୍ରୟୋଗ କରାଯାଉଛି ବୋଲି ଅଭିଯୋଗ କରିବା ଭୁଲ୍‌। ଗୋଟିଏ ପକ୍ଷ ରାଜନୈତିକ ପ୍ରତିଯୋଗିତାକୁ ବଜାୟ ରଖିବାକୁ ଚାହୁଁଥିବାବେଳେ; ଅନ୍ୟପକ୍ଷ ଏହାକୁ ସ୍ଥାୟୀ ଭାବରେ ଶେଷ କରିଦେବା ପାଇଁ ଚାହଁୁଛି।
ପ୍ରଫେସର ଅଫ୍‌ ପଲିଟିକ୍ସ, ପ୍ରିନ୍ସଷ୍ଟନ ୟୁନିଭର୍ସିଟି

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।