ଗଛ ଉପରେ କଲରାପତ୍ରିଆ ବାଘର ମୃତଦେହ !

ପୋଲସରା : ଗଛ ଉପରେ କଲରାପତ୍ରିଆ ବାଘର ମୃତଦେହ ! ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ଜରଡ଼ା ଛକ ନିକଟରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପାହାଡ଼ ତଳେ ଥିବା ଏକ କ୍ରସର ଅଞ୍ଚଳ ପାଖରେ ଏକ କଲରାପତରିଆ ବାଘର ମୃତଦେହ ଗଛରେ ଝୁଲିଥିବା ଅବସ୍ଥାରେ ଠାବ କରାଯାଇଛି । ବାଘଟିକୁ କେହି ହତ୍ୟା କରି ଗଛରେ ଟାଙ୍ଗି ଦେଇଛି ନା ଶିକାର ଉଦ୍ୟେଶରେ ଗଛକୁ ଚଢି ବାଘଟି ଫାଶରେ ଲାଗିଯାଇଛି ତାହା ଜଣାପଡିନାହିଁ । ଘଟଣା ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବାବେଳେ, ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ମଧ୍ୟ ଗଭୀର ଉଦବେଗ ସୃଷ୍ଟି ହୋଇଛି ।
ସ୍ଥାନୀୟ ଲୋକେ ପ୍ରଥମେ ଗଛରେ ଝୁଲୁଥିବା ବାଘକୁ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ । ତୁରନ୍ତ ଏ ସମ୍ପର୍କରେ କବିସୂର୍ଯ୍ୟନଗର ପୁଲିସ ଓ ବନ ବିଭାଗକୁ ସୂଚନା ଦିଆଯାଇଥିଲା । ଖବର ପାଇ କବିସୂର୍ଯ୍ୟନଗର ଥାନା ପୁଲିସ ଏବଂ ପୋଲସରା ବନଖଣ୍ଡର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି ।
ବନ ଅଧିକାରୀମାନେ କହିଛନ୍ତି, ବ୍ୟବଚ୍ଛେଦ ରିପୋର୍ଟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ। ଯଦି ବନ୍ୟଜନ୍ତୁ ଶିକାର କିମ୍ବା ହତ୍ୟାର ପ୍ରମାଣ ମିଳେ, ତେବେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।