ଖ୍ୟାତନାମା ଓଡ଼ିଆ ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟଙ୍କ ଦେହାନ୍ତ

ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ସିନେମାଟୋଗ୍ରାଫର୍ ଦିଲ୍ଲୀପ ରାୟଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ ଗତକାଲି ରାତିରେ ତାଙ୍କର ଦେହାନ୍ତ ଘଟିଛି । କିଛିଦିନ ପୂର୍ବରୁ ହୃଦଘାତ ଯୋଗୁଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ପତ୍ନୀଙ୍କ ସମେତ ୩କନ୍ୟା ହସ୍ପିଟାଲରେ ଉପସ୍ଥିତ ଥିଲେ ।
ଅସୁସ୍ଥତା ଯୋଗୁଁ ଶୁକ୍ରବାର ପୁରସ୍କାର ପ୍ରଦାନ ଉତ୍ସବ ମଞ୍ଚରେ ଦିଲ୍ଲୀପ ରାୟଙ୍କ ନାଁ ଘୋଷଣା ହୋଇଥିଲା କିନ୍ତୁ ସେ ଅନୁପସ୍ଥିତ ରହିଥିଲେ । ଉତ୍ସବ ସରିବାର କିଛି ସମୟ ମଧ୍ୟରେ ଖବର ଆସି ପହଞ୍ଚିଥିଲା କି ରାତି ପ୍ରାୟ ସାଢ଼େ ୯ଟା ସମୟରେ ସେ ଅଫେରା ରାଇଜକୁ ଚାଲିଯାଇଛନ୍ତି । ଏହି ଖବର ପରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଭଲ ପାଉଥିବା ଅନେକ ଶୁଭେଚ୍ଛୁ, ବନ୍ଧୁ ଓ ଆତ୍ମୀୟସ୍ୱଜନ ଡାକ୍ତରଖାନାରେ ପହଞ୍ଚି ତାଙ୍କର ଶେଷ ଦର୍ଶନ ସହ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।
ଦିଲୀପ ରାୟ ୧୯୫୪ ମସିହା ଜୁଲାଇ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ। ୮୦ ଦଶନ୍ଧିରେ ପ୍ରଖ୍ୟାତ ନିଦ୍ଦେର୍ଶକ ମନମୋହନ ମହାପାତ୍ରଙ୍କ ପରାମର୍ଶରେ ସିନେମାଟୋଗ୍ରାଫର୍ ହୋଇଥିଲେ । ସେ ବେଙ୍ଗାଲୁରୁର ଏଫଟିଆଇରୁ ସିନେମାଟୋଗ୍ରାଫି କୋର୍ସ କରିବା ପରେ ସିନେମାରେ ପ୍ରବେଶ କରିଥିଲେ। ତ୍ରିସନ୍ଧ୍ୟା, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଭାଗ୍ୟ ହାତେ ଡୋରି, ସୁନା ସଂସାର, ଜୀବନସାଥୀ, ବିଧିର ବିଧାନ, ଏଇତ ଦୁନିଆ, ବସ୍ତ୍ରହରଣ, ଚକାଭଉଁରୀ ଲକ୍ଷ୍ମଣ ରେଖା, ଚିନି ଆଦି ସମେତ ୮୦ରୁ ଅଧିକ ଓଡ଼ିଆ ଚଳଚିତ୍ରରେ ଚିତ୍ରଉତ୍ତୋଳନ କରିଥିଲେ । ଏହାଛଡ଼ା ସେ କେତୋଟି ଛତିଶଗଡ଼ି ସିନେମାର ମଧ୍ୟ କ୍ୟାମେରାମ୍ୟାନ୍ ଥିଲେ। ସେ ଦୂରଦର୍ଶନରେ ବି ଚାକିରି କରିବା ପରେ ଅବସର ଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ହେବ ବୋଲି ସୂଚନା ମିଳିଛି ।