ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….

Jul 19, 2026 - 10:50
ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….

ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍‌ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି ଅଞ୍ଚଳର କୃଷକ ଭାଇଭଉଣୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ହେଲେ ମଲ୍‌ର ନିର୍ମାଣ କାର୍ଯ୍ୟ ସରିବାର ପ୍ରାୟ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକ୍ଷମ କରାଯାଇ ନ ଥିବାରୁ କୃଷକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସରକାରଙ୍କ ପକ୍ଷରୁ ବାଲିଗୁଡ଼ା ଆଇଟିଡିଏ (ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା) ମାଧ୍ୟମରେ ପ୍ରାୟ ୬୦ ଲକ୍ଷ ଟଙ୍କା ବ୍ୟୟରେ ଏହି ଏଗ୍ରୋ ମଲ୍ ନିର୍ମାଣ କରାଯାଇଛି। ଏଠାରେ କନ୍ଧମାଳର ବିଶ୍ୱପ୍ରସିଦ୍ଧ ହଳଦୀ ଓ ହଳଦୀରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ସହିତ ପାଳୁଅ, ସୋରିଷ, ମାଣ୍ଡିଆ, କୁଏରୀ, କାଙ୍ଗୁ, ଦାରିଙ୍ଗବାଡି କଫି, ଝୁଣା, ଷ୍ଟ୍ରବେରୀ, ଆମ୍ବ, ଲିଚୁ, ଡାଲିଜାତୀୟ ଫସଲ, ପନିପରିବା ଏବଂ ବିଭିନ୍ନ ଜଙ୍ଗଲଜାତ ଦ୍ରବ୍ୟର ବିକ୍ରିବଟା କରାଯିବାର ଯୋଜନା ରହିଛି। ଏହି ଏଗ୍ରୋ ମଲ୍ କାର୍ଯ୍ୟକ୍ଷମ ହେଲେ ଅଞ୍ଚଳର କୃଷକ ଓ ଉଦ୍ୟୋଗୀମାନେ ସେମାନଙ୍କ ଉତ୍ପାଦକୁ ସିଧାସଳଖ ବଜାରରେ ବିକ୍ରି କରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ। ଏଥିପାଇଁ ଏହାକୁ କୌଣସି ପ୍ରଡ୍ୟୁସର ଗ୍ରୁପ୍ କିମ୍ବା ମିଶନ ଶକ୍ତି ଗୋଷ୍ଠୀ ମାଧ୍ୟମରେ ପରିଚାଳନା କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଦାରିଙ୍ଗବାଡିକୁ ପ୍ରତିଦିନ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ସେମାନେ ଯେପରି ସହଜରେ ସ୍ଥାନୀୟ କୃଷିଜାତ ଓ ଜଙ୍ଗଲଜାତ ସାମଗ୍ରୀ କ୍ରୟ କରିପାରିବେ, ସେଥିପାଇଁ ଆଇଟିଡିଏ ପକ୍ଷରୁ ଏହି ପ୍ରକଳ୍ପ କରାଯାଇଥିଲା। ବିଶେଷକରି ଅନୁସୂଚିତ ଜନଜାତି ସମ୍ପ୍ରଦାୟର କୃଷକ ଓ ପରିବାରଗୁଡ଼ିକର ରୋଜଗାର ବୃଦ୍ଧି କରିବା ଏହାର ମୂଳ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।କିନ୍ତୁ ମଲ୍‌ଟି ନିର୍ମାଣ ସରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଖୋଲାଯାଇ ନ ଥିବାରୁ ସରକାରଙ୍କ ଏହି ଯୋଜନାର ସୁଫଳ କୃଷକମାନେ ପାଇପାରୁନାହାନ୍ତି। କେବେ ସୁଦ୍ଧା ଏହି ଏଗ୍ରୋ ମଲ୍ କାର୍ଯ୍ୟକ୍ଷମ ହେବ, ତାହା ଅନିଶ୍ଚିତ ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି।

ଏନେଇ ବାଲିଗୁଡ଼ା ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରାଙ୍କ ପ୍ରତିକ୍ରିୟା ନିଆଯିବାରୁ ସେ କହିଥିଲେ, “ଆଇଟିଡିଏ ପକ୍ଷରୁ କେବଳ ଏଗ୍ରୋ ମଲ୍‌ର ନିର୍ମାଣ କାର୍ଯ୍ୟ କରାଯାଇଛି। ଏହାର ପରିଚାଳନା ଓ ଅନୁଦାନ ସମ୍ବନ୍ଧୀୟ ଦାୟିତ୍ୱ କନ୍ଧମାଳ ଡିଆରଡିଏ ଉପରେ ରହିଛି। ଶୀଘ୍ର ମଲ୍‌ଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି।”

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।