କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

Jul 26, 2026 - 08:49
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ପ୍ରଶ୍ନ: ଛାତ୍ରୀଛାତ୍ରଙ୍କଠାରୁ ଫି’ ଆଦାୟ କରିବାକୁ ନିର୍ଦ୍ଦେଶ

ଯାଜପୁର,୨୬ା୭(ହର୍ଷବର୍ଦ୍ଧନ ବେହେରା): ଜ୍ଞାନୋଦୟ ଶିକ୍ଷାରୁ ସମୃଦ୍ଧି ଯୋଜନାରେ କେଜିରୁ ପିଜି ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ୧୪ା୭ା୨୦୨୬ରେ ଏକ ଗାଇଡଲାଇନ୍‌ ଜାରି କରିଥିଲେ। ସେଥିରେ ପରୀକ୍ଷା ଶୁଳ୍କ, ଆଇକାର୍ଡ, ଭିତ୍ତିଭୂମି, ରେଡ୍‌କ୍ରସ୍‌ ଏବଂ ଏନସିସି ପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଉଲ୍ଲେଖ ରହିଛି। ହେଲେ ଯାଜପୁର ଜିଲାରେ ଏହାର ବ୍ୟତିକ୍ରମ ଘଟିଛି। ଯାଜପୁର ଜିଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କ କାର୍ଯ୍ୟାଳୟରୁ ପତ୍ରସଂଖ୍ୟା ୮୭୪୫/୨୩ା୭ା୨୦୨୬ରେ ସମସ୍ତ ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ/ଶିକ୍ଷକ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ, ବେସରକାରୀ ସ୍କୁଲର ପ୍ରଧାନ ଆଚାର୍ଯ୍ୟ ଓ ଅଧ୍ୟକ୍ଷ ଏବଂ ସଂସ୍କୃତ ବିଦ୍ୟାଳୟର ହେଡ୍‌ପଣ୍ଡିତମାନଙ୍କୁ ସ୍କୁଲ ରେଜିଷ୍ଟ୍ରେଶନ ଫି, ଜୁନିୟର ରେଡ୍‌କ୍ରସ୍‌, ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ବାବଦ ଫି ଆଦାୟ କରିବାକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛିି। ଏଥିରେ ଛାତ୍ରୀଛାତ୍ର ପିଛା ଜୁନିୟର ରେଡକ୍ରସ୍‌ ବାବଦକୁ ୧୦ ଟଙ୍କା, ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ବାବଦକୁ ୧୨ ଟଙ୍କା ଏବଂ ସବ୍‌ସିଡାରି ଫି ଅନୁସାରେ ଜୁନିୟର ରେଡକ୍ରସ୍‌ ବାବଦକୁ ୩.୫୦ ଟଙ୍କା, ରେଜିଷ୍ଟ୍ରେଶନ ଫି ୧୦ ଟଙ୍କା ଆଦାୟ ହେବ। ଏଥିରେ କେବଳ ଏସ୍‌ସି ଓ ଏସ୍‌ଟି ବର୍ଗର ଛାତ୍ରୀଛାତ୍ରଙ୍କୁ ବାଦ୍‌ ଦିଆଯାଇଛି। ଏଭଳି ଚିଠି ସରକାରଙ୍କ କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଘୋଷଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


ଫି ଆଦାୟ ପାଇଁ ହୋଇଥିବା ଡିଇଓଙ୍କ ନିର୍ଦ୍ଦେଶ ପତ୍ରରେ ଆହୁରି ଦର୍ଶାଯାଇଛି ଯେ, ଉପରୋକ୍ତ ସବ୍‌ସିଡାରି ଫି ପରିମାଣ ୫ା୮ା୨୦୨୬ରୁ ୭ା୮ା୨୦୨୬ ମଧ୍ୟରେ ଯାଜପୁର ରାମ ମନ୍ଦିର ନିକଟ ଡିଷ୍ଟ୍ରିକ୍ଟ ଭାରତ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ଭବନରେ ପୂର୍ୱାହ୍ନ ସାଢ଼େ ୧୦ଟାରୁ ଅପରାହ୍ନ ୪ଟା ମଧ୍ୟରେ ଜମା କରିବେ। ୫ା୮ା୨୦୨୬ରେ ଜିଲାର ଦାନଗଦି, କୋରେଇ ଓ ସୁକିନ୍ଦା, ୬ା୮ା୨୦୨୬ରେ ବରୀ, ରସୁଲପୁର, ବଡ଼ଚଣା ଓ ଧର୍ମଶାଳା, ୭ା୮ା୨୦୨୬ରେ ବିଞ୍ଝାରପୁର, ଯାଜପୁର ଓ ଦଶରଥପୁର ବ୍ଲକର ସ୍କୁଲଗୁଡିକର ଛାତ୍ରୀଛାତ୍ରଙ୍କ ଫି ଜମା ହେବ। ଏହି ଫି ଆଦାୟ କରିବାକୁ ଏକ ଟିମ୍‌ ଗଠିତ ହୋଇଛି। ଏଥିରେ ପଣସା ବି.ଏନ୍‌. ହାଇସ୍କୁଲର ରାଜେଶ କୁମାର ସେଠୀ ଦଳପତି ରହିଥିବାବେଳେ ସୋନାଲି ସାହୁ ଓ ସେକ୍‌ ମଜିଦ ବକ୍ସର ଜେଆରସି, ରମେଶ ଚନ୍ଦ୍ର ବିଶୋଇ ଓ ଶଙ୍କର୍ଷଣ ବେହେରାଙ୍କୁ ସ୍କାଉଟ୍ସ ଆଣ୍ଡ୍‌ ଗାଇଡ୍ସ ବିଭାଗ ଦାୟିତ୍ୱରେ ରଖାଯାଇଛି। ଏ ସଂକ୍ରାନ୍ତରେ ଡିଇଓ ମହେଶ୍ୱର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରୁ ଆସିଥିବା ନିର୍ଦ୍ଦେଶ ଅନୁସାରେ ସ୍କୁଲଗୁଡିକୁ ପତ୍ର ଦିଆଯାଇଛି। ହେଲେ ଏଯାଏ ଛାତ୍ରୀଛାତ୍ରଙ୍କଠାରୁ କୌଣସି ଫି ଆଦାୟ କରାଯାଇନାହିଁ। ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁସାରେ ପୁଣି ନିଷ୍ପତ୍ତି ନିଆଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।