Welcome!

Unlock your personalized experience.
Sign Up

କୁକୁର ପାଇଁ ନାକେଦମ ପୋଲିସ ; ଅଜଣା ଶବ ଭାବି ଖୋଳାଗଲା ଗାତ, ବାହାରିଲା ମୃତ କୁକୁର

Jul 19, 2026 - 22:46
କୁକୁର ପାଇଁ ନାକେଦମ ପୋଲିସ ; ଅଜଣା ଶବ ଭାବି ଖୋଳାଗଲା ଗାତ, ବାହାରିଲା ମୃତ କୁକୁର

ଜଳେଶ୍ୱର,୧୯/୭ : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ଆସିଛି ଏକ ରୋଚକ ଚିତ୍ର । ୨୪ଘଣ୍ଟା ଧରି ପୋଲିସ ଓ ପ୍ରଶାସନ ଏକ ଘଟଣାକୁ ନେଇ ନାକେଦମ ହୋଇଛନ୍ତି । ଅଜଣା ଶବ ଭାବି ଖୋଳାଗଲା ଗାତ । ପରେ ସେଠାରୁ କୌଣସି ମଣିଷର ମୃତଦେହ ନୁହେଁ ବରଂ ଏକ ମୃତ କୁକୁର ବାହାରିଥିଲା। ଯାହା ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ଜଳେଶ୍ୱର ଗୁରୁଦାସ ପୋଲ ନିକଟ ସୁବର୍ଣ୍ଣରେଖା ନଦୀବନ୍ଧ ଉପରେ ଏକ ସ୍ଥାନରେ ଗାତ ଖୋଳି ମାଟି ଚାପି ଦିଆଯାଇଥିଲା। ଗାତ ଉପରେ ଏକ କପଡ଼ା ରଖାଯାଇଥିବାରୁ ସ୍ଥାନୀୟ ଲୋକଙ୍କ ସନ୍ଦେହ ବଢ଼ିଥିଲା। କେହି ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଲୁଚାଇ ଦିଆଯାଇଥିବା ଆଶଙ୍କାରେ ତୁରନ୍ତ ଜଳେଶ୍ୱର ପୋଲିସକୁ ଖବର ଦିଆଯାଇଥିଲା।

ଆହୁରି ପଢନ୍ତୁ : ଧରାପଡ଼ିଲା କୁଖ୍ୟାତ ଠକ ଶଶଧର ; ୧୦କୋଟିରୁ ଊର୍ଦ୍ଧ୍ବ ଠକେଇ ଅଭିଯୋଗ, ଖୋଲୁଛି ଗୁମର

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ସିଲ୍ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାର ଗୁରୁତ୍ୱକୁ ଦେଖି ବୈଜ୍ଞାନିକ (ସାଇଣ୍ଟିଫିକ) ଟିମକୁ ମଧ୍ୟ ଡକାଯାଇଥିଲା। ପ୍ରମାଣ ସଂଗ୍ରହ ପାଇଁ ମାଟି ଖୋଳାଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ସେଠାରୁ କୌଣସି ମଣିଷର ଶବ ନୁହେଁ, ଏକ ମୃତ କୁକୁର ବାହାରିଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, କୁକୁରଟିର ମାଲିକ ତାହାର ମୃତ୍ୟୁ ପରେ ଗାତ ଖୋଳି ପୋତି ଦେଇଥିଲେ ଏବଂ ଉପରେ ଏକ କପଡ଼ା ରଖି ସେଠାରୁ ଚାଲିଯାଇଥିଲେ। ଏହି ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ଏହାକୁ ଅଜଣା ଶବ ବୋଲି ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ। ଘଟଣାକୁ ନେଇ ଅଞ୍ଚଳରେ ୨୪ଘଣ୍ଟା ପାଇଁ ଚର୍ଚ୍ଚା ଓ ଉତ୍କଣ୍ଠାର ପରିବେଶ ସୃଷ୍ଟି ହୋଇଥିଲା। ତେବେ ମୃତ କୁକୁର ଉଦ୍ଧାର ହେବା ପରେ ପୋଲିସ ଓ ସ୍ଥାନୀୟ ଲୋକେ ଆଶ୍ୱସ୍ତ ହୋଇଥିଲେ।

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।