କିଏ ସେହି ମୁସଲମାନ ଭକ୍ତ, ଯାହାଙ୍କ ପାଇଁ ଅଟକିଥିଲା ନନ୍ଦିଘୋଷ ରଥ?

Jul 06, 2026 - 16:06
କିଏ ସେହି ମୁସଲମାନ ଭକ୍ତ, ଯାହାଙ୍କ ପାଇଁ ଅଟକିଥିଲା  ନନ୍ଦିଘୋଷ ରଥ?

ଭଗବାନ କେବେ ବି ଜାତି, ଧର୍ମ କିମ୍ବା ବର୍ଣ୍ଣ ଦେଖନ୍ତି ନାହିଁ । ସେ କେବଳ ଭକ୍ତର ନିଷ୍କପଟ ପ୍ରେମ, ଅଟୁଟ ବିଶ୍ୱାସ ଓ ଭାବକୁ ଦେଖନ୍ତି । ଯେଉଁଠାରେ ନିର୍ମଳ ଭକ୍ତି ଥାଏ, ସେଠାରେ ସ୍ୱୟଂ ପ୍ରଭୁ ବନ୍ଧା ପଡ଼ିଯାଆନ୍ତି। ଏହାର ସବୁଠାରୁ ବଡ଼ ଉଦାହରଣ ହେଉଛନ୍ତି ଭକ୍ତ ଶ୍ରେଷ୍ଠ ସାଲବେଗ। ମୁସଲମାନ ପରିବାରରେ ଜନ୍ମ ହୋଇଥିଲେ ମଧ୍ୟ, ନିଜର ଅତୁଳନୀୟ ଭକ୍ତି ଦ୍ୱାରା ସେ ପ୍ରଭୁ ଜଗନ୍ନାଥଙ୍କୁ ଏପରି ବାନ୍ଧି ରଖିଥିଲେ ଯେ ଆଜି ମଧ୍ୟ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ତାଙ୍କ ସମାଧି ସମ୍ମୁଖରେ କିଛି ସମୟ ପାଇଁ ଅଟକି ରହିବାର ପରମ୍ପରା ଚାଲିଆସୁଛି ।

WhatsApp Image 2026-07-06 at 2.53.10 PM (1)

ସାଲବେଗଙ୍କ ପିତା ଲାଲବେଗ ଜଣେ ମୋଗଲ ସେନା ଅଧିକାରୀ ଥିଲେ। ଓଡ଼ିଶା ଆକ୍ରମଣ ସମୟରେ ସେ ଦାଣ୍ଡମୁକୁନ୍ଦପୁର ନିକଟରେ ଜଣେ ବ୍ରାହ୍ମଣ କନ୍ୟା ପ୍ରତିମା ଦେବୀଙ୍କୁ ଦେଖି ବଳ ପୂର୍ବକ ବିବାହ କରିଥିଲେ । ତେବେ ପ୍ରତିମା ଦେବୀ ଦୁଇଟି ସର୍ତ୍ତ ରଖିଥିଲେ—ତାଙ୍କୁ କେବେ ବି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବ ନାହିଁ ଏବଂ କୌଣସି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯିବ ନାହିଁ। ଲାଲବେଗ ଏହି ସର୍ତ୍ତ ମାନିଥିଲେ । ପରେ ସେମାନଙ୍କ ଘରେ ସାଲବେଗଙ୍କ ଜନ୍ମ ହୋଇଥିଲା। ପ୍ରତିମା ଦେବୀ ଥିଲେ ମହାପ୍ରଭୁ ଜଗନ୍ନାଥଙ୍କ ଅନନ୍ୟ ଭକ୍ତ । ସେ ପ୍ରତିଦିନ ଛୋଟ ସାଲବେଗଙ୍କୁ ଜଗନ୍ନାଥଙ୍କ ମହିମା, ଲୀଳା ଓ କରୁଣାର କାହାଣୀ ଶୁଣାଉଥିଲେ । ସେହି କାହାଣୀ ଶୁଣି ଶୁଣି ଛୋଟ ସାଲବେଗଙ୍କ ହୃଦୟରେ ମହାପ୍ରଭୁଙ୍କ ପ୍ରତି ଅଗାଧ ଭକ୍ତି ଜନ୍ମ ନେଇଥିଲା । ଯୁବକ ହେବା ପରେ ସାଲବେଗ ସୁଲତାନଙ୍କ ସେନାରେ ଯୋଗ ଦେଇଥିଲେ । ଏକ ଯୁଦ୍ଧରେ ସେ ଗୁରୁତର ଭାବେ ଆହତ ହୋଇ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିଲେ । ସେହି ସମୟରେ ତାଙ୍କ ମା ତାଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ନାମ ଜପ କରିବାକୁ କହିଥିଲେ । ଅଟୁଟ ବିଶ୍ୱାସର ସହ ନାମସ୍ମରଣ କରିବା ପରେ ସେ ଚମତ୍କାର ଭାବରେ ସୁସ୍ଥ ହୋଇଯାଇଥିଲେ । ସେହି ଦିନଠାରୁ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା । ସୁସ୍ଥ ହେବା ପରେ ସେ ମାଙ୍କ ସହ ପୁରୀ ଆସି ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାକୁ ଚାହିଁଥିଲେ। କିନ୍ତୁ ସେ ମୁସଲମାନ ପରିବାରରେ ଜନ୍ମ ନେଇଥିବାରୁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ପାଇନଥିଲେ । ଏହି ଦୁଃଖକୁ ସେ ନିଜ ଭଜନରେ ଲେଖିଥିଲେ—

ପିତା ମୋ ମୋଗଲ, ମାତା ମୋ ବ୍ରାହ୍ମଣୀ
ଏ କେଉଁ କୂଳେ ଜନ୍ମିଲି, ହିନ୍ଦୁ ନ ଛୁଏଁ ମୋ ପାଣି

WhatsApp Image 2026-07-06 at 2.53.10 PM

ମନ୍ଦିରକୁ ପ୍ରବେଶ କରିପାରିନଥିଲେ ମଧ୍ୟ ସାଲବେଗଙ୍କ ଭକ୍ତି କେବେ କମିନଥିଲା । ସେ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଶତାଧିକ ଭଜନ ଓ ଜଣାଣ ରଚନା କରିଥିଲେ, ଯାହା ଆଜି ମଧ୍ୟ ଓଡ଼ିଶାର ଘରେ ଘରେ ଗାଇଯାଉଛି । କିମ୍ବଦନ୍ତୀ ଅନୁସାରେ, ଥରେ ରଥଯାତ୍ରା ସମୟରେ ସାଲବେଗ ପୁରୀ ଆସୁଥିଲେ । ସେ ମନେ ମନେ ପ୍ରାର୍ଥନା କରୁଥିଲେ—"ହେ ପ୍ରଭୁ! ମୁଁ ପହଞ୍ଚିବା ପର୍ଯ୍ୟନ୍ତ ଟିକେ ଅପେକ୍ଷା କର ।" ଆଶ୍ଚର୍ଯ୍ୟର କଥା, ବଡ଼ଦାଣ୍ଡରେ ନନ୍ଦିଘୋଷ ରଥ ହଠାତ୍ ଅଟକି ଯାଇଥିଲା । ହଜାର ହଜାର ଲୋକ ଟାଣିଲେ ମଧ୍ୟ ରଥ ଆଗକୁ ବଢ଼ିନଥିଲା । କିନ୍ତୁ ସାଲବେଗ ସେଠାରେ ପହଞ୍ଚି ମହାପ୍ରଭୁଙ୍କୁ ଭକ୍ତିଭରା ପ୍ରଣାମ କରିବା ପରେ ହିଁ ରଥ ପୁଣି ଗଡ଼ିବା ଆରମ୍ଭ କରିଥିଲା । ଏହି ଘଟଣା ପ୍ରମାଣ କରିଦେଲା ଯେ ଭଗବାନଙ୍କ ପାଇଁ ଜାତି କିମ୍ବା ଧର୍ମର କୌଣସି ମୂଲ୍ୟ ନାହିଁ, ତାଙ୍କ ପାଇଁ ସର୍ବଶ୍ରେଷ୍ଠ ହେଉଛି ଭକ୍ତର ନିଷ୍କପଟ ପ୍ରେମ। ସାଲବେଗଙ୍କ ପରଲୋକ ପରେ ବଡ଼ଦାଣ୍ଡର ବଳଗଣ୍ଡି ନିକଟରେ ତାଙ୍କ ସମାଧି ସ୍ଥାପନ କରାଯାଇଥିଲା। ଆଜି ମଧ୍ୟ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ସେହି ସମାଧି ସମ୍ମୁଖରେ କିଛି ସମୟ ପାଇଁ ଅଟକି ରହେ। ଏହା କେବଳ ଏକ ପରମ୍ପରା ନୁହେଁ, ବରଂ ଭକ୍ତ ଓ ଭଗବାନଙ୍କ ଅନନ୍ତ ପ୍ରେମର ଏକ ଅମର ପ୍ରତୀକ। ସତରେ, ଭକ୍ତି ଆଗରେ ଭଗବାନ ମଧ୍ୟ ହାର ମାନନ୍ତି। ଭକ୍ତ ସାଲବେଗଙ୍କ କାହାଣୀ ଆମକୁ ଶିଖାଏ—ନିଷ୍କପଟ ପ୍ରେମ ଓ ବିଶ୍ୱାସ ହିଁ ଭଗବାନଙ୍କ ପାଖକୁ ପହଞ୍ଚିବାର ସବୁଠାରୁ ବଡ଼ ପଥ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।