କାନପୁର ପ୍ରକଳ୍ପର କପର ଡ୍ୟାମ୍ ଭାଙ୍ଗିଲା: ତଳିଆ ଅଞ୍ଚଳକୁ ସତର୍କ ସୂଚନା
ଯୋଡ଼ା/ ଚମ୍ପୁଆ, ୧ା୮(ମାନସ ମହାନ୍ତି/ମହେଶ୍ୱର ଦାସ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍ରେ ନିର୍ମାଣାଧୀନ କାନପୁର ପ୍ରକଳ୍ପର ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍ଟି ଲଗାଣ ବର୍ଷା ଫଳରେ ଭାଙ୍ଗିଯାଇଛି। ପରବର୍ତ୍ତୀ ସମୟରେ ଜଳଭଣ୍ଡାରରେ ଥିବା ବିପୁଳ ଜଳରାଶି କାନପୁର ଡ୍ୟାମ୍ର ୧୨ ଗୋଟି ଗେଟ୍ ଦେଇ ବୈତରଣୀ ନଦୀରେ ପ୍ରବାହିତ ହେଉଛି। ବନ୍ୟାକୁ ଦୃଷ୍ଟିରେ ରଖି ସତର୍କତା ସୂଚକ ସାଇରନ ଅନବରତ ଭାବେ ବୁଧବାର ରାତିରୁ ବାଜି ଚାଲିଥିଲା। ଜନସାଧାରଣଙ୍କୁ କପର ଡ୍ୟାମ୍ ଅଞ୍ଚଳକୁ ବାରଣ କରାଯାଇଛି। ଏହି ଡ୍ୟାମ୍ ମାଟିରେ ନିର୍ମାଣ ହୋଇଥିବାରୁ ଏହାକୁ ବିପଦସଙ୍କୁଳ ଘୋଷଣା କରାଯାଇ ସେଠାରେ ପୋଲିସ ମୁତୟନ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ପ୍ରକାଶ ଯେ, ଗତ ୬ ମାସ ଧରି ୧୨ ଗୋଟି ଗେଟ୍ର ଫେବ୍ରିକେଶନ ଏବଂ ସିଭିଲ କାମ ଚାଲିଛି। ଜଳଭଣ୍ଡାରର ଜଳକୁ ରୋକିବା ପାଇଁ ମୁଖ୍ୟ ବନ୍ଧ ପରିସରରେ ଅସ୍ଥାୟୀ ମାଟିବନ୍ଧ ବା କପର ଡ୍ୟାମ୍ ନିର୍ମାଣ କରାଯାଇଥିଲା। ବୁଧବାର ବନ୍ଧର ଅତି ଗୁରୁତ୍ୱପୂର୍ଣ୍ଣ ଡିପ୍ଲିସନ ସ୍ଲୁଇସ୍ର ଢଳେଇ ଛାତ ପଡ଼ିଥିଲା। କପର ଡ୍ୟାମ ନିର୍ମାଣ କରାଯାଇ ମୁଖ୍ୟ ବନ୍ଧର କାମ ହେଉଥିଲା। ବିଳମ୍ବିତ ରାତିରେ କପର ଡ୍ୟାମ୍ରେ ଫାଟ ସୃଷ୍ଟିହୋଇ ଧୋଇଯାଇଥିଲା। ତେଣେ ଡିପ୍ଲିସନ ସ୍ଲୁଇସ୍ ଗେଟ୍ ସେଠାରେ ବସିବା କାର୍ଯ୍ୟ ବାକି ରହିଛି। ଘଟଣା ପରେ ଗୁରୁବାର ମଧ୍ୟାହ୍ନରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ଓ ଜିଲାପାଳ ବିଶାଲ ସିଂହ ଓ ଅନ୍ୟାନ୍ୟ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନକରି ବନ୍ଧର ସମୀକ୍ଷା କରିଛନ୍ତି। ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେନ୍ଦ୍ର ବେହେରା କହିଛନ୍ତି, ବନ୍ଧରେ ପୂର୍ବରୁ ଏହି ଡିପ୍ଲିସନ ସ୍ଲୁଇସ୍ ନିର୍ମାଣ ହୋଇ ନ ଥିଲା। ବିଳମ୍ବ ସତ୍ତ୍ୱେ କାର୍ଯ୍ୟ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଲଗାଣ ବର୍ଷା ଫଳରେ ଅସ୍ଥାୟୀ ମାଟିବନ୍ଧ ଧସିଯିବାରୁ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ନାମକୁ ଗୋପନ ରଖିବା ସର୍ତ୍ତରେ ଠିକାସଂସ୍ଥାର ଜଣେ ଇଞ୍ଜିନିୟର ସୂଚନା ଦେଇଛନ୍ତି, ଡିପ୍ଲିସନ ସ୍ଲୁଇସ ନିର୍ମାଣରେ ବିଳମ୍ବ ହେବା ସହ ସମ୍ପୂର୍ଣ୍ଣ କେନାଲ ନିର୍ମାଣରେ ବିଳମ୍ବ ହୋଇଛି। ୨ ବର୍ଷର କାମ ଆହୁରି ବାକି ରହିଛି। ତେଣୁ ଜଳଭଣ୍ଡାରରେ ଚଳିତ ବର୍ଷ ଜଳଧାରଣ ସମ୍ଭବ ନୁହେଁ। ଯଦି ୧୨ ଗୋଟି ଗେଟ୍ ନିର୍ମାଣ ହୋଇଥିବା ବନ୍ଧ ନିକଟରୁ ୫୦୦ ମିଟର ପର୍ଯ୍ୟନ୍ତ ଗାର୍ଡ ୱାଲ ଓ କଂକ୍ରିଟ କରା ନ ଯାଏ, ତା’ହେଲେ ଜାତୀୟ ରାଜପଥ ପ୍ରାଧିକରଣର ଏନ୍ଏଚ୍ ୫୨୦ରେ ନିର୍ମାଣ ହୋଇଥିବା ପୋଲ ପ୍ରତି ବିପଦ ସୃଷ୍ଟିହେବ ବୋଲି ଅଞ୍ଚଳବାସୀ କହିଛନ୍ତି। ଚମ୍ପୁଆ ଉପ ଜିଲାପାଳ ଉମାକାନ୍ତ ପରିଡ଼ା କହିଛନ୍ତି, ବୁଧବାର ବିଳମ୍ବିତ ରାତିରୁ ଡାକବାଜି ଯନ୍ତ୍ର ଯୋଗେ ବୈତରଣୀ ନଦୀ ଅବବାହିକାରେ ବସବାସ କରୁଥିବା ଜନସାଧାରଣଙ୍କୁ ବନ୍ୟା ସମ୍ପର୍କିତ ସତର୍କତା ସୂଚନା ଦିଆଯାଇଛି। କାନପୁର ଡ୍ୟାମ୍ ମୁଖ୍ୟବନ୍ଧ ପ୍ରତି କୌଣସି ବିପଦ ନ ଥିବା ସେ କହିଛନ୍ତି। କାନପୁର ବନ୍ଧର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମହେନ୍ଦ୍ର ବେହେରା କହିଛନ୍ତି, ଅସ୍ଥାୟୀ ମାଟି ବନ୍ଧ ଧୋଇଯିବା ଫଳରେ ବୈତରଣୀ ନଦୀ ବନ୍ୟାଜଳରେ ପ୍ଲାବିତ ହୋଇଯାଇଛି। ଜଳଭଣ୍ଡାରର ୪୪୦ ମିଟର ପାଣି କ୍ଷମତା ରହିଥିବା ବେଳେ ଦିନ ୧୨ଟା ପର୍ଯ୍ୟନ୍ତ ୪୩୨.୩୪ ମିଟର ପାଣି ରହିଛି। ସ୍ଲୁଇସ୍ ଗେଟ୍ ଦେଇ ୧୬୦ କ୍ୟୁବିକ ମିଟର ପ୍ରତି ସେକେଣ୍ଡରେ ନିଷ୍କାସନ ହେଉଥିବା ବେଳେ ଅର୍ଦ୍ଧନିର୍ମିତ କେନାଲ ବାଟେ ୩୯.୧୨୮ କ୍ୟୁବିକ ମିଟର ପ୍ରତି ସେକେଣ୍ଡ ପାଣି ନିଷ୍କାସନ ହେଉଛି। ସୁନ୍ଦରଗଡ଼ ଜିଲା ତଥା ସୁନା ନଦୀର ଉପରମୁଣ୍ଡରେ ବର୍ଷା ହ୍ରାସ ପାଇବାରୁ ସୁନା ନଦୀରେ ମଧ୍ୟ ଜଳସ୍ରୋତ କମିଛି। ଜଳଭଣ୍ଡାରର କ୍ୟାଚ୍ ପଏଣ୍ଟ ସ୍ଥାନରେ ନିର୍ମାଣ ହୋଇଥିବା ୨ଟି ବୃହତ୍ ଖଣି କମ୍ପାନୀର ଇନ୍ଟେକ୍ ୱେଲ ବା କୂଅ ପ୍ରଭାବିତ ହୋଇଛି।
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।