ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ

Jul 03, 2026 - 19:03

ଆଳି, ୩।୭ (ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲାର ଆଳି ଥାନା ଅନ୍ତର୍ଗତ ନିଆଳ ଗ୍ରାମରେ ଦୁର୍ବୃତ୍ତମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ପ୍ରାୟ ପାଞ୍ଚ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ନିଆଳ ହାଟ ନିକଟରେ ବସବାସ କରୁଥିବା ଧର୍ମଜୟ ନନ୍ଦଙ୍କ ମାଉସୀ ପୁଅଙ୍କ ବିବାହ ସମ୍ପ୍ରତି ସରିଥିଲା। ଗତ ରାତିରେ କିଛି ଦୁର୍ବୃତ୍ତ ଘରର ସିଡ଼ିଘରର ଆଜବେଷ୍ଟସ୍ ତାଡ଼ି ଭିତରକୁ ପ୍ରବେଶ କରିଥିଲେ। ସେମାନେ ପ୍ରଥମେ ଧର୍ମଜୟଙ୍କ ମା’ଙ୍କ ବେକରୁ ସୁନା ଚେନ୍ ଲୁଟି ନେବା ସହ ଧର୍ମଜୟଙ୍କ ମୋବାଇଲ ଫୋନ୍ ଓ ୨୫ ହଜାର ଟଙ୍କା ନଗଦ ଲୁଟି ନେଇଥିଲେ।

ପରେ ଦୁର୍ବୃତ୍ତମାନେ ଧର୍ମଜୟଙ୍କ ସ୍ତ୍ରୀ ଶୁଭଶ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟିବାକୁ ଉଦ୍ୟମ କରିଥିଲେ। ଶୁଭଶ୍ରୀ ପ୍ରତିବାଦ କରିବା ସହ ଜଣେ ଲୁଟେରାଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ତାଙ୍କ ଆଖିକୁ ଆକ୍ରମଣ କରିଥିଲେ ଏବଂ ମାରିଦେବାକୁ ଧମକ ଦେଇ ତାଙ୍କ ନିକଟରୁ ସୁନା ଗହଣା ଲୁଟି ନେଇ ଫେରାର ହୋଇଯାଇଥିଲେ।

ଏହି ଘଟଣା ନେଇ ଧର୍ମଜୟ ନନ୍ଦ ଆଳି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଅଭିଯୋଗକୁ ଭିତ୍ତି କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Dharitri – Odisha’s No.1 Odia Daily

The post ନିକଟରେ ହୋଇଥିଲା ବାହାଘର: ଖବର ପାଇ ପଶିଗଲେ ଦୁର୍ବୃତ୍ତ appeared first on Dharitri Odia News.