କବାଟ ବନ୍ଦ କରି ମିଶ୍ରଣ: ସୁଜାତା ପାଣ୍ଡିଆନ୍ ବିଜେଡିରେ ମିଶିବା ପଛରେ ଅଛି…
ଭୁବନେଶ୍ୱର,୨୬ା୬(ସୁନିତ୍ ମିଶ୍ର):ଶଙ୍ଖ ଭବନ ଅଡିଟୋରିୟମ ଭିତରେ ଖୁବ୍ କମ୍ ଲୋକଙ୍କୁ ନେଇ ଏକ କବାଟ ବନ୍ଦ ମିଶ୍ରଣ ପର୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ତଥା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ପାଣ୍ଡିଆନ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି। ସୁଜାତା ଶଙ୍ଖ ଭବନକୁ ଯେତେବେଳେ ଆସିଲେ ତାଙ୍କ ପୂର୍ବରୁ ଦ୍ୱିତୀୟ ମହଲାରେ ବିଜେଡିର କେତେଜଣ ବିଧାୟକ, ଏମ୍ପି, ପୂର୍ବତନ ବିଧାୟକ ଓ ଏମ୍ପି ଆସି ଅପେକ୍ଷାକରି ରହିଥିଲେ। ସୁଜାତା ଯେତେବେଳେ ଅଡିଟୋରିୟମ ଭିତରକୁ ପ୍ରବେଶକଲେ ତାଙ୍କ ସହ ସେହି ନେତ୍ରୀନେତାମାନେ ଭିତରକୁ ମଧ୍ୟ ପ୍ରବେଶକଲେ। କେତେଜଣ ନେତା ନବୀନ ନିବାସରୁ ଡକରା ନ ପାଇ ମଧ୍ୟ ସେଠାରେ ଆସି ପହଞ୍ଚିଥିଲେ। ସେହି ଡକରା ପାଇ ନ ଥିବା ନେତାମାନେ କେତେଜଣ ସହଯୋଗୀଙ୍କ ସାଙ୍ଗରେ ଅଡିଟୋରିୟମ ଭିତରକୁ ପଶିଗଲେ। ଏହାପରେ ନବୀନ ଆସି ପହଞ୍ଚିଲେ ଏବଂ ଅଡିଟୋରିୟମ ଭିତରକୁ ଗଲେ। ଏହାପରେ ସବୁଆଡୁ ଅଡିଟୋରିୟମର ଦୁଆର ବନ୍ଦ କରିଦିଆଗଲା। ଅନେକ ବିଜେଡି କର୍ମୀ ବାହାରେ ବୁଲୁଥାଆନ୍ତି। ଭିତରେ ମିଶ୍ରଣ ପର୍ବ ଆରମ୍ଭହେବା ପୂର୍ବରୁ ମାଇକ୍ ଯୋଗେ କୁହାଗଲା, ଯେଉଁମାନଙ୍କୁ ଟେଲିଫୋନ୍ ଯାଇନାହିଁ, ସେମାନେ ଦୟାକରି ବାହାରକୁ ଚାଲିଯାଆନ୍ତୁ। ଏହି ଘୋଷଣା ସତ୍ତ୍ୱେ ଯେଉଁମାନେ ଡକରା ପାଇ ବସିଛନ୍ତି, ସେମାନଙ୍କ ଆଗରେ ଉଠି ଆସିଲେ ବେଶି ଖରାପ ଲାଗିବ ଭାବି କେତେଜଣ ନିଜ ସ୍ଥାନରୁ ଉଠିଲେ ନାହିଁ। ମାତ୍ର ବାହାରକୁ ଆସିବା ପରେ ସେମାନେ ଏହି କଥା କହି ବହୁ ଅନୁତାପ କଲେ ବୋଲି ପଶ୍ଚିମ ଓଡ଼ିଶାର ଜଣେ ପୂର୍ବତନ ବିଧାୟକ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ସେ ଆହୁରି କହିଲେ, ଦଳର ଗୋଟିଏ ମିଶ୍ରଣ ପର୍ବ ଯଦି ଦୁଆର ବନ୍ଦକରି କରାଯିବ ଏବଂ କେଉଁମାନେ ଆସିବେ ଏବଂ କାହାକୁ ଡକାଯିବନାହିଁ, ଏଭଳି ଚିନ୍ତାଧାରା ରଖି କାର୍ଯ୍ୟକ୍ରମ ଚାଲିବ ତେବେ ଏମାନେ ଆଗକୁ କାହାକୁ ନେଇ କାମ କରିବେ ବୁଝାପଡୁନାହିଁ ବୋଲି ସେ କହିଛନ୍ତି। ଉପକୂଳ, ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଓଡ଼ିଶାର ଅନେକ ବରିଷ୍ଠ ନେତାଙ୍କ ଅନୁପସ୍ଥିତି ମଧ୍ୟ ଏହି ପର୍ବରେ ପରିଲକ୍ଷିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ହେବାପରେ ଠୁଳ ହୋଇଥିବା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି, ଜଣେ ସାଧାରଣ ସଦସ୍ୟ ଭାବେ ସୁଜାତା ବିଜେଡିରେ ଯୋଗଦେଲେ। ଏଥିସହ ୨୦୨୯ ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ବୋଲି ସେ କହିଥିଲେ। ଗଣମାଧ୍ୟମ ପଚାରିବା ଆଗରୁ ୨୦୨୯ ନିର୍ବାଚନ ପର୍ଯ୍ୟନ୍ତ ନେତୃତ୍ୱ ନିଜେ ନେବେ ବୋଲି ଆଗୁଆ ନବୀନ କହିବାକୁ ନେଇ ଚର୍ଚ୍ଚା ଶୁଣିବାକୁ ମିଳୁଛି।
Dharitri – Odisha’s No.1 Odia Daily