କନ୍ଧମାଳ ହଳଦୀରେ କମୁଛି କରକ୍ୟୁମିନ୍ ଉପାଦାନ, ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ
ଦାରିଙ୍ଗବାଡି,୨୧।୭(ଅରୁଣ ସାହୁ): ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ଏବେ ବିପଦରେ । ସମୟ ଅନୁସାରେ, ହଳଦୀର ଚାହିଦା କମିବାରେ ଲାଗୁଥିବା ବେଳେ ଚାଷୀଙ୍କୁ ଉଚିତ ଦର ମିଳୁ ନାହିଁ । ଗତ ଗୋଟିଏ ଦଶନ୍ଧି ହେଲା ହଳଦୀ ଦର କିଲୋ ପିଛା ଆଉ ୧୩୫ଛୁଇଁ ପାରିନାହିଁ । ଗତ କିଛି ବର୍ଷ ହେଲା କିଲୋ ପିଛା ୯୦ ରୁ ୧୦୦ଶହ ଟଙ୍କା ମଧ୍ୟରେ ରହୁଥିବା ବେଳେ ଚଳିତ ସପ୍ତାହରେ ବୃଦ୍ଧି ପାଇ ୧୨୫ ଟଙ୍କାରେ ପହଞ୍ଚିଥିବା ଜଣାପଡିଛି । ତେବେ ଦର ବାରମ୍ବାର ଖସିବା କାରଣରୁ ଜଣାପଡିଛି ଯେ କନ୍ଧମାଳ ହଳଦୀର ଯେଉଁ ଔଷଧୀୟ ଗୁଣ ରହିଛି ତଥା କନ୍ଧମାଳ ହଳଦୀରେ ଭରପୁର କରକ୍ୟୁମିନ୍ ରହିଥାଏ । ଯାହାକି ଏବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ହଳଦୀରେ କରକ୍ୟୁମିନ୍ କମିଯାଇଛି ଫଳରେ ଏହାର ଜାତୀୟ ସ୍ତରରେ ଚାହିଦା କମିବା କାରଣରୁ ଏହା ଆହୁରି ଦର ଖସିବାରେ ଲାଗିଛି ବୋଲି କୁହାଯାଉଛି ।
ପ୍ରକାଶ ଯେ ହଳଦୀରେ କରକ୍ୟୁମିନ୍ ସର୍ବାଧିକ ୩ ପଏଣ୍ଟ ୮ ପର୍ଯ୍ୟନ୍ତ ରହିଥାଏ ଯାହାକି ହ୍ରାସ ପାଇ ଗତ ବର୍ଷ ଏହା ୨ ପଏଣ୍ଟ ୫ ରହିଥିଲା କିନ୍ତୁ ଚଳିତ ବର୍ଷ ଏହାର ହାର ଆହୁରି ହ୍ରାସ ପାଇ ୧ ପଏଣ୍ଟ ୪୭ ରହିଥିବା ଏକ ବିଶ୍ଳେଷଣାତ୍ମକ ରିପୋର୍ଟରୁ ଜଣାପଡିଛି । ଏହାକୁ ପରୀକ୍ଷା କରିବା ପାଇଁ ମୋଟ ୫ ଶହ ୫୨ କେଜି ଆଙ୍ଗୁଠି ସାଇଜ ହଳଦିଆ ରଙ୍ଗର ହଳଦୀ କୁ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଥିଲା । ହଳଦୀର ସମସ୍ତ ପାରମିଟରକୁ ତନ ତନ ଯାଞ୍ଚ କରାଯାଇ ଏହାର ରିପୋର୍ଟ ଆସିଥିବା ହଳଦୀ ବ୍ୟବସାୟୀ ମାନସ କୁମାର ସାହୁ କହିଛନ୍ତି । ସେ ଜଣେ ପ୍ରତିଷ୍ଠିତ ହଳଦୀ ବ୍ୟବସାୟୀ ହୋଇଥିବା ବେଳେ ହଳଦୀରେ କରକ୍ୟୁମିନ୍ ହ୍ରାସ ପାଉଥିବା ଜାତୀୟ ସ୍ତରର ବ୍ୟବସାୟିଙ୍କ ଠାରୁ ଶୁଣିବା ପରେ ସେ ଏହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇ ସତ୍ୟାସତ୍ୟ ଜାଣିବାକୁ ପାଇଥିଲେ ।
ଏହାର ସମାଧାନ ପାଇଁ ସରକାର ପଦକ୍ଷେପ ନେବା ଜରୁରୀ । କନ୍ଧମାଳ ଜିଲାପାଳ ଉଦ୍ୟାନ କୃଷି ବିଭାଗ ଓ ଏହାର କୃଷି ବୈଜ୍ଞାନିକ ମାନଙ୍କୁ ନେଇ କନ୍ଧମାଳ ହଳଦୀରେ ପୁନଃ କିଭଳି କରକ୍ୟୁମିନ୍ ହାର ବୃଦ୍ଧି ପାଇବ ଓ ସେଥିପାଇଁ ଚାଷୀଙ୍କୁ ଉପଯୁକ୍ତ ବିହନ ଯୋଗାଣ ଓ ଚାଷ ପଦ୍ଧତିରେ ପରିବର୍ତ୍ତନ ଓ ଜ୍ଞାନ କୌଶଳ ଶିଖାଇ ଚାଷ କରାଗଲେ ନିଶ୍ଚିତ ପୁଣି କରକ୍ୟୁମିନ୍ ହାର ପୂର୍ବଭଳି ବୃଦ୍ଧି ପାଇବ ବୋଲି କୁହାଯାଉଛି । ସୂଚନା ଯୋଗ୍ୟ ଯେ କନ୍ଧମାଳ ହଳଦୀ ଚାଷକୁ ପାରମ୍ପରିକ ଜୈବିକ ପଦ୍ଧତିରେ ଚାଷ କରାଯାଉଛି କୌଣସି ରାସାୟନିକ ସାରର ପ୍ରୟୋଗ କରାଯାଉନଥିବା ବେଳେ ହଳଦୀର କରକ୍ୟୁମିନ୍ ହାର ହ୍ରାସ ଚିନ୍ତା ବଢ଼ାଇଛି ।
କନ୍ଧମାଳ ହଳଦୀ ୧ ଏପ୍ରିଲ୍ ୨୦୧୯ରେ ଏହାର ସରକାରୀ ଭୌଗୋଳିକ ସୂଚକ (ଜିଆଇ ) ଟ୍ୟାଗ୍ ପାଇଲା। ଓଡ଼ିଶାର କନ୍ଧମାଳ ଜିଲାର ଜନଜାତି ଚାଷୀମାନଙ୍କ ଦ୍ୱାରା ଜୈବିକ ଭାବରେ ଚାଷ କରାଯାଉଥିବା, ଏହାର ଗଭୀର ସ୍ୱର୍ଣ୍ଣିମ-ହଳଦିଆ ରଙ୍ଗ, ତୀବ୍ର ମାଟିର ସୁଗନ୍ଧ ଏବଂ ଅଧିକ କରକ୍ୟୁମିନ୍ ପାଇଁ ଏହାକୁ ବିଶ୍ୱ ପ୍ରସିଦ୍ଧ କନ୍ଧମାଳ ହଳଦୀ ନାମରେ ବିକ୍ରିବଟା କରାଯାଉଛି । କରକ୍ୟୁମିନ୍ ଉପାଦାନ ମଣିଷ ଶରୀରରେ ଆଣ୍ଟି ଅକ୍ସିଡେଣ୍ଟ, କ୍ୟାନ୍ସର ପ୍ରତିରୋଧ ସହ ବିଭିନ୍ନ ରୋଗର ପ୍ରତିଷେଧକ ଭାବେ କାର୍ଯ୍ୟ କରିଥାଏ ବୋଲି କୁହାଯାଉଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।