ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଲା ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ ବୈଠକ

ଭୁବନେଶ୍ୱର : ସମୁଦ୍ର ସୀମା ହେବ ଆହୁରି ସୁରକ୍ଷିତ! । ଉପକୂଳ ସୁରକ୍ଷା ପାଇଁ ମହାମନ୍ଥନ । ଲୋକସେବା ଭବନରେ ପ୍ରଥମ ଥର ପାଇଁ ଆୟୋଜିତ ହୋଇଛି ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପ ପଲିସୀ ବୈଠକ । ୧୪ତମ ବହୁ-ସଂସ୍ଥା ସାମୁଦ୍ରିକ ସୁରକ୍ଷା ଗୋଷ୍ଠୀ' ବୈଠକକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଜାତୀୟ ମେରିଟାଇମ ସିକ୍ୟୁରିଟି କୋରଡିନେଟର ,ଉପକୂଳବର୍ତ୍ତୀ ରାଜ୍ୟ ସାମୁଦ୍ରିକ ସୁରକ୍ଷା ସମନ୍ୱୟକାରୀ ଅଧିକାରୀ ଉପସ୍ଥିତ ଅଛନ୍ତି । ଉପକୂଳ ସୁରକ୍ଷା, ଉପକୂଳ ସର୍ଭେଲାନ୍ସ ନେଟୱାର୍କକୁ ମଜବୁତ କରିବା, ଚୋରା ଚାଲାଣ ରୋକିବା, ନୂଆ ଆହ୍ଵାନ ଆଦି ପ୍ରସଙ୍ଗରେ ଆଜିର ବୈଠକରେ ଆଲୋଚନା ହେବ ।
ବୈଠକକୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି , ଏହି ବୈଠକ ଓଡ଼ିଶା ପାଇଁ ଗୌରବର କଥା। ଆଜିର ଏହି ବୈଠକରେ ୮ଟି ରାଜ୍ୟର ପ୍ରତିନିଧି ଯୋଗ ଦେଇଛନ୍ତି । ଭାରତ ଆଜି ବିଶ୍ୱରେ ଏକ ପ୍ରମୁଖ ସାମୁଦ୍ରିକ ଶକ୍ତି ଭାବେ ଉଭା ହେଉଛି । ପ୍ରଥମ ଥର ପାଇଁ ନୂଆଦିଲ୍ଲୀ ବାହାରେ ଓଡ଼ିଶାରେ ଏହି ଉଚ୍ଚସ୍ତରୀୟ ଜାତୀୟ ବୈଠକର ଆୟୋଜନ ହେବା ଦେଶର ସଂଘୀୟ ବ୍ୟବସ୍ଥା ବା Cooperative Federalism ପ୍ରତି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାର ୫୭୪ କିଲୋମିଟର ବେଳାଭୂମି ଅଛି। ଅତୀତରେ ଆମ ସାଧବ ପୁଅ ମାନେ ଦକ୍ଷିଣ ଏବଂ ପୂର୍ବ ଏସିଆ ସହ ବାଣିଜ୍ୟିକ ସମ୍ପର୍କକୁ ମଜଭୁତ କରିଥିଲା । ସାମୁଦ୍ରିକ ବାଣିଜ୍ୟ ଏବଂ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲା । ତାହା କିପରି ଆଗକୁ ବଢ଼ିବ ସେଥିପାଇଁ ଆମେ କାମ କରୁଛୁ ।
ଓଡ଼ିଶାର ଗଞ୍ଜାମ ଜିଲ୍ଲା ବାହୁଦା ଓ ମହାନଦୀ ଅବବାହିକାରେ ଦୁଇଟି ପୋର୍ଟ କରାଯାଉଛି । ଏଥିରେ ୫୦ ହଜାର କୋଟି ବିନିଯୋଗ କରାଯିବ । ଯେଉଁଥିରେ ଡିପ୍-ସି ପୋର୍ଟ କରାଯିବ ସହ ପ୍ରଯୁକ୍ତି ବିଦ୍ୟା ସହ AIକୁ ଅନ୍ତର୍ଭୁକ୍ତ କରାଯାଉଛି । ବୈଠକରେ ମଲ୍ଟି ଏଜେନସି ମାରିଟାଇମ ସିକ୍ୟୁରିଟି ଗ୍ରୁପରେ କେନ୍ଦ୍ରର ବିଭିନ୍ନ ସଂସ୍ଥା ତଥା ନୌସେନା, ଭାରତୀୟ ତଟରକ୍ଷୀ ବାହିନୀ, ଭାରତୀୟ ସୀମା ଶୁଳ୍କ , ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ, ସୀମା ସୁରକ୍ଷା ବଳର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି । ଗୃହ ମନ୍ତ୍ରଣାଳୟ, ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରଣାଳୟର ଅଧିକାରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।