ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା: ଅରେଞ୍ଜ୍ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୫ା୮(ବନ୍ଦନା ସେଠୀ):ଚଳିତ ମୌସୁମୀରେ ଏଯାଏ ରାଜ୍ୟରେ ଭଲ ବର୍ଷା ହୋଇଛି। ଜୁଲାଇରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସତ୍ତ୍ୱେ ରାଜ୍ୟରେ ପୁଣି ତାପମାତ୍ରା ବଢ଼ିବାରେ ଲାଗିଛି। ୩ ଦିନ ହେବ ରାଜ୍ୟରେ ବର୍ଷା ସହ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ମଙ୍ଗଳବାର ୧୦ ସ୍ଥାନରେ ତାପମାତ୍ରା ୩୪ ଡିଗ୍ରୀ ପାର୍ କରିଥିଲା। ପାରଳାଖେମୁଣ୍ଡିରେ ସର୍ବାଧିକ ତାପମାତ୍ରା ୩୭.୬ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଟିଟିଲାଗଡ଼ରେ ୩୫.୫ ଡିଗ୍ରୀ, ପୁରୀରେ ୩୫.୪, ଭୁବନେଶ୍ୱରରେ ୩୫.୧, ଚାନ୍ଦବାଲିରେ ୩୪.୬, ରାଉରକେଲା, ନୂଆପଡ଼ା ଏବଂ ଭଦ୍ରକରେ ୩୪.୫, ଢେଙ୍କାନାଳରେ ୩୪.୪ ଏବଂ କଟକରେ ତାପମାତ୍ରା ୩୪.୨ ଡିଗ୍ରୀ ଛୁଇଁଥିଲା। ସେହିପରି ତାଳଚେରରେ ସର୍ବନିମ୍ନ ୨୭.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
ଅପରପକ୍ଷେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବୁଧବାର ମୟୂରଭଞ୍ଜ ଜିଲାକୁ ପ୍ରବଳରୁ ଅତି ପ୍ରବଳ ମାତ୍ରାରେ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ସମ୍ବଲପୁର, କେନ୍ଦୁଝର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ ଏବଂ ନୟାଗଡ଼ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏହାବାଦ୍ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଜଗତ୍ସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଝଡ଼ବର୍ଷା ନେଇ ସତର୍କ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।