ଏଲୋପ୍ମେଣ୍ଟ ମାମଲାରେ ପୋକ୍ସୋ ଆଇନର ଦୁରୁପଯୋଗ ହେଉଛି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୪ା୭: ସ୍ବେଚ୍ଛାକୃତ ଭାବେ ରିଲେଶନଶିପ୍ରେ ରହୁଥିବା କିଶୋର କିଶୋରୀଙ୍କ ବିରୋଧରେ ପୋକ୍ସୋ ଆଇନର ଦୁରୁପଯୋଗ କରାଯାଉଥିବା ନେଇ ସୁପ୍ରିମକୋର୍ଟ ସୋମବାର ଚିନ୍ତାବ୍ୟକ୍ତ କରିଛନ୍ତି। ପ୍ରେମ ସମ୍ପର୍କରେ ଥିବା ଝିଅପୁଅ ଯଦି ଘରୁ ଲୁଚି ପଳାଇଯାଆନ୍ତି, ସେମାନଙ୍କୁ ସରକାର ବା ପ୍ରଶାସନ କିପରି ରୋକିପାରିବ ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନା ଏବଂ ଆର୍. ମହାଦେବନଙ୍କ ଖଣ୍ଡପୀଠ କହିଛନ୍ତି, ନାବାଳିକା ଝିଅ ଜଣେ ପୁରୁଷ ସାଥୀ ସହ ଫେରାର ହୋଇଗଲେ ମା’ବାପା ସେମାନଙ୍କ ତଥାକଥିତ ସମ୍ମାନ ରକ୍ଷା ପାଇଁ ଉକ୍ତ ପୁଅ ବିରୋଧରେ ଆପରାଧିକ ମାମଲା ଦାଏର କରିଥାନ୍ତି। ପିଲାଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଶୋଷଣ ରୋକିବା ପାଇଁ ପୋକ୍ସୋ ଆଇନ ରହିଛି ବୋଲି ଅଦାଲତ କହିବା ସହ ୧୫ରୁ ୧୮ ବର୍ଷ ବୟସ ଅତ୍ୟନ୍ତ ସମ୍ବେଦନଶୀଳ ସମୟ ବୋଲି କହିଛନ୍ତି। କିଶୋରକିଶୋରୀଙ୍କ ଗୋପନୀୟତା ଅଧିକାର ସମ୍ପର୍କିତ ଏକ ମାମଲାକୁ ଅଦାଲତ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରି ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ୨୦୨୩ରେ କୋଲକାତା ହାଇକୋର୍ଟ କିଶୋରୀମାନଙ୍କୁ ଯୌନ ସମ୍ପର୍କରେ ଲିପ୍ତ ରହିବା ପରିବର୍ତ୍ତେ ସେମାନଙ୍କ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବାକୁ ବିବାଦୀୟ ରାୟ ଦେଇଥିଲେ। ହାଇକୋର୍ଟଙ୍କ ଉକ୍ତ ରାୟକୁ ୨୦୨୪ରେ ସୁପ୍ରିମକୋର୍ଟ ଖାରଜ କରିଦେବା ସହ କେତେଗୁଡ଼ିଏ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ କିଶୋରୀକିଶୋରଙ୍କ ଗୋପନୀୟତା ଅଧିକାରୀକୁ ନେଇ ମାମଲା ଦାଏର ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।