ଇସ୍ତଫା ଦେବେ ନାହିଁ ଧର୍ମେନ୍ଦ୍ର ପ୍ରଧାନ! ସରକାରଙ୍କ କଡ଼ା ଆଭିମୁଖ୍ୟ, ଗୋଟିଏ ମାସ ମଧ୍ୟରେ…
ନୂଆଦିଲ୍ଲୀ,୨୪।୭: NEET ପେପର ଲିକ୍ ମାମଲାରେ ଦାୟିତ୍ୱ ନିର୍ଦ୍ଧାରଣ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜାତୀୟ ରାଜଧାନୀ ଦିଲ୍ଲୀର ଜନ୍ତର-ମନ୍ତରରେ ଗତ ଏକ ମାସରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନ ଜାରି ରହିଛି। ଏହି ସମୟରେ, ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଶୁକ୍ରବାର ଦିନ ସରକାରୀ ସୂତ୍ରଗୁଡ଼ିକ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେବେ ନାହିଁ। ବର୍ତ୍ତମାନ ସରକାରଙ୍କ ମୁଖ୍ୟ ଫୋକସ୍ ପରୀକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ଏବଂ ଭବିଷ୍ୟତରେ ପେପର ଲିକ୍ ଭଳି ଘଟଣାକୁ ସମ୍ପୂର୍ଣ୍ଣ ରୋକିବା ଉପରେ ରହିଛି।
ସୂତ୍ରରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ, କେନ୍ଦ୍ର ସରକାର ପରୀକ୍ଷାରେ ଅନିୟମିତତା ଏବଂ ପେପର ଲିକ୍ ଭଳି ସମସ୍ୟାର ମୁକାବିଲା କରିବା ପାଇଁ ‘ସାଧାରଣ ପରୀକ୍ଷା (ଅନୁଚିତ ସାଧନ ନିବାରଣ) ଅଧିନିୟମ,୨୦୨୪’ ରେ ସଂଶୋଧନ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନକୁ ଅଧିକ କଡ଼ାକଡ଼ି କରିବା, ଯଦ୍ଦ୍ୱାରା ପେପର ଲିକ୍ ଏବଂ ପରୀକ୍ଷାରେ ଠକେଇ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ।
ସରକାରଙ୍କ ଯୋଜନା କେବଳ ଦୋଷୀମାନଙ୍କୁ ଦଣ୍ଡ ଦେବା ମଧ୍ୟରେ ସୀମିତ ରହିବ ନାହିଁ। ପ୍ରସ୍ତାବିତ ସଂଶୋଧନଗୁଡ଼ିକରେ ଭବିଷ୍ୟତରେ ପେପର ଲିକ୍ ଏବଂ ପରୀକ୍ଷା ସମ୍ବନ୍ଧୀୟ ଅନିୟମିତତାକୁ ରୋକିବା ପାଇଁ ନିବାରକ ପଦକ୍ଷେପଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବାର ସମ୍ଭାବନା ରହିଛି।
ଏହା ବ୍ୟତୀତ, ସରକାର ଜାତୀୟ ପରୀକ୍ଷା ଏଜେନ୍ସି (NTA) ର ମଧ୍ୟ ବ୍ୟାପକ ସମୀକ୍ଷା କରୁଛନ୍ତି। ସୂତ୍ର ମୁତାବକ, ପରୀକ୍ଷା ପରିଚାଳନା କରୁଥିବା ଏହି ଏଜେନ୍ସିର କାର୍ଯ୍ୟପ୍ରଣାଳୀରେ ଥିବା ସମସ୍ତ ତ୍ରୁଟିଗୁଡ଼ିକୁ ଚିହ୍ନଟ କରାଯାଇ ଆଗାମୀ ଗୋଟିଏ ମାସ ମଧ୍ୟରେ ସେଗୁଡ଼ିକୁ ଦୂର କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଏହି ସମଗ୍ର ଘଟଣାକ୍ରମ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ NEET ପେପର ଲିକ୍କୁ ନେଇ ଜନ୍ତର-ମନ୍ତରରେ ଛାତ୍ର ଆନ୍ଦୋଳନ ଜାରି ରହିଛି। ‘କକ୍ରୋଚ୍ ଜନତା ପାର୍ଟି’ (CJP) ଏବଂ ବିରୋଧୀ ଦଳଗୁଡ଼ିକ କ୍ରମାଗତ ଭାବେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଆସୁଛନ୍ତି। ଏପରିକି ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନ ଦେବା ଯାଏ ସଂସଦକୁ ସୁରୁଖୁରୁରେ ଚାଲିବାକୁ ଦିଆଯିବ ନାହିଁ। ତଥାପି, ସରକାରୀ ସୂତ୍ରଗୁଡ଼ିକ ସ୍ପଷ୍ଟ କରିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବେ ନାହିଁ ଏବଂ ସରକାରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ଉପରେ କେନ୍ଦ୍ରିତ ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।