‘ଆମ୍ ବସ’ ଧକ୍କାରେ ବାଇକ ଆରୋହୀ ଗୁରୁତର

କଟକ: ପୁଣି ‘ଆମ୍ ବସ’ଦୁର୍ଘଟଣା । କଟକ ବାଦାମବାଡ଼ି ସ୍ଥିତ ମଲାଚଣ୍ଡୀଆ ଛକରେ ‘ଆମ୍ ବସ’ ଧକ୍କାରେ ବାଇକ ଆରୋହୀ ଗୁରୁତର ହୋଇଥିବା ସୂଚନା ମିଳିଛି । ବାଇକ୍କୁ ଧକ୍କା ଦେଇ ପ୍ରାୟ ୪୦ ଫୁଟ ଯାଏଁ ଘୋଷାଡ଼ି ନେଇଥିଲା ଆମ ବସ୍ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି, ଗୁରୁତର ଅବସ୍ଥାରେ ବାଇକ୍ ଆରୋହୀକୁ ପିସିଆର୍ରେ ମେଡିକାଲ ପଠାଇଥିଲା । ଦୁର୍ଘଟଣା ଘଟାଇବା ପରେ ‘ଆମ ବସ୍’ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ କିଛି ସମୟ ପାଇଁ ସେଠାରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।
ସୂଚନାନୁସାରେ , ଆଜି ଦିନ ୨ଟା ସମୟରେ କଟକ ମଲାଚଣ୍ଡିଆ ଛକରେ 'ଆମ ବସ' ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୧୮ ନମ୍ବର ରୁଟ୍ରେ ଯାଉଥିବା ବସ୍ଟି ନେତାଜୀ ବସ୍ ଟର୍ମିନାଲ ମଧ୍ୟକୁ ପ୍ରବେଶ କରିବା ବେଳେ ବାମ ପଟେ ଏକ ବାଇକ୍କୁ ଧକ୍କା ଦେବା ସହ ବାଇକ୍ ଆରୋହୀଙ୍କୁ ପ୍ରାୟ ୫୦ ଫୁଟ ଘୋଷାଡ଼ି ଆଣିଥିଲା । ବାଇକ୍ ଆରୋହୀ ଜଣକ ବସ୍ ତଳେ ଚାପି ହୋଇ ରହିଯାଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା କି ଜଣେ ପ୍ରତ୍ୟକ୍ଷଦର୍ଶୀ ବେହୋସ ହୋଇ ଯାଇଥିଲେ । ଦୁର୍ଘଟଣା ଘଟାଇବା ପରେ ଲୋକଙ୍କ ମାଡ଼ ଭୟରେ ‘ଆମ ବସ୍’ ଛାଡ଼ି ଚାଳକ ସେ ସ୍ଥାନରୁ ଚମ୍ପଟ୍ ମାରିଥିଲେ। ସ୍ଥାନୀୟ ଲୋକ ବସ୍କୁ ଟେକି ବାଇକ୍ ଆରୋହୀଙ୍କୁ ଉଦ୍ଧାର କରିଥିଲେ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଂଚି ପିସିଆର୍ ଭ୍ୟାନ ଯୋଗେ ବଡ଼ ମେଡିକାଲକୁ ନେଇଥିଲା । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ମଲା ଚଣ୍ଡିଆ ଛକରେ ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିଲା । ପୋଲିସ ବୁଝାସୁଝା କରି ସମାଧାନ କରିଥିବା ଖବର ମିଳିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।