ଆନ୍ଦୋଳନର ତିନୋଟି କଥା

Jul 19, 2026 - 08:15
ଆନ୍ଦୋଳନର ତିନୋଟି କଥା

କକ୍‌ରୋଚ୍‌ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅନଶନର ଏକମାତ୍ର ଦାବି ହେଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ। କାହିଁକି? କାରଣ ବିନା ଦୁର୍ନୀତିରେ ନିଟ୍‌ ପରୀକ୍ଷା କରାଇବା ପାଇଁ ଶିକ୍ଷାମନ୍ତ୍ରୀଙ୍କୁ ଦିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ସେ ବିଫଳ ହେଲେ। ପାଠକଙ୍କର ମନେଥିବ ଯେ ୨୦୨୪ରେ ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା ଏବଂ ସେତେବେଳେ ମଧ୍ୟ ଏହି ଶିକ୍ଷାମନ୍ତ୍ରୀ ଦାୟିତ୍ୱରେ ଥିଲେ, ତଥାପି ସେ ପଦବୀରେ ରହିପାରିଲେ। ଚଳିତବର୍ଷ ମଧ୍ୟ ପରୀକ୍ଷାରେ ଦୁର୍ନୀତି ହେଲା ଏବଂ ଏ ବିଷୟକୁ ସରକାର ଗ୍ରହଣ କରିବାକୁ ବାଧ୍ୟ ହେଲେ ଓ ପରୀକ୍ଷା ବାତିଲ କଲେ। ଫଳରେ ପାଖାପାଖି ୨୦ ଲକ୍ଷ ଛାତ୍ରୀଛାତ୍ର ଅସୁବିଧାରେ ପଡ଼ିଲେ। ସେମାନଙ୍କ ପରିବାରକୁ ମିଶାଇଲେ ପ୍ରାୟ ଏକ କୋଟି ଭାରତୀୟ ଏହାଦ୍ୱାରା ସିଧାସଳଖ ପ୍ରଭାବିତ ହେଲେ। ସମସ୍ତଙ୍କୁ ମାନସିକ ଚାପ ଏବଂ ଅନିଶ୍ଚିତତା ମଧ୍ୟରେ ଦିନ କାଟିବାକୁ ପଡ଼ିଲା। ପରୀକ୍ଷା ବାତିଲ ହେବା ଏବଂ ପୁନଃପରୀକ୍ଷା ମଧ୍ୟରେ ଥିବା ୩୭ ଦିନ ଭିତରେ ୧୨ ଜଣ ଯୁବତୀ ଯୁବକ ଆତ୍ମହତ୍ୟା କରିଥିବା ଆମେ ଜାଣିବାକୁ ପାଇଲୁ। ସରକାର ସ୍ବୀକାର କଲେ ଯେ, ପ୍ରଶ୍ନପତ୍ରକୁ ନେଇ ଶିକ୍ଷା ମନ୍ତ୍ରଣାଳୟ ଉପରେ ଭରସା କରାଯାଇପାରିବ ନାହିଁ । ଫଳରେ ସେଗୁଡ଼ିକୁ ସୁରକ୍ଷିତ ଭାବେ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପହଞ୍ଚାଇବା ପାଇଁ ବାୟୁସେନାକୁ ଦାୟିତ୍ୱ ଦିଆଗଲା। ଏହାକୁ ଆମେ ଏକ ପ୍ରଚାରମୂଳକ ପଦକ୍ଷେପ ବୋଲି କହିପାରୁ କିମ୍ବା ପ୍ରଶ୍ନପତ୍ର ଲିକ୍‌ ହେବାର ଭୟ ବୋଲି ଭାବିପାରୁ। କୌଣସି ବି ପ୍ରସ୍ତୁତିକରଣରେ ସରକାରଙ୍କ ଭାବମୂର୍ତ୍ତି ଭଲ ଜଣାଯାଉନାହିଁ। ହେଲେ ନିଟ୍‌ ପରୀକ୍ଷାରେ ଦୁର୍ନୀତି ରୋକିବାରେ ଶିକ୍ଷାମନ୍ତ୍ରୀ ବିଫଳ ହେବା ପରେ ମଧ୍ୟ ପ୍ରଧାନମନ୍ତ୍ରୀ ଉତ୍ତରଦାୟିତ୍ୱକୁ ଅଣଦେଖା କଲେ। ସେ ଶିକ୍ଷାମନ୍ତ୍ରୀଙ୍କୁ ପଦବୀରେ ରଖିବାକୁ ନିଷ୍ପତ୍ତି ନେଲେ। ଯେଉଁମାନେ ପ୍ରଧାନମନ୍ତ୍ରୀଙ୍କୁ ନାପସନ୍ଦ କରନ୍ତି, ସେମାନେ ଏଥିରୁ ଅନୁମାନ କରିବେ ଯେ, ଏକଚ୍ଛତ୍ରବାଦୀମାନେ ନିଜ ଭୁଲ୍‌ ସ୍ବୀକାର କରିବାକୁ କୁଣ୍ଠାବୋଧ କରନ୍ତି। ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, ସେମାନେ ଏହାକୁ ନ୍ୟାୟସଙ୍ଗତ କରିବା ପାଇଁ ଯୁକ୍ତି ଉପସ୍ଥାପନ କରିବେ। ତେବେ କୌଣସି କଥା ଗୁରୁତ୍ୱପୂର୍ଣ୍ଣ ନୁହେଁ। ବାସ୍ତବତା ହେଉଛି, ଦୁର୍ନୀତି ଏବଂ ଅକ୍ଷମତା ସତ୍ତ୍ୱେ ଶିକ୍ଷାମନ୍ତ୍ରୀଙ୍କୁ ପଦବୀରେ ରଖାଯାଇଛି।
ଦ୍ୱିତୀୟ କଥା ହେଉଛି, ଭାରତରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନକୁ ନିଷେଧ କରାଯାଇଛି, କାରଣ ଆମେ କେବଳ ଆଂଶିକ ଭାବେ ଗଣତନ୍ତ୍ର। ବିଭିନ୍ନ ଆନ୍ତର୍ଜାତିକ ସୂଚକାଙ୍କ ମଧ୍ୟ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି ଏବଂ ଏହାର ପ୍ରମାଣ ଆମ ସାମ୍ନାକୁ ପ୍ରତିଦିନ ଆସୁଛି। ଶାନ୍ତିପୂର୍ଣ୍ଣ ଭାବେ ଏକତ୍ରିତ ହେବା (ଧାରା ୧୯) ଭଳି ମୌଳିକ ଅଧିକାର ସରକାରଙ୍କ ପାଇଁ ବିରକ୍ତିକର ବିଷୟ ହୋଇଗଲା ଏବଂ ତା’ପରେ ତାହାର ଆପରାଧୀକରଣ କରାଯାଇଛି। ଯେଉଁ ଦେଶ ନିଜକୁ ‘ଗଣତନ୍ତ୍ରର ଜନନୀ’ ବୋଲି କହେ, ସେହି ଦେଶ ଏବେ ନିଜ ନାଗରିକମାନେ କୌଣସି ପ୍ରସଙ୍ଗରେ ଅସହମତି ପ୍ରକାଶ କଲେ ସେମାନଙ୍କ ପ୍ରତି ଅତ୍ୟନ୍ତ ଅସହିଷ୍ଣୁ ହୋଇଯାଉଥିବା ଲକ୍ଷ୍ୟ କରାଯାଉଛି। ନ୍ୟାୟପାଳିକା ଏବଂ କାର୍ଯ୍ୟପାଳିକା ଶାନ୍ତିପୂର୍ଣ୍ଣ ପ୍ରତିବାଦ ପାଇଁ ଉପଲବ୍ଧ ସ୍ଥାନକୁ କ୍ରମାଗତ ଭାବରେ ସୀମିତ କରିଦେଇଛନ୍ତି। ମୁମ୍ବାଇରେ ଆଜାଦ ମୈଦାନ, ବେଙ୍ଗାଲୁରୁରେ ଫ୍ରିଡମ୍‌ ପାର୍କ ଏବଂ ଦିଲ୍ଲୀରେ ଜନ୍ତରମନ୍ତରରେ ଏହା ସୀମାବଦ୍ଧ। ଏବେ ଭାରତୀୟଙ୍କୁ ଜଣାଇ ଦିଆଯାଇଛି ଯେ, ଏହି ନିର୍ଦ୍ଧାରିତ ଅଞ୍ଚଳ ବା ସ୍ଥାନଗୁଡ଼ିକରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଗ୍ରହଣୀୟ ନୁହେଁ।
ତୃତୀୟ କଥା ହେଉଛି, ଯେତେବେଳେ ବିକ୍ଷୋଭକାରୀଙ୍କ ପାଖରେ ଦୃଢ଼ ସଂକଳ୍ପ ଏବଂ ଠିକ୍‌ ରଣନୀତି ଥାଏ, ସେମାନେ ପ୍ରାୟତଃ ବିଜୟୀ ହୁଅନ୍ତି ଏବଂ ସରକାରଙ୍କୁ ପଛକୁ ହଟିବାକୁ ବାଧ୍ୟ କରନ୍ତି। କୃଷି ଆଇନ ପ୍ରସଙ୍ଗରେ କୃଷକମାନେ ଘେରାଉ କରି ଅତି ଚମତ୍କାର ଭାବେ ଏହା କରି ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅଣଦେଖା କରି ବସି ରହିବାକୁ ଚେଷ୍ଟା କଲେ, ବିଫଳ ହେଲେ ଏବଂ ଶେଷରେ କେବଳ ସେମାନଙ୍କ ଆଗରେ ଆତ୍ମସମର୍ପଣ କଲେନାହିଁ ବରଂ କ୍ଷମା ମାଗିଲେ। ଏହିପରି, ଜାତୀୟ ନାଗରିକ ପଞ୍ଜୀକରଣ (ଏନ୍‌ଆର୍‌ସି) ବିରୋଧୀ ଆନ୍ଦୋଳନର ସଫଳତା ଯୋଗୁ ଆଜି ପର୍ଯ୍ୟନ୍ତ ଅନେକ ଲକ୍ଷ ଭାରତୀୟଙ୍କୁ ନେଇ କୌଣସି ଅଟକ ଶିବିର ସ୍ଥାପିତ ହୋଇନାହିଁ। ସବୁଠାରୁ ଦମନକାରୀ ଏବଂ ଅତ୍ୟାଚାରୀ ଶାସନରେ ମଧ୍ୟ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଏମିତିି ପ୍ରଭାବ ପକାଏ, ଯାହାକୁ ବଳପ୍ରୟୋଗରେ ଦବାଇ ଦିଆଯାଇପାରେ ନାହିଁ। ଏହି କାରଣରୁ ଆଜି ମଧ୍ୟ ସାରା ବିଶ୍ୱ ତିଆନାନମେନ୍‌ ସ୍କୋୟାର ଆନ୍ଦୋଳନକୁ ମନେରଖିଛି। ଯେଉଁମାନେ ସାହସର ସହିତ ସ୍ବର ଉଠାନ୍ତି ସେମାନେ ପରିଣାମ ଭୋଗକଲେ ମଧ୍ୟ ସେମାନଙ୍କ କାହାଣୀ ଇତିହାସରେ ଲିପିବଦ୍ଧ ହୋଇଯାଏ। ଏହା ହିଁ ପ୍ରକୃତ କାରଣ, ଯେଉଁଥିପାଇଁ ସରକାର ୱାଙ୍ଗଚୁକଙ୍କ ଆମରଣ ଅନଶନକୁ ପଣ୍ଡ କରିଦେଲେ। ଯେଉଁମାନେ ନିରାଶ ହୋଇଯାଉଥିଲେ ଯେ ଏହାଦ୍ୱାରା କିଛି ହାସଲ ହେଉନାହିଁ, ସେମାନେ ଦେଖିପାରି ନ ଥିଲେ, ଗଠନମୂଳକ ଭାବେ ଏହି ଆନ୍ଦୋଳନ ସପକ୍ଷରେ ସବୁକିଛି ଥିଲା। ଏହା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଏହା ପ୍ରତି ସହାନୁଭୂତି ମଧ୍ୟ ଥିଲା।
ତେବେ ଆଗକୁ କ’ଣ ହେବ? ସରକାରଙ୍କ ପାଇଁ ସମସ୍ୟା ହେଉଛି ଯେ, ଆନ୍ଦୋଳନକାରୀମାନେ ତାଙ୍କୁ ଅଧିକ ସୁଯୋଗ ଦେଇନାହାନ୍ତି। କକ୍‌ରୋଚ ଜନତା ପାର୍ଟିର ଦାବି ସୀମିତ, ଯୁକ୍ତିଯୁକ୍ତ ଏବଂ ତାହା ହେଉଛି ଦାୟିତ୍ୱରେ ଥିବା ମନ୍ତ୍ରୀଙ୍କୁ ହଟାଅ। ସରକାରଙ୍କ ପ୍ରତିକ୍ରିୟାରୁ ଯେତିକି ବୁଝାପଡୁଛି ତାହା ହେଉଛି- ହଁ, ସମସ୍ୟା ଅଛି, କିନ୍ତୁ ଆମେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ନାହିଁ। ଦାବି ଗ୍ରହଣଯୋଗ୍ୟ ନୁହେଁ ବୋଲି ବିକ୍ଷୋଭକାରୀମାନେ ଜାଣନ୍ତି। ହେଲେ ଏହି ସ୍ଥିତି ଦୀର୍ଘ ସମୟ ଧରି ରହିପାରିବ ନାହିଁ ବୋଲି ସେମାନେ ଭଲଭାବେ ବୁଝିଛନ୍ତି। ହେଲେ ସ୍ଥିତି ଓ ଏବକାର ଗତି ସେମାନଙ୍କ ପକ୍ଷରେ ଅଛି। ଶେଷରେ, ଆନ୍ଦୋଳନ ଯେମିତି ବି ଶେଷ ହେଉନା କାହିଁକି, ଏଥିରେ ସାମିଲ ଯୁବକମାନେ ଭାରତ ସରକାର, ଭାରତୀୟ ନ୍ୟାୟପାଳିକା, ଭାରତୀୟ ଗଣମାଧ୍ୟମ, ଭାରତୀୟ ପୋଲିସ, ଭାରତୀୟ ଆଇନ ଏବଂ ବାସ୍ତବରେ ଭାରତୀୟ ସମାଜର ଆବଶ୍ୟକତା ବିଷୟରେ ଜାଣିପାରିବେ। ଆମେ ଯେତେ ବୟସ୍କ ବା ଜ୍ଞାନୀ କିମ୍ବା ବିଜ୍ଞ ହୋଇଥାଉନା କାହିଁକି ଏହି ଅନୁଭବ ଆମ ପାଖକୁ ଆସିପାରିବ ନାହିଁ।
Email:aakar.patel@gmail.com

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।