ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

Jul 22, 2026 - 09:56
ଆନ୍ଦୋଳନକୁ ନେଇ କଂଗ୍ରେସ କଲା ବଡ଼ ପ୍ଲାନ! ଛାନିଆ ହେଲେ କେନ୍ଦ୍ର ସରକାର, ରାଜନୀତିରେ ଚହଳ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ ନିଟ୍ (NEET) ପେପର୍ ଲିକ୍ ବିରୋଧରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକ ନୂଆ ଜୀବନ ସଞ୍ଚାର କରୁଛି। ଜୁଲାଇ ୨୦ ତାରିଖରେ କାକରୋଚ୍ ଜନତା ପାର୍ଟି (CJP) ର ବିକ୍ଷୋଭକାରୀଙ୍କ ଦ୍ୱାରା ସଂସଦ ଭବନ ଆଡ଼କୁ ମାର୍ଚ୍ଚ ଏବଂ ଘେରାଉ ଉଦ୍ୟମ ପରେ ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ଯେଉଁଭଳି ଭାବେ ଏହି ମୁଦ୍ଦାକୁ ଆପଣେଇଛି, ସେଥିରୁ ଏହା ପ୍ରମାଣିତ ହେଉଛି। ବିରୋଧୀ ଦଳ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ ଏହି ମୁଦ୍ଦାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି।

ଛାତ୍ରଛାତ୍ରୀଙ୍କ ଉପରେ ଲାଠିଚାର୍ଜ ପରେ ଗତକାଲି ଅର୍ଥାତ୍ ମଙ୍ଗଳବାର ଦିନ କଂଗ୍ରେସ ସାଂସଦ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ଅନେକ ସାଂସଦ ପ୍ରଧାନମନ୍ତ୍ରୀଙ୍କ ବାସଭବନ (ଲୋକ କଲ୍ୟାଣ ମାର୍ଗ) ବାହାରେ ଧାରଣା ଦେଇଥିଲେ। ଏହି ସମୟରେ ରାହୁଲଙ୍କ ସହିତ ପ୍ରିୟଙ୍କା, ମଲ୍ଲିକାର୍ଜୁନ ଖଡ୍ଗେ, କେ.ସି. ଭେଣୁଗୋପାଳଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। ଦିଲ୍ଲୀ ପୋଲିସ ସମସ୍ତଙ୍କୁ ସେଠାରୁ ହାଜତକୁ ନେଇଥିଲା। ତେବେ ପରବର୍ତ୍ତୀ ସମୟରେ ସମସ୍ତ ନେତାଙ୍କୁ ଛାଡ଼ି ଦିଆଯାଇଥିଲା।

କଂଗ୍ରେସ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛି। ଅନ୍ୟପଟେ, ଆଜି ସକାଳ ୧୦ଟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେଙ୍କ ଚାମ୍ବରରେ ‘ଇଣ୍ଡିଆ’ (INDIA) ମେଣ୍ଟର ବୈଠକ ହେବ। ଛାତ୍ରଛାତ୍ରୀଙ୍କ ମୁଦ୍ଦାରେ କଂଗ୍ରେସ ଆଜି କଳା ପଟି ବାନ୍ଧି ସାରା ଦେଶରେ ବିରୋଧ ପ୍ରଦର୍ଶନ କରିବ। ମିଳିଥିବା ସୂଚନା ଅନୁଯାୟୀ, କଂଗ୍ରେସ ଏକ ନିଆରା ପ୍ରତିବାଦର ଯୋଜନା କରୁଛି। କଂଗ୍ରେସ ସମସ୍ତ ରାଜ୍ୟ ଶାଖାକୁ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛି। ଗତକାଲି ମଧ୍ୟ ଅନେକ ରାଜ୍ୟରେ କଂଗ୍ରେସ ଏହି ମୁଦ୍ଦାକୁ ନେଇ ବିରୋଧ ପ୍ରଦର୍ଶନ କରିଥିଲା।

ସୂଚନାଯୋଗ୍ୟ ଯେ, ଆଜି ଅର୍ଥାତ୍ ବୁଧବାର ସଂସଦର ମୌସୁମୀ ଅଧିବେଶନର ତୃତୀୟ ଦିନ। କଂଗ୍ରେସ କ୍ରମାଗତ ଭାବେ ସଂସଦରେ ନିଟ୍ ପେପର ଲିକ୍ ମୁଦ୍ଦାରେ ଆଲୋଚନା ଦାବି କରୁଛି। ଏହା ସହିତ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମଧ୍ୟ ଅଡ଼ି ବସିଛି। ମୌସୁମୀ ଅଧିବେଶନର ଗତ ଦୁଇ ଦିନ ହଙ୍ଗାମାପୂର୍ଣ୍ଣ ରହିଥିଲା।

ସଂସଦର ମୌସୁମୀ ଅଧିବେଶନ ମଧ୍ୟରେ କଂଗ୍ରେସର ଏହି ଧାରଣା ପ୍ରଦର୍ଶନ ବିରୋଧୀଙ୍କ ରଣନୀତିକୁ ଦର୍ଶାଉଛି। ଅନ୍ୟପଟେ, ଜନ୍ତର ମନ୍ତରରେ ସିଜେପି (CJP) ବ୍ୟାନର ତଳେ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜାରି ରହିଛି। ହଜାର ହଜାର ଛାତ୍ରଛାତ୍ରୀ ସେଠାରେ ଡେରା ପକାଇଛନ୍ତି। ସେହିପରି, ସୋନମ ୱାଙ୍ଗଚୁକ ମଧ୍ୟ ଏହି ମୁଦ୍ଦାରେ ଗତ ୨୫ ଦିନ ହେବ ଅନଶନ କରୁଛନ୍ତି। ଗତକାଲି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତାଙ୍କୁ ସଫଦରଜଙ୍ଗ ହସପିଟାଲରୁ ମେଦାନ୍ତକୁ ସିଫ୍ଟ କରାଯାଇଛି। ଜେ.ପି. ନଡ୍ଡା ଏବଂ ଜିତେନ୍ଦ୍ର ସିଂହ ତାଙ୍କୁ ସାକ୍ଷାତ ମଧ୍ୟ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।