ଆଜି ସୋସିଆଲ ମିଡିଆ ଦିବସ, ସୋସିଆଲ ମିଡିଆ ଡିଜିଟାଲ ଯୁଗରେ ଅବିଚ୍ଛେଦ୍ୟ ଅଙ୍ଗ

Jun 30, 2026 - 09:41
ଆଜି ସୋସିଆଲ ମିଡିଆ ଦିବସ, ସୋସିଆଲ ମିଡିଆ ଡିଜିଟାଲ ଯୁଗରେ ଅବିଚ୍ଛେଦ୍ୟ ଅଙ୍ଗ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଆଜିର ଡିଜିଟାଲ ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି। ଫେସ୍‌ବୁକ, ଇନ୍‌ଷ୍ଟାଗ୍ରାମ୍‌, ଏକ୍ସ, ୟୁଟ୍ୟୁବ୍‌, ହ୍ବାଟ୍ସଆପ୍‌, ଲିଙ୍କଡ୍‌ଇନ ଭଳି ପ୍ଲାଟଫର୍ମଗୁଡ଼ିକ କେବଳ ବନ୍ଧୁ ଓ ପରିବାର ସହ ଯୋଗାଯୋଗର ମାଧ୍ୟମ ନୁହେଁ ବରଂ ଶିକ୍ଷା, ବ୍ୟବସାୟ, ସାମ୍ବାଦିକତା, ମନୋରଞ୍ଜନ ଏବଂ ସାମାଜିକ ସଚେତନତାର ଏକ ଶକ୍ତିଶାଳୀ ମଞ୍ଚରେ ପରିଣତ ହୋଇଛି। ତେଣୁ ପ୍ରତିବର୍ଷ ଜୁନ ୩୦କୁ ‘ବିଶ୍ୱ ସୋସିଆଲ ମିଡିଆ ଦିବସ’ ଭାବେ ପାଳନ କରାଯାଉଛି। ୨୦୧୦ରେ ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍‌ସାଇଟ ମାସେବଲ୍‌ ଏହି ଦିବସ ପାଳନର ଆରମ୍ଭ କରିଥିଲା। ସୋସିଆଲ ମିଡିଆ ମାଧ୍ୟମରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକ ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ-ପ୍ରଦାନ ଓ ସକାରାତ୍ମକ ପରିବର୍ତ୍ତନକୁ ଉତ୍ସାହିତ କରିବା ହେଉଛି ଏହି ଦିବସର ମୂଳ ଉଦ୍ଦେଶ୍ୟ। ସେହିପରି ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନା ପ୍ରସାର ଏବଂ ଛୋଟ ବ୍ୟବସାୟର ପ୍ରଚାରରେ ସୋସିଆଲ ମିଡିଆର ଭୂମିକା ଅତୁଳନୀୟ। ଏହା ଅନେକ ଯୁବପିଢ଼ିଙ୍କ ପାଇଁ ରୋଜଗାର ଓ ଉଦ୍ୟମିତାର ନୂଆ ଦ୍ୱାର ଖୋଲିଛି। ଏବେକାର ସମୟରେ ଅନେକ କଣ୍ଟେଣ୍ଟ କ୍ରିଏଟର୍‌, ବ୍ୟବସାୟୀ ପ୍ରମୁଖ ସୋସିଆଲ ମିଡିଆ ଜରିଆରେ ସଫଳତା ହାସଲ କରୁଛନ୍ତି। ତେବେ ସୋସିଆଲ ମିଡିଆର ଅନେକ ସକାରାତ୍ମକ ଦିଗ ସହ କେତେକ ପ୍ରମୁଖ ଚ୍ୟାଲେଞ୍ଜ ମଧ୍ୟ ରହିଛି। ଭୁଲ୍‌ ଖବର ବା ଫେକ୍‌ ନ୍ୟୁଜ, ସାଇବର ଠକେଇ, ଅନଲାଇନ୍‌ ହଇରାଣ, ଗୋପନୀୟତା ଉଲ୍ଲଂଘନ ଏବଂ ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ମାନସିକ ସ୍ବାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଉଛି।

 

Dharitri – Odisha’s No.1 Odia Daily