ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

Jun 30, 2026 - 10:38
ଆନ୍ଧ୍ର ପୋଲିସ ମାଡ଼ରେ ୨ ଓଡ଼ିଆ ଯୁବକ ଗୁରୁତର, ଗଞ୍ଜେଇ ଚାଲାଣକାରୀ କହି ଉଠାଇ ନେଇଥିବା ଅଭିଯୋଗ

ନନ୍ଦପୁର,୩୦।୬(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତ ସୁରୁମି ଗ୍ରାମର ୨ ଯୁବକଙ୍କୁ ଆନ୍ଧ୍ର ମୁଚିମପୁଟ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଦର୍ଶାଇ ମାଡମାରି ଗୁରୁତର କରିଥିବା ରବିବାର ଅଭିଯୋଗ ହୋଇଛି। ଏ ନେଇ ୨ ଯୁବକ ମାଛକୁଣ୍ଡ ଥାନାରେ ଏତଲା ଦେଇଛନ୍ତି।
ସୂଚନାନୁଯାୟୀ, ସୁରୁମି ଗ୍ରାମର ରାମମୂର୍ତ୍ତି ନୀରିକି(୩୨) ଓ ଗୋଡ଼ିହଞ୍ଜ ଗ୍ରାମର ଯୁବକ ସୁରେଶ ଖିଲ (୩୯) ଆନ୍ଧ୍ର ମକାଉରାମ ପଞ୍ଚାୟତ କୁମ୍ଭୀରପଡ଼ା ଗ୍ରାମର ଜଣେ ସମ୍ପର୍କୀୟଙ୍କୁ ଦେଖିବାକୁ ଶନିବାର ଯାଇ କାର ଯୋଗେ ଘରକୁ ଫେରୁଥିଲେ। ଏହି ସମୟରେ ଆନ୍ଧ୍ର ମୁଚିମପୁଟ ଥାନା ଏସ୍‌ଆଇ ନାନୀ ବାବୁ ଓ ଟିମ୍‌ ସେମାନଙ୍କୁ ବଣ୍ଡରୁଗୁଡ଼ା ଛକରେ ଅଟକାଇ ଗାଡ଼ି ଯାଞ୍ଚ କରିଥିଲେ। ଗାଡ଼ିରେ କିଛି ସନ୍ଦେହ ଜନକ ଜିନିଷ ପାଇ ନ ଥିଲେ ସୁଦ୍ଧା ଗଞ୍ଜେଇ ଚାଲାଣକାରୀ କହି ସେମାନଙ୍କୁ ମୁଚିମପୁଟ ଥାନାକୁ ଜବରଦସ୍ତ ନେଇଥିଲେ। କିଛି ସମୟ ପରେ ୨ଜଣଙ୍କୁ ଥାନା ପାର୍ଶ୍ୱ ଏକ ପରିତ୍ୟକ୍ତ ଗୃହକୁ ନେଇ ବାନ୍ଧି ୫ ଦିନ ଅଟକ ରଖିଥିଲେ। ଖାଇବାକୁ ନ ଦେଇ ମାଡ଼ ମାରିଥିବା ଏତଲାରେ ଉଲ୍ଲେଖ କରାଯାଇଛି। ସେମାନଙ୍କୁ ଗଞ୍ଜେଇ ଚୋରା ଚାଲାଣ କରୁଥିବା କଥା ମାନିବାକୁ ବାଧ୍ୟ କରିଥିଲେ। ମାଡ଼ ମାରିବା ସହ ପଥରରେ ହାତ ଆଙ୍ଗୁଠିକୁ ଛେଚିବା ଆଦି ନିର୍ଯାତନା ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଏନନକାଉଣ୍ଟର କରିବାକୁ ଧମକ ମଧ୍ୟ ଦେଇଥିବା କହିଛନ୍ତି। ଖବର ପାଇ ପରିବାର ଲୋକେ ମୁଚିମପୁଟ ଥାନାକୁ ଯିବାରୁ ସେମାନଙ୍କୁ ଡରାଇ ୨ଜଣଙ୍କୁ ଛାଡ଼ିବାକୁ ୩ ଲକ୍ଷ ଟଙ୍କା ଦେବାକୁ ମୁଚିମପୁଟ ପୋଲିସ ଦାବି କରିଥିଲା। ପରିବାର ଲୋକେ ଧାର କରି ୨ ଲକ୍ଷ ୫୦ ହଜାର ଟଙ୍କା ନେଇ ଦେବାରୁ ଶନିବାର ସେମାନଙ୍କୁ ଛାଡ଼ିଥିବା ସୂଚନା ଦେଇଛନ୍ତି। ବଳକା ୫୦ ହଜାର ଟଙ୍କା ଦେଲେ ମୋବାଇଲ ଓ କାର ଫେରାଇବାକୁ ମୁଚିମପୁଟ ଏସ୍‌ଆଇ ବାବୁ କହିଥିବା ସେମାନେ କହିଛନ୍ତି।

 

Dharitri – Odisha’s No.1 Odia Daily