ଆଜି ଶ୍ରୀମନ୍ଦିରରେ ରୁକ୍ମିଣୀ ବିବାହ ନୀତି ,୫ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଋକ୍ମିଣୀ ହରଣ ନୀତି । ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଋକ୍ମିଣୀ ହରଣ ଏବଂ ବିବାହ ଉତ୍ସବ ନୀତି ପାଳନ କରାଯିବାର ପରମ୍ପରା ରହିଆସିଛି । ମହାପ୍ରଭୁ ଶ୍ରୀକୃଷ୍ଣ-ଦେବୀ ରୁକ୍ମିଣୀଙ୍କ ବିବାହ ନୀତି ଉତ୍ସବ ଅବସରରେ ଶ୍ରୀମନ୍ଦିର ପରିବେଶ ଭକ୍ତି ଓ ଉତ୍ସାହରେ ଉଜ୍ଜ୍ୱଳ ହୋଇଉଠିଛି । ନୀତି ଅନୁଯାୟୀ ମା’ ଲକ୍ଷ୍ମୀ ରୁକ୍ମିଣୀ ରୂପେ ଏବଂ ଶ୍ରୀମଦନମୋହନ ଶ୍ରୀକୃଷ୍ଣ ରୂପେ ସଜି ଏହି ପବିତ୍ର ବିବାହ ଉତ୍ସବରେ ଅଂଶଗ୍ରହଣ କରିବେ । ଏହା ଶ୍ରୀମନ୍ଦିରର ପ୍ରାଚୀନ ପରମ୍ପରାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଆକର୍ଷଣୀୟ ନୀତିକାନ୍ତି ମଧ୍ୟରୁ ଗୋଟିଏ ।
ନୀତିକାନ୍ତି ସମୟରେ ସୁରକ୍ଷା ଓ ପରମ୍ପରା ରକ୍ଷା ପାଇଁ ପ୍ରାୟ ୫ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ । ଅପରାହ୍ନ ଦିନ ୧ ଟାରୁ ୬ ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।
ଏହି ଦିନ ସକାଳଧୂପ ପୂଜା ବସିଥିବା ସମୟରେ ଦକ୍ଷିଣୀ ଘରୁ ଶ୍ରୀମଦନମୋହନ ବେଶ କରାଯାଇଥାଏ । ପରେ ପର୍ଯ୍ୟାୟକ୍ରମେ ଅନ୍ୟ ସମସ୍ତ ନୀତିକାନ୍ତି କରାଯାଇ ସଂଧ୍ୟାରେ ମହାପ୍ରଭୁଙ୍କ ସହ ଦେବୀ ଋକ୍ମିଣୀଙ୍କ ବିବାହ ନୀତି ସମାପିତ ହୋଇଥାଏ । ସକାଳ ଧୂପ ବଢ଼ିଲା ପରେ ପୂଜାପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ଶ୍ରୀଦେବୀଙ୍କୁ ପ୍ରଦାନ କରିବା ପରେ ମହାଜନ ସେବକମାନେ ଶ୍ରୀଦେବୀଙ୍କୁ ବିଜେ କରାଇ ସାତ ପାହାଚଠାରେ ଥିବା ପାଲିଙ୍କିରେ ଅଧିଷ୍ଠିତ କରାନ୍ତି । ଏହାପରେ ବିମାନବଡୁମାନେ ପାଲିଙ୍କିକୁ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟକୁ ନେଇଥାନ୍ତି । ମହାଲକ୍ଷ୍ମୀଙ୍କ ଜଗମୋହନରେ ପଡିଥିବା ଖଟ ଉପରେ ଶ୍ରୀଦେବୀଙ୍କୁ ପଞ୍ଚାମୃତରେ ମହାସ୍ନାନ ହୋଇ ମାର୍ଜଣା, ବନକଲାଗି ଓ ଅଳଙ୍କାର ଲାଗି ହୋଇଥାନ୍ତି । ଏହି ବେଶ ହେବା ସମୟରେ ତଢ଼ାଉ କରଣ ତାଳପତ୍ର ଓ ଲେଖନୀ ନେଇ ଉପସ୍ଥିତ ହୁଅନ୍ତି । ପରେ ବିମାନବଡୁ ସେବକ ପାଲିଙ୍କିକୁ ମହାଲକ୍ଷ୍ମୀ ମନ୍ଦିରକୁ ବିଜେ କରାଇ ଅନ୍ୟାନ୍ୟ ନୀତି ବଢିବା ପରେ ବେଶ ସମ୍ପର୍ଣ୍ଣ ହେବ। ପୁନର୍ବାର ଅନ୍ୟାନ୍ୟ ନୀତି ବଢ଼ି ଶ୍ରୀବିଗ୍ରହ ମାନଙ୍କ ମହାସ୍ନାନ ହୋଇ ନୂଆ ଲୁଗା ଲାଗି କରାଯିବ। ସନ୍ଧ୍ୟାଧୂପ ନୀତି ବଢ଼ି ସାରିବା ପରେ ମହାପ୍ରଭୁଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ।
ଦେଦମ୍ପତ୍ତି ବିବାହ ଉପଲକ୍ଷେ ଆଜି ସକାଳୁ ସିଂହଦ୍ୱାର ସମ୍ମୁଖରେ ତେଲିଙ୍ଗି ବାଜା, ଯୋଡ଼ି ଶଂଖ ଓ ମହୁରୀର ସୁରିଲା ସ୍ୱରରେ ପରିବେଶ ଗୁଞ୍ଜରିତ ହୋଇଉଠିଛି । ଭକ୍ତମାନେ ଦୂରଦୂରାନ୍ତରୁ ଆସି ଏହି ଦିବ୍ୟ ଦୃଶ୍ୟ ଦେଖିବାକୁ ଅପେକ୍ଷାରେ ରହିଛନ୍ତି ।