ଆଜି ପବିତ୍ର ହେରା ପଞ୍ଚମୀ ,ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ

Jul 20, 2026 - 12:26
ଆଜି ପବିତ୍ର ହେରା ପଞ୍ଚମୀ ,ଭିଭିଆଇପିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ

ପୁରୀ : ଆଜି ପବିତ୍ର ହେରାପଞ୍ଚମୀ । ଘୋଷଯାତ୍ରାର ପଞ୍ଚମ ଦିବସରେ ଅଭିମାନିନୀ ମା' ମହାଲକ୍ଷ୍ମୀ ମହାପ୍ରଭୁ ଜଗନ୍ନାଥଙ୍କର ରଥ ଭାଙ୍ଗିବାର ପରମ୍ପରା ରହିଛି । ମହାପ୍ରଭୁ ଜଗନ୍ନାଥ ଜଗତଜନନୀ ମହାଲକ୍ଷ୍ମୀଙ୍କୁ ଛାଡି ଭାଇ ଭଉଣୀଙ୍କୁ ଧରି ନବଦିନାତ୍ମକ ମାଉସୀମା' ଘରକୁ ଆସିଥିବାରୁ ଅଭିମାନ କରିଥାନ୍ତି ଶ୍ରୀଦେବୀ । ଏଥିରେ ରାଗିଯାଇ ରାତିରେ ଆସି ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ । ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ । ଆଜି ସଂଧ୍ୟା ଆଳତୀ ପରେ ବିମାନରେ ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ । ନନ୍ଦିଘୋଷ ରଥ ନିକଟରେ ମହାଲକ୍ଷ୍ମୀ ପହଞ୍ଚିବା ପରେ ପତ୍ତିମହାପାତ୍ର ସେବାୟତ କର୍ପୂର ବନ୍ଦାପନା,ବଳିତା ବନ୍ଦାପନା,ଚାଉଳ ବନ୍ଦାପନା ଇତ୍ୟାଦି କରିବେ ।

ସେପଟେ ଗୁଣ୍ଡିଚା ମନ୍ଦିରକୁ ମହାଲକ୍ଷ୍ମୀ ଯିବାବେଳେ ମହାପ୍ରଭୁଙ୍କ ଠାରୁ ମୁଖଚୁମ୍ବିତ ଅଧରମାଳା ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ । ସେହି ସମୟରେ ସଂଧ୍ୟାଧୂପ ଚାଲିଥିବା ବେଳେ ଟେରା ପଡିଥିବ । ମହାପ୍ରଭୁଙ୍କ ଭେଟ ନପାଇ ରାଗରେ ଅଭିମାନ କରିବେ ମା ମହାଲକ୍ଷ୍ମୀ । ସେପଟେ ରାଗ ଜର୍ଜରିତ ଅଭିମାନୀନି ମହାଲକ୍ଷ୍ମୀ ନାକଚଣା ଦ୍ୱାର ଦେଇ ପ୍ରସ୍ଥାନ କରିବା ସମୟରେ ଭିତରଚ୍ଛ ମହାପାତ୍ର ଦହିପଟି ମଣୋହି ନୀତି କରିବେ । ଏହାପରେ ଅଭିମାନୀନି ମହାଲକ୍ଷ୍ମୀ ନନ୍ଦିଘୋଷ ରଥର ଚକ ଭାଙ୍ଗି।ବଡଦାଣ୍ଡ ଦେଇ ହେରାଗୋହିରୀ ସାହି ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରସ୍ଥାନ କରିବେ । ଏହାପରେ ତିନିରଥକୁ ଦକ୍ଷିଣମୋଡ କରି ମହାପ୍ରଭୁ ବାହୁଡାଯାତ୍ରା ପାଇଁ ନିର୍ଦ୍ଦେଶ ଦେବେ ।

ସେପଟେ, ଆଡ଼ପ ମଣ୍ଡପରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟଜିତ ନାଏକ ପ୍ରତିକ୍ରିୟା ରଖି କହିଛନ୍ତି ହେରାପଞ୍ଚମୀ ପାଇଁ ଅଧିକ ଭକ୍ତ ଆସିବେ । ସେଥିପାଇଁ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ୮ ଭାଗରେ ବିଭକ୍ତ କରାଯାଇଛି । ଯଥେଷ୍ଟ ପୋଲିସ ଫୋର୍ସ ଅଛନ୍ତି । ରାତିରେ ହେରାପଞ୍ଚମୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ଏହାସହ ମଙ୍ଗଳବାର ରଥ ଦକ୍ଷଣ ମୋଡ଼ ପାଇଁ ୫୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ପ୍ରଶାସନ ତରଫରୁ ଦିଆଯାଇଥିବା ନିୟମକୁ ମାନିବାକୁ ଲୋକ ମାନଙ୍କୁ ଅନୁରୋଧ କଲେ କେନ୍ଦ୍ରାଞ୍ଚଳ ଆଇଜି ।

ସେପଟେ ଭିଆଇପି ଦର୍ଶନ ନାଁରେ ଅନଲାଇନ ମାଧ୍ୟମରେ ବିଜ୍ଞାପନ ଘଟଣାକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ଥାନାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ eoOdisha ନାଁରେ ଏତଲା ଦିଆଯାଇଛି । ଭିଆଇପି ଦର୍ଶନ ପାଇଁ ଆମର କୌଣସି ବ୍ୟବସ୍ଥା ନାହିଁ । ସେଥିପାଇଁ ଆମର କୌଣସି ନିୟମ ମଧ୍ୟ ନାହିଁ ।

ରବିବାର ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ସୋମବାର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା' ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମା' ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ଥିବା ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବା ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।