ଆଜି ନବଯୌବନ ବେଶ ,ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

Jul 14, 2026 - 12:27
ଆଜି ନବଯୌବନ ବେଶ ,ଦୀର୍ଘ ୧୪ ଦିନ ପରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ : ସମାପନ ହୋଇଛି ମହାପ୍ରଭୁଙ୍କ ଅଣସର ନୀତି । ସୁସ୍ଥ ହୋଇ ଆଜି ନବଯୌବନ ବେଶରେ ଭକ୍ତମାନଙ୍କୁ ପ୍ରଥମ ଦର୍ଶନ ଦେବେ ଚତୁର୍ଦ୍ଧାବିଗ୍ରହ । ମଙ୍ଗଳବାର ଦଇତାପତି ସେବକମାନେ ଚକା ଅପସାରଣ କରିବା ପରେ ଫିଟିବ ଅଣସର ତାଟି। ଏହାପରେ ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଅନବସର କାଳରେମହାପ୍ରଭୁ ଜ୍ୱରଲୀଳା କରୁଥିବା ବିଶ୍ୱାସ ରହିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହେ। ଏଥିସହ ଆଜି ନେତ୍ରୋତ୍ସବ ମଧ୍ୟ ରହିଛି। 

ଅନବସର କାଳରେ ମହାପ୍ରଭୁ ଜ୍ୱରଲୀଳା କରୁଥିବା ବିଶ୍ୱାସ ରହିଥିବାରୁ ସାଧାରଣ ଦର୍ଶନ ବନ୍ଦ ରହେ। ଏହି ସମୟରେ ଦଇତାପତି ସେବକମାନେ ଗୁପ୍ତ ନୀତି ଅନୁସାରେ ମହାପ୍ରଭୁଙ୍କ ସେବା କରିଥାନ୍ତି । ଅନବସର ଶେଷରେ ଶ୍ରୀଅଙ୍ଗରେ ନୂତନ ରଙ୍ଗ ଓ ଶୃଙ୍ଗାର ଲାଗିବା ପରେ ମହାପ୍ରଭୁ ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହା ପରେ ନେତ୍ରୋତ୍ସବ ନୀତି ସମ୍ପନ୍ନ ହୋଇ ରଥାରୋହଣ ପାଇଁ ମହାପ୍ରଭୁ ପ୍ରସ୍ତୁତ ହୁଅନ୍ତି । 


ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୧୫ରେ ଅଣସର ଘରେ ମହାପ୍ରଭୁଙ୍କ ଆସ୍ଥାନ ଚକା ଅପସାରଣ କରାଯିବ। ଦଶାବତାର ତଥା ପଟିଦିଅଁଙ୍କ ନିକଟରେ ମଙ୍ଗଳ ଆଳତି, ମଇଲମ ଏବଂ ଅବକାଶ ନୀତି ବଢ଼ିବ । ପଟି ଠାକୁର ମଣ୍ଡଣି ଘରକୁ, ଅନ୍ୟ ଦିଅଁ ଦକ୍ଷିଣୀ ଘରକୁ ବିଜେ କରିବା ପରେ ଅପରାହ୍ନ ୨ଟାରେ ଅଣସର ତାଟି ଫିଟିବ । ଅପରାହ୍ନ ସାଢ଼େ ୨ଟାରେ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହେବ । ଅପରାହ୍ନ ସାଢ଼େ ୨ଟାରୁ ପରିମାଣିକ ଦର୍ଶନ ଆରମ୍ଭ ହୋଇ ଗୋଟିଏ ଘଣ୍ଟା ଚାଲିବ। ପରିମାଣିକ ଦର୍ଶନ ପରେ ଭକ୍ତଙ୍କ ସାହାଣମେଲା ତଥା ସର୍ବସାଧାରଣ ଦର୍ଶନ ହେବ । ପରିମାଣିକ ଟିକେଟ ଧାରୀମାନେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିବେ । ଭିତରକାଠ ନିକଟରେ ସେମାନେ ଦର୍ଶନ କରିବେ । ସେହିପରି ଅପରାହ୍ନ ସାଢ଼େ ୩ରୁ ସାଢ଼େ ୪ଟା ପର୍ଯ୍ୟନ୍ତ ସର୍ବସାଧାରଣ ବା ସାହାଣମେଲା ଦର୍ଶନ ଭିତରକାଠ ନିକଟରୁ ହେବ। ଏହାପରେ ଆଉ ଦର୍ଶନ ହେବ ନାହିଁ। ତେବେ ସାହାଣମେଲା ଦର୍ଶନ ସରିବା ପରେ ଧୁଆ ହୋଇ ଚୂନପାଣି ପଡ଼ିବ। ଏହାପରେ ସର୍ବାଙ୍ଗ ବନ୍ଦାପନା ହେବ। ଏହି ନୀତି ବଢ଼ିବା ପରେ ନେତ୍ରୋତ୍ସବ ବନ୍ଦାପନା କରାଯିବ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।