ଆଗ୍ରାରେ ସ୍ୱାମୀଙ୍କୁ ୨୦ଟି ନିଦ ବଟିକା ଖୁଆଇ ହତ୍ୟା କଲା ସ୍ତ୍ରୀ

ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାରେ ନିକଟରେ ଘଟିଥିବା ଏକ ଜଘନ୍ୟ ହତ୍ୟାକାଣ୍ଡ ସଂପର୍କିତ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ସ୍ୱାମୀଙ୍କୁ ନିଦ ବଟିକା ଖୁଆଇ ହତ୍ୟା କରିବା ପରେ ଘରର ବାଥରୁମ୍ ତଳେ ପୋତିଦେଇଥିବା ଅଭିଯୋଗରେ ପୁଲିସ ମୃତକଙ୍କ ପତ୍ନୀଙ୍କୁ ଗିରଫ କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟା ପୂର୍ବରୁ ଅଭିଯୁକ୍ତ ସ୍ୱାମୀଙ୍କୁ ପ୍ରାୟ ୨୦ଟି ନିଦ ବଟିକା ଖୁଆଇଥିଲେ, ଯାହାଫଳରେ ସେ ଅଚେତ ହୋଇପଡ଼ିଥିଲେ। ପୁଲିସ ସୂଚନା ଅନୁସାରେ, ମୃତକଙ୍କ ନାମ ସୁରେନ୍ଦ୍ର ଶର୍ମା। ତାଙ୍କ ପତ୍ନୀ ରୁବି ଶର୍ମାଙ୍କ ବିରୋଧରେ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ରହିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରୁବି ପ୍ରଥମେ ସୁରେନ୍ଦ୍ରଙ୍କୁ ଖାଦ୍ୟରେ ନିଦ ବଟିକା ମିଶାଇ ଖୁଆଇଥିଲେ। ସେ ଅଚେତ ହେବା ପରେ ତାଙ୍କ ମୁହଁ ଓ ନାକ ଚାପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ତେବେ ମୃତ୍ୟୁର ଠିକ୍ କାରଣ ପୋଷ୍ଟମର୍ଟମ୍ ରିପୋର୍ଟ ପରେ ସ୍ପଷ୍ଟ ହେବ। ହତ୍ୟା ପରେ ରୁବି ଶର୍ମା ଘରର ବାଥରୁମ୍ ଭିତରେ ଏକ ଗଭୀର ଗାତ ଖୋଳି ସେଥିରେ ସୁରେନ୍ଦ୍ରଙ୍କ ମୃତଦେହକୁ ପୋତି ଦେଇଥିଲେ। ଏହାପରେ ସିମେଣ୍ଟ ଓ ଟାଇଲ୍ ଲଗାଇ ବାଥରୁମ୍କୁ ପୂର୍ବଭଳି କରିଦେଇଥିଲେ, ଯାହାଫଳରେ କାହାରି ସନ୍ଦେହ ହେବ ନାହିଁ। କିଛି ଦିନ ଧରି ସୁରେନ୍ଦ୍ରଙ୍କ ଖୋଜଖବର ନ ମିଳିବାରୁ ପରିବାର ସଦସ୍ୟମାନେ ପୁଲିସରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ପୁଲିସ ଘର ଯାଞ୍ଚ କରିବା ବେଳେ ବାଥରୁମ୍ର ନୂଆ ନିର୍ମାଣକୁ ନେଇ ସନ୍ଦେହ କରିଥିଲା। ଖୋଳାଖୋଳି କରାଯିବା ପରେ ସେଠାରୁ ସୁରେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିବା ବେଳେ ଫରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରୁ ବିଭିନ୍ନ ନମୁନା ସଂଗ୍ରହ କରିଛି। ପାରିବାରିକ ବିବାଦକୁ ହତ୍ୟାର ସମ୍ଭାବ୍ୟ କାରଣ ବୋଲି ମନେ କରାଯାଉଛି। ତେବେ ଏହା ପଛରେ ଅନ୍ୟ କୌଣସି କାରଣ କିମ୍ବା ଅନ୍ୟ କାହାର ସମ୍ପୃକ୍ତି ଅଛି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଚାଲିଛି।