ଆକାଶ କଇଁଆ ଚିଲିକା ମାଛ
ଆଧୁନିକ ସମାଜ ବିପର୍ଯ୍ୟୟର ବିବିଧ କାରଣ ଥିଲା ବେଳେ ନିଶାଗ୍ରସ୍ତ ସମାଜ ଏକ ପ୍ରମୁଖ କାରଣ। ନିଶା ଘର ଉଜାଡୁଛି, ଅକର୍ମଣ୍ୟ କରୁଛି, ଜୀବନ ମଧ୍ୟ ନେଉଛି। ସବୁଠି ମଦ, ଗୁଟ୍ଖା, ବିଡ଼ି, ସିଗାରେଟ, ବ୍ରାଉନ ସୁଗାର ପରି ମାରାତ୍ମକ ମାଦକ ଦ୍ରବ୍ୟ କାୟାବିସ୍ତାର କଲାଣି। ନିଶା ଅଭ୍ୟାସ କେବଳ ମଣିଷକୁ ଆର୍ଥିକ ରୂପେ ଦୁର୍ବଳ କରେ ନାହିଁ ବରଂ ମଣିଷକୁ ଅକର୍ମଣ୍ୟ କରି ଜୀବନ ମଧ୍ୟ ନେଇଯାଏ। ତେଣୁ ବିକଶିତ ଓଡ଼ିଶା ଗଠନ ରାସ୍ତାରେ ଏହା ଏକ କଣ୍ଟା ସଦୃଶ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁସାରେ ଭାରତରେ ପ୍ରତିବର୍ଷ ୨.୬ ଲକ୍ଷ ଲୋକଙ୍କ ମଦ୍ୟପାନଜନିତ ମୃତ୍ୟୁ ଘଟିଥିବା ବେଳେ ୧୩.୫ ଲକ୍ଷ ଲୋକ ଗୁଟ୍ଖା ଖାଇବା ଦ୍ୱାରା ମାରାତ୍ମକ କ୍ୟାନ୍ସରରେ ମୃତ୍ୟୁବରଣ କରୁଛନ୍ତି। ଏହା ଛଡ଼ା ନିଶା ସେବନ ଦ୍ୱାରା କ୍ୟାନ୍ସର, ଲିଭର୍ ସିରୋସିସ୍, କିଡ୍ନୀରେ ସମସ୍ୟା ପରି ମାରାତ୍ମକ ରୋଗ ହୋଇଥାଏ। ଏହାକୁ ଆଧାର କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ”ନିଶାମୁକ୍ତ ଭାରତ ଅଭିଯାନ“ ଅଗଷ୍ଟ ୧୫ ,୨୦୨୦ ମସିହାରୁ ଆରମ୍ଭ ହୋଇଆସୁଛି।
୨୦୧୩ରେ ତତ୍କାଳୀନ ଓଡ଼ିଶା ସରକାର ଓଡ଼ିଶାରେ ଗୁଟ୍ଖା ପ୍ରସ୍ତୁତି ଓ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ ମାତ୍ର ତାହା କେବଳ କାଗଜ କଲମରେ ସୀମିତ ଥିଲା। ସେହିପରି ବର୍ତ୍ତମାନ ସରକାର ଜାନୁଆରୀ ୨୦୨୬ରେ ଓଡ଼ିଶାରେ ଗୁଟ୍ଖା ପ୍ରସ୍ତୁତି, ବିକ୍ରୟ ଓ ଯୋଗାଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲେ। ମାତ୍ର ଫଳ ଯଥା ପୂର୍ବଂ ତଥା ପରଂ। ପରେ ନିକୋଟିନ୍ ମୁକ୍ତ ଗୁଟ୍ଖା ବିକ୍ରି କରାଯାଇ ପାରିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରକାଶ ପାଇବା ପରେ ଏବେ ସାରା ଓଡ଼ିଶା ଗୁଟ୍ଖା ପ୍ରସ୍ତୁତି କରୁଥିବା କମ୍ପାନୀଗୁଡ଼ିକ ଗୁଟ୍ଖା ଏବଂ ନିକୋଟିନକୁ ଅଲଗା କରି ବିକ୍ରି କରୁଛନ୍ତି। ଗୁଟ୍ଖା ପ୍ରସ୍ତୁତ କରୁଥିବା କମ୍ପାନୀ ନାମୀଦାମୀ କଳାକାରମାନଙ୍କୁ ନେଇ ବଡ଼ ବଡ଼ ହୋର୍ଡିଂ ଏବଂ ବିଜ୍ଞାପନ ମାଧ୍ୟମରେ ଯୁବ ପିଢ଼ିମାନଙ୍କୁ ଆକୃଷ୍ଟ କରୁଛନ୍ତି। ଯଦିଓ ସରକାରଙ୍କ ପକ୍ଷରୁ ବେଳେ ବେଳେ ଚଢାଉ କରାଯାଏ ଛୋଟ ବ୍ୟବସାୟୀମାନଙ୍କଠାରୁ କିଛି ଫାଇନ ଆଦାୟ କରାଯାଉଛି, ଯାହା କି ଏହାର ସମାଧାନ ନୁହେଁ।
ସଦ୍ୟ ପ୍ରକାଶିତ ନ୍ୟାଶନାଲ ଫ୍ୟାମିଲି ହେଲ୍ଥ ସର୍ଭେ (ଏନ୍ଏଫ୍ଏଚ୍ଏସ୍-୬)ର ତଥ୍ୟ ଆଧାରରେ ରାଜ୍ୟରେ ୧୫ ବର୍ଷରୁ ଊର୍ଦ୍ଧ୍ୱ୨୮.୮% ପୁରୁଷ ଏବଂ ୩.୧% ମହିଳା ମଦ୍ୟପାନ କରୁଛନ୍ତି। ସେହିପରି ରାଜ୍ୟରେ ୪୮.୩% ପୁରୁଷ ଏବଂ ୨୨.୮% ମହିଳା ଗୁଟ୍ଖା ସେବନ କରୁଛନ୍ତି, ଯାହାକି ଚିନ୍ତାଜନକ। ଏହିପରି ପରିସ୍ଥିତିରେ ସରକାରଙ୍କ ନିଶାମୁକ୍ତ ଓଡ଼ିଶା ଗଠନ ପ୍ରତି ଥିବା ବୈମାତୃକ ମନୋଭାବ ପଦାରେ ପଡ଼ିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ରାଜ୍ୟରେ ୧୧୬୪ଟି ମଦ ଦୋକାନ ଲାଇସେନ୍ସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ୨୯ ହଜାର ଆବେଦନକାରୀ ଫର୍ମ ପକାଇଥିଲା ବେଳେ ଫର୍ମ ଫି’ ବାବଦରେ ୮୪୦ କୋଟି ଟଙ୍କା ସରକାରଙ୍କ ରାଜକୋଷକୁ ଯାଇଥିଲା। ଯାହାକି ଓଡ଼ିଶା ଅବକାରୀ ଇତିହାସରେ ପ୍ରଥମ। ତେଣୁ ଗୋଟେ ପଟେ ସରକାର ଓଡ଼ିଶାକୁ ନିଶା ମୁକ୍ତ କରିବା ପାଇଁ ଜନସାଧାରଣଙ୍କୁ ପ୍ରତିଶ୍ରୁତି ଦେଇ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରୁଛନ୍ତି। ବିହାର, ଗୁଜରାଟ, ମିଜୋରାମ ପରି ରାଜ୍ୟରେ ମଦକୁ ବନ୍ଦ କରାଯାଇଥିଲାବେଳେ ଓଡ଼ିଶାରେ କାହିଁକି କରାଯାଉ ନାହିଁ ତାକୁ ନେଇ ସାଧାରଣରେ ଏକ ଗୁଞ୍ଜରଣ ସୃଷ୍ଟି ହୋଇଛି। ଅନେକ ସମୟରେ ବିଭିନ୍ନ ସଂଗଠନ, ବୁଦ୍ଧିଜୀବୀଙ୍କ ପକ୍ଷରୁ ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ବିଭିନ୍ନ ଆନ୍ଦୋଳନ ଜାରି ରହିଥିଲା ବେଳେ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି। ଏଇ କିଛିଦିନ ହେବ ରାଜ୍ୟ ସରକାର ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ପ୍ରତି ବ୍ଲକରେ ନିଶା ବିରୋଧୀ କାର୍ଯ୍ୟକ୍ରମ କରିବା ପାଇଁ ଏକ ଯୋଜନା କରିଛନ୍ତି,ଏଥିପାଇଁ ୪ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ପ୍ରତି ସ୍କୁଲ ଏବଂ ପଞ୍ଚାୟତରେ ନିଶାମୁକ୍ତ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ କରାଯିବ। ଯାହାକି ଧର୍ମକୁ ଆଖିଠାର। ଚାଉଳରେ ଗୋଡ଼ି ମିଶାଇ ତାକୁ ପୁଣି ବାଛିବା ଯାହା, ସରକାରଙ୍କ ନିଶାମୁକ୍ତ ଓଡ଼ିଶା ଗଠନ ଯୋଜନା ଠିକ୍ ସେୟା । ସରକାର ଯଦି ବାସ୍ତବରେ ଓଡ଼ିଶାକୁ ନିଶାମୁକ୍ତ କରିବାକୁ ଚାହୁଁଛନ୍ତି ତା’ହେଲେ ନିଶାକୁ ସମ୍ପୂୂର୍ଣ୍ଣ ନିଷିଦ୍ଧ ଘୋଷଣା କରନ୍ତୁ, ନ ହେଲେ ନିଶାମୁକ୍ତ ଓଡ଼ିଶାର ସ୍ବପ୍ନ ଆକାଶ କଇଁଆ ଚିଲିକା ମାଛ ପରି ଦିବା ସ୍ବପ୍ନରେ ରହିଯିବ।
ସୋର, ବାଲେଶ୍ୱର
ମୋ: ୬୩୭୨୩୨୧୧୦୪
Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।