ଆଇଆଇସି ବିୟୁଟି ମହାନ୍ତି ମୃତ୍ୟୁ ମାମଲା: କଲ୍ ରେକର୍ଡ ହସ୍ତଗତ କଲା ପୋଲିସ, ତଦନ୍ତ ଜୋରଦାର
ଭୁବନେଶ୍ୱର: ଆଇଆଇସି ବିୟୁଟି ମହାନ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟା ଜୋରଦାର ହୋଇଛି। କମିଶନରେଟ୍ ପୋଲିସ ରାଜ୍ୟ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀରୁ ତାଙ୍କର ଗୋଟିଏ ମୋବାଇଲ୍ ଫୋନର କଲ୍ ବିବରଣୀ ହସ୍ତଗତ କରିଛି। ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର ପ୍ରକୃତ କାରଣ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ଘଟଣାର ସର୍ବଶେଷ ସୂଚନା ଦେଇ କଟକ ଡିସିପି ଋଷିକେଶ ଖିଲାରୀ କହିଛନ୍ତି ଯେ, ଗୋଟିଏ ଫୋନର କଲ୍ ଡାଟା ବିଶ୍ଳେଷଣ କରାଯାଇଥିବା ବେଳେ ଦ୍ୱିତୀୟ ମୋବାଇଲ୍ ଫୋନର ରିପୋର୍ଟକୁ ଅପେକ୍ଷା କରାଯାଇଛି। ବର୍ତ୍ତମାନ ୩ ଟି ସ୍ୱତନ୍ତ୍ର ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି। ଅଧିକାରୀଙ୍କ ମୃତ୍ୟୁର କାରଣ ଖୋଜିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟ, କଲ୍ ରେକର୍ଡ, ଡିଜିଟାଲ୍ ପ୍ରମାଣ ଏବଂ ଅନ୍ୟାନ୍ୟ ଫୋରେନ୍ସିକ୍ ତଥ୍ୟର ତର୍ଜମା କରାଯାଉଛି।
ଏହା ସହିତ ତଦନ୍ତକାରୀ ଦଳ ମୃତ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଏବଂ ଆର୍ଥିକ କାରବାରର ମଧ୍ୟ ଯାଞ୍ଚ କରୁଛନ୍ତି। ପୋଲିସର ସୂଚନାନୁସାରେ, ଏପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ଆର୍ଥିକ କାରବାର ଧରାପଡ଼ି ନାହିଁ। ଘଟଣା ଘଟିବା ପୂର୍ବରୁ ବିଉଟି ମହାନ୍ତିଙ୍କ ସହିତ ବାରମ୍ବାର ଟେଲିଫୋନରେ କଥା ହୋଇଥିବା ବ୍ୟକ୍ତିମାନଙ୍କୁ ପୋଲିସ ପଚରାଉଚରା କରୁଛି। ସେମାନଙ୍କର ବୟାନ ତଦନ୍ତରେ ସହାୟକ ହେବ ବୋଲି ଆଶା କରାଯାଉଛି। ଅଧିକ ଫୋରେନ୍ସିକ୍ ରିପୋର୍ଟ ଆସିବା ପରେ ପୋଲିସ ଏକ ନିର୍ଦ୍ଦିଷ୍ଟ ନିଷ୍କର୍ଷରେ ପହଞ୍ଚିପାରିବ ବୋଲି ଜଣାପଡିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAKALA - ସକାଳ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।