Welcome!

Unlock your personalized experience.
Sign Up

ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ: ଚର୍ମ ନୁହେଁ, ଚେତନାର ଚକ୍ଷୁ ଦରକାର

Jul 25, 2026 - 23:53
ଅମୃତର ସନ୍ଧାନେ / ଶ୍ରୀସନ୍ନ୍ୟାସୀ ଜୀ: ଚର୍ମ ନୁହେଁ, ଚେତନାର ଚକ୍ଷୁ ଦରକାର

ପରଦୋଷ ଦେଖିବା ସହଜ, ସ୍ୱଦୋଷ ଦେଖିବା କଠିନ। ଚର୍ମଚକ୍ଷୁ ଅନ୍ୟର ଦୋଷକୁ ଦେଖେ, କିନ୍ତୁ ଚେତନାର ଚକ୍ଷୁ ନିଜର ଦୋଷକୁ ଦେଖାଏ।
ଜଣେ ସନ୍ଥଙ୍କୁ ଦିନେ ଜଣେ ଯୁବକ ବିନୟପୂର୍ବକ ପଚାରିଲା- “ହେ ମହାତ୍ମା! ମନୁଷ୍ୟ ଜୀବନର ସବୁଠାରୁ ବଡ଼ ସଫଳତା କ’ଣ?”
ସନ୍ଥ କିଛି ସମୟ ଧ୍ୟାନମଗ୍ନ ରହି ଉତ୍ତର ଦେଲେ- “ସଂସାରକୁ ଜିତିବା ସହଜ, କିନ୍ତୁ ନିଜକୁ ଜିତିବା କଠିନ। ଯିଏ ନିଜର ଭୁଲକୁ ଦେଖିପାରେ, ନିଜ ଦୋଷକୁ ସ୍ୱୀକାର କରିପାରେ ଏବଂ ତାହାକୁ ସଂଶୋଧନ କରିପାରେ, ସେ ହିଁ ପ୍ରକୃତ ବିଜୟୀ। ତାହା ହିଁ ଜୀବନର ସବୁଠୁ ବଡ଼ ସଫଳତା।
ଏହି କଥାକୁ ଭଗବଦ୍‌ଗୀତାର ଅମର ବାଣୀ ଆହୁରି ସ୍ପଷ୍ଟ କରେ-
“ଉଦ୍ଧରେଦାତ୍ମନାତ୍ମାନଂ ନାତ୍ମାନମବସାଦୟେତ୍।
ଆତ୍ମୈବ ହ୍ୟାତ୍ମନୋ ବନ୍ଧୁରାତ୍ମୈବ ରିପୁରାତ୍ମନଃ॥” (ଗୀତା ୬.୫)
ଅର୍ଥାତ୍ ମନୁଷ୍ୟ ନିଜକୁ ନିଜେ ଉନ୍ନତି କରିବା ଉଚିତ। ନିଜର ମନ ଯଦି ଶୁଦ୍ଧ ଓ ସଚେତନ ହୁଏ, ସେହି ମନ ବନ୍ଧୁ; ଆଉ ଯଦି ଅହଂକାର ଓ ମୋହରେ ଆଚ୍ଛନ୍ନ ହୁଏ, ସେହି ମନ ହିଁ ଶତ୍ରୁ।
ଆଜିର ସମାଜରେ ଯେଉଁମାନେ ଧନ, ଜ୍ଞାନ, ଯଶ ଓ ସମ୍ମାନର ଶିଖରରେ ପହଞ୍ଚିଛନ୍ତି, ସେମାନଙ୍କ ସଫଳତାର ମୂଳରେ କେବଳ କଠିନ ପରିଶ୍ରମ ନାହିଁ; ବରଂ ନିଜକୁ ପ୍ରତିଦିନ ପରଖିବାର ଅଭ୍ୟାସ ରହିଛି। ସେମାନେ ଅନ୍ୟକୁ ବଦଳାଇବା ପୂର୍ବରୁ ନିଜକୁ ବଦଳାଇଛନ୍ତି। ନିଜର ଦୁର୍ବଳତାକୁ ଲୁଚାଇ ନାହାନ୍ତି, ବରଂ ତାହାକୁ ସ୍ୱୀକାର କରି ଶକ୍ତିରେ ପରିଣତ କରିଛନ୍ତି।  ଶାସ୍ତ୍ର କହେ- ଆତ୍ମାନଂ ବିଦ୍ଧି। ଅର୍ଥାତ୍- ପ୍ରଥମେ ନିଜକୁ ଜାଣ। ଯେପର୍ଯ୍ୟନ୍ତ ମନୁଷ୍ୟ ନିଜର ପ୍ରକୃତ ସ୍ୱରୂପ, ନିଜର ଦୋଷ ଓ ଦୁର୍ବଳତାକୁ ଜାଣିପାରେ ନାହିଁ, ସେପର୍ଯ୍ୟନ୍ତ ତାହାର ସମସ୍ତ ଜ୍ଞାନ ଅପୂର୍ଣ୍ଣ।
ଦୁଃଖର ବିଷୟ, ସଂସାରରେ ଦୁଇ ପ୍ରକାରର ଲୋକ ନିଜ ଭୁଲ୍‌କୁ ଦେଖିପାରନ୍ତି ନାହିଁ- ଜଣେ ଅଜ୍ଞାନୀ, ଅନ୍ୟଜଣକ ଅହଂକାରୀ। ଅଜ୍ଞାନୀ ଜାଣି ନ ଥାଏ ଯେ ସେ ଭୁଲ୍‌ କରୁଛି; ଆଉ ଅହଂକାରୀ ଜାଣିଥାଇ ମଧ୍ୟ ସ୍ୱୀକାର କରିବାକୁ ଚାହେନାହିଁ।  ଭଗବାନ ଶ୍ରୀକୃଷ୍ଣ କହିଛନ୍ତି-ଅହଂକାରଂ ବଳଂ ଦର୍ପଂ କାମଂ କ୍ରୋଧଂ ଚ ସଂଶ୍ରିତାଃ...” (ଗୀତା ୧୬.୧୮)
ଅହଂକାର ବିବେକର ଆଖିରେ ପରଦା ପକାଇ ଦିଏ। ସେଥିପାଇଁ ମନୁଷ୍ୟ ନିଜର ପର୍ବତପ୍ରମାଣ ଦୋଷକୁ ଦେଖିପାରେ ନାହିଁ, କିନ୍ତୁ ଅନ୍ୟର ସୋରିଷଦାନା ସଦୃଶ ଦୋଷକୁ ବଡ଼ କରି ଦେଖେ।
ମହାଭାରତର ବିଦୁରନୀତିରେ କୁହାଯାଇଛି-
“ଯଃ ସ୍ୱଦୋଷଂ ନ ପଶ୍ୟତି ସ ପରଦୋଷଦର୍ଶୀ।”
ଅର୍ଥାତ୍ ଯିଏ ନିଜ ଦୋଷ ଦେଖିପାରେ ନାହିଁ, ସେ ସର୍ବଦା ଅନ୍ୟର ଦୋଷ ଖୋଜିବାରେ ବ୍ୟସ୍ତ ରହେ। ଯେପରି ଧୂଳିଭରା ଦର୍ପଣରେ ମୁହଁ ସ୍ପଷ୍ଟ ଦେଖାଯାଏ ନାହିଁ, ସେହିପରି କାମ, କ୍ରୋଧ, ଲୋଭ, ମୋହ ଓ ଅହଂକାରରେ ଆବୃତ ମନରେ ନିଜର ପ୍ରକୃତ ସ୍ୱରୂପ ପ୍ରତିଫଳିତ ହୁଏନାହିଁ। ତେଣୁ ଆମ ହୃଦୟକୁ ନାମସ୍ମରଣ, ସାଧୁସଙ୍ଗ, ସ୍ୱାଧ୍ୟାୟ ଓ ଭଗବତ୍‌ଭକ୍ତି ଦ୍ୱାରା ନିର୍ମଳ କରିବାକୁ ହେବ।
ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ‘ଶିକ୍ଷାଷ୍ଟକ’ରେ କୁହାଯାଇଛି-
“ତୃଣାଦପି ସୁନୀଚେନ ତରୋରିବ ସହିଷ୍ଣୁନା।
ଅମାନିନା ମାନଦେନ କୀର୍ତ୍ତନୀୟଃ ସଦା ହରିଃ॥”
ଯିଏ ତୃଣଠାରୁ ମଧ୍ୟ ବିନୟୀ, ବୃକ୍ଷ ପରି ସହିଷ୍ଣୁ ଓ ନିଜ ପାଇଁ ସମ୍ମାନ ନ ଚାହି ଅନ୍ୟକୁ ସମ୍ମାନ ଦେଇପାରେ, ସେହି ମନୁଷ୍ୟର ଚେତନାର ଚକ୍ଷୁ ଖୋଲିଯାଏ। ସନ୍ଥମାନେ କହନ୍ତି- “ଅନ୍ୟର ଦୋଷ ଦେଖିବାରେ ଯେତିକି ସମୟ ବ୍ୟୟ କରୁଛ, ସେହି ସମୟ ଯଦି ନିଜ ଦୋଷ ସଂଶୋଧନରେ ଲଗାଇଥାନ୍ତ, ତେବେ ତୁମ ଜୀବନ ବହୁ ପୂର୍ବରୁ ଆଲୋକିତ ହୋଇଯାଇଥାନ୍ତା।”
ତେଣୁ ମନେରଖନ୍ତୁ, ଚର୍ମଚକ୍ଷୁ କେବଳ ବାହ୍ୟ ଜଗତକୁ ଦେଖାଏ; କିନ୍ତୁ ଚେତନାର ଚକ୍ଷୁ ନିଜର ଅନ୍ତରକୁ ଦେଖାଏ। ଯେଉଁଦିନ ମନୁଷ୍ୟ ନିଜ ହୃଦୟରେ ଲୁଚିଥିବା ଅହଂକାର, ଇର୍ଷା, ଲୋଭ ଓ କପଟତାକୁ ଚିହ୍ନି ସେଗୁଡ଼ିକୁ ତ୍ୟାଗ କରିବା ଆରମ୍ଭ କରେ, ସେହିଦିନଠାରୁ ତା’ର ପ୍ରକୃତ ସାଧନା ଆରମ୍ଭ ହୁଏ।
ନିଜ ଦୋଷକୁ ଦେଖିବା ପାଇଁ ଚର୍ମଚକ୍ଷୁ ନୁହେଁ, ଚେତନାର ଚକ୍ଷୁ ଦରକାର। ଆଉ ଯାହାର ଚେତନା ଜାଗ୍ରତ ହୋଇଛି, ସେ ହିଁ ଭଗବାନଙ୍କ କୃପାପାତ୍ର ଓ ପ୍ରକୃତ ଅର୍ଥରେ ସଫଳ ମନୁଷ୍ୟ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।