ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ…

May 19, 2026 - 00:46

ଥୁଆମୂଳ ରାମପୁର, ୧୮ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାସ୍ଥିତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପ ଓ ଚରମ ଅବହେଳାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ପଞ୍ଚାୟତ ଅଧିକାରୀ ଟଙ୍କଧର ସାହୁ, ଏଡିଇଓ ଚୁଡ଼ାମଣି ରାଉତ ଏବଂ କନିଷ୍ଠ ଯନ୍ତ୍ରୀ ପ୍ରତାପ ସାହୁଙ୍କ ସ୍ବେଚ୍ଛାଚାରିତା ବିରୋଧରେ ଗର୍ଜିଛନ୍ତି ସ୍ଥାନୀୟ ଜନସାଧାରଣ ଓ ହିତାଧିକାରୀ। ମୋତାଚୁଆଁ, କୋଷାବରା, ତେରଙ୍ଗାସିଲ, କାଠକୁରା, ପୋଖରା, ଥୁଆମୂଳ ରାମପୁର, ପୋଇଗୁଡ଼ା, ଟିକ୍ରାଗୁଡ଼ା, ଦେରଗୁଡ଼ା, ବଡ଼ବଣ୍ଡେଲ ଓ ମେଳକୁନ୍ଦେଲ ଆଦି ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ ଲୋକ ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ ଏକତ୍ରିତ ହୋଇ ପ୍ରତିବାଦର ସ୍ବର ଉତ୍ତୋଳନ କରିବା ସହ ଭ୍ରଷ୍ଟ ଅଧିକାରୀଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି। ସୂଚନା ଅନୁସାରେ, ଏହି ମୁଖ୍ୟାଳୟ ପଞ୍ଚାୟତରେ ଗରିବ କଲ୍ୟାଣ ଯୋଜନା ବିଶେଷ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ମନରେଗା କ୍ଷେତ୍ରରେ ବ୍ୟାପକ ଅନିୟମିତତା ଚାଲିଥିବା ଅଭିଯୋଗ ହୋଇଛି। ଜାଗେଶ ପଦର୍‌ ଗ୍ରାମର ହିତାଧିକାରୀ କୌଶଲ୍ୟା ନାଏକଙ୍କ କହିବା କଥା, ତାଙ୍କ ଆବାସ ଗୃହର ଛାତ ଲେଭେଲ କାମ ସରିବାର ପ୍ରାୟ ୨୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦ୍ୱିତୀୟ କିସ୍ତି ଟଙ୍କା ମିଳିନାହିଁ। ପଞ୍ଚାୟତ ଅଫିସକୁ ଦୌଡ଼ି ଦୌଡ଼ି ସେ ନିରାଶ ହୋଇଛନ୍ତି ଏବଂ ପ୍ରାୟ ସମୟରେ ଅଫିସରେ ତାଲା ଝୁଲୁଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ଅନୁରୂପ ଭାବେ ମୋତାଚୁଆଁ ଗ୍ରାମର ବଳରାମ ମାଝୀ ଘର ନିର୍ମାଣ ସାରିବାର ଏକ ବର୍ଷ ବିତିଯାଇଥିଲେ ହେ ଏପର୍ଯ୍ୟନ୍ତ ମନରେଗା ପ୍ରାପ୍ୟ କିମ୍ବା ଫାଇନାଲ ବିଲ ପାଇନଥିବା ଅଭିଯୋଗ ଆଣିଛନ୍ତି। ଯୁବନେତା ପ୍ରଦୀପ କୁମାର ନାଏକ ଏହି ପ୍ରସଙ୍ଗରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏହି ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଧିକାରୀମାନଙ୍କ ମନମୁଖୀ ଶାସନ ଯୋଗୁ ସରକାରୀ ଯୋଜନା ସଠିକ ଭାବେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅଧିକାରୀମାନେ ଠିକ୍‌ ସମୟରେ କାମର ଜିଓ-ଟ୍ୟାଗିଂ କରୁନଥିବାରୁ ଗରିବ ଶ୍ରମିକ ଓ ହିତାଧିକାରୀମାନେ ସେମାନଙ୍କର ନ୍ୟାଯ୍ୟ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି। ଏପରିକି ବିଲ ପାସ କରାଇବା ପାଇଁ ପିସି ମଗାଯାଉଥିବା ନେଇ ଗ୍ରାମବାସୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପଞ୍ଚାୟତର ୨୪ଟି ଗ୍ରାମ ମଧ୍ୟରେ ଏହା ମୁଖ୍ୟାଳୟ ହୋଇଥିବା ବେଳେ ଏଠାରେ କୌଣସି ସ୍ଥାୟୀ ଅଧିକାରୀ ନାହାନ୍ତି ଏବଂ ପିଇଓ ଓ ଏଡିଇଓଙ୍କୁ ଡେପୁଟେଶନରେ ରଖାଯାଇ ପଞ୍ଚାୟତ କାର୍ଯ୍ୟ ଚଳାଯାଉଥିବାରୁ କ୍ଷୋଭ ପ୍ରକାଶ ପାଇଛି। ବର୍ତ୍ତମାନର ଜେଇ ପ୍ରତାପ ସାହୁଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରି ଲୋକେ ଦାବି କରିଛନ୍ତି ଯେ, ପୂର୍ବରୁ କାର୍ଯ୍ୟରତ ଥିବା ଜେଇ ସତ୍ୟନାରାୟଣ ବେହେରା ସାଧାରଣ ଲୋକଙ୍କ ଗୁହାରି ଶୁଣି ସୁରୁଖୁରୁରେ ସମସ୍ତ କାର୍ଯ୍ୟ କରୁଥିଲେ, ତେଣୁ ତାଙ୍କୁ ତୁରନ୍ତ ଏଠାରେ ପୁନଃ ନିଯୁକ୍ତି ଦିଆଯାଉ। ଅନ୍ୟପଟେ ଗାଁ ସାଥୀ ଅଜୟ ମାଝୀ ଅଭିଯୋଗ କରିଛନ୍ତି ଯେ, ୱାର୍ଡମେମ୍ବର ଓ ଗାଁ ସାଥୀମାନଙ୍କୁ ବୈଠକ ପାଇଁ ନୋଟିସ ଜାରି କରି ମଧ୍ୟ ଏହି ଅଧିକାରୀମାନେ ନିଜେ ବୈଠକକୁ ଆସନ୍ତି ନାହିଁ। ଏହି ଭ୍ରଷ୍ଟ ଏବଂ କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀମାନଙ୍କ ବଦଳି ପାଇଁ ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲେ ମଧ୍ୟ ବ୍ଲକ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଜନସାଧାରଣ ସିଧାସଳଖ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଏ ସମ୍ପର୍କରେ ଏଡିଇଓ ଚୁଡ଼ାମଣି ରାଉତଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ଦୁଇଟି ପଞ୍ଚାୟତ ଦାୟିତ୍ୱରେ ରହିଥିବାରୁ କାମର ଚାପ ରହୁଛି ଏବଂ କେତେକ ସ୍ଥାନରେ ବିନା କାମରେ ମଧ୍ୟ ଡିମାଣ୍ଡ ମାରିବାକୁ ଚାପ ପକାଯାଉଛି, ନକଲେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯାଉଛି। ସେହିପରି ବିଡ଼ିଓ ଧ୍ରୁବ ଚରଣ ମୁଦୁଲି କହିଛନ୍ତି ଯେ, ବ୍ଲକରେ ପିଇଓ, ଜିଆରଏସ ଓ ଏଡିଇଓ ପଦବୀ ଖାଲି ରହିଛି। ଯେଉଁଥିପାଇଁ ଜଣଙ୍କୁ ଦୁଇଟି ଲେଖାଏ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି। ପୂର୍ବରୁ ଥିବା ଅଧିକାରୀମାନେ ବଦଳି ହୋଇ ଚାଲିଯିବା ଯୋଗୁଁ ଏହି ସମସ୍ୟା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି ଏବଂ ଖୁବଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ ଉପସ୍ଥିତ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି। ବିଡ଼ିଓଙ୍କ ଏହି ପ୍ରତିଶ୍ରୁତି ପରେ ଆନ୍ଦୋଳନକାରୀମାନେ ସାମୟିକ ଭାବେ ଶାନ୍ତ ପଡ଼ିଥିଲେ ମଧ୍ୟ ଯଦି ଆଗାମୀ ଦିନରେ ସ୍ଥାୟୀ ସମାଧାନ ଯେମିତି ଏହି ଅଧିକାରୀମାନଙ୍କୁ ବଦଳି କରିବା ସହ ଯନ୍ତ୍ରୀ ସତ୍ୟନାରାୟଣ ବେହେରାଙ୍କୁ ପୁନଃ ନିଯୁକ୍ତି ନ ଦିଆଯାଏ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ। ତେବେ ପ୍ରତିବାଦର ସ୍ବର ଆହୁରି ତୀବ୍ର ହେବ ଏବଂ ସେମାନେ ଧାରଣାରେ ବସିବେ ବୋଲି ସ୍ଥାନୀୟ ଜନସାଧାରଣ ରୋକ୍ଠୋକ ଭାବରେ ବିଡ଼ିଓଙ୍କୁ ସ୍ପଷ୍ଟ କରିଛନ୍ତି।

 

Odisha’s No.1 Odia Daily

The post ଅଧିକାରୀଙ୍କ ବିରୋଧରେ ଅସନ୍ତୋଷ ଝାଡିଲେ ସ୍ଥାନୀୟ ଲୋକେ, ପଞ୍ଚାୟତ କାର୍ଯ୍ୟାଳୟ ସାମ୍ନାରେ… appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।