ଅଦ୍ୟାବଧି ୧୫ ବର୍ଷ ବୟସ୍କ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନାହିଁ

Jul 04, 2026 - 12:59

ଭାରତୀୟ କ୍ରିକେଟ୍‌ ଦଳ ଆୟରଲାଣ୍ଡରେ ୨ଟି ଓ ଇଂଲଣ୍ଡରେ ଗୋଟିଏ ଟ୍ବେଣ୍ଟି୨୦ ମ୍ୟାଚ୍‌ ଖେଳି ସାରିଲାଣି। ହେଲେ ଅଦ୍ୟାବଧି ୧୫ ବର୍ଷ ବୟସ୍କ ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ସୁଯୋଗ ମିଳିନାହିଁ। ଗତ ଆଇପିଏଲ୍‌ରେ ଅଭୂତପୂର୍ବ ବ୍ୟାଟିଂ ଫର୍ମରେ ଥିବା ବାମହାତି ଓପ୍‌ନର ସୂର୍ଯ୍ୟବଂଶୀ ସର୍ବାଧିକ ୭୭୬ ରନ୍‌ ସ୍କୋର୍‌ କରିବା ସହ ସର୍ବାଧିକ ଛକା ମାରିଥିଲେ। ପୁଣି ତାଙ୍କର ଷ୍ଟ୍ରାଇକ୍‌ରେଟ୍‌ ମଧ୍ୟ ସର୍ବାଧିକ ଥିଲା। ଏହା ପୂର୍ବରୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଭାରତକୁ ଚମ୍ପିଆନ୍‌ କରିବାରେ ବିଶେଷ ଅବଦାନକୁ ଦେଖି ବୈଭବଙ୍କୁ ସିନିୟର ଭାରତୀୟ ଦଳରେ ସୁଯୋଗ ମିଳିଥିଲା। ଆୟରଲାଣ୍ଡରେ ସଞ୍ଜୁ ସାମ୍‌ସନ ୨ଟିଯାକ ଇନିଂସରେ ବିଫଳ ହେବା ପରେ ମଧ୍ୟ ସୂର୍ଯ୍ୟବଂଶୀଙ୍କୁ ଖେଳା ଯାଇନଥିଲା। ଭାରତକୁ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତାଇଥିବା ଭାରତୀୟ ଦଳର ପ୍ରଥମ ୩ ବ୍ୟାଟର ସଞ୍ଜୁ, ଅଭ​‌ିଷେକ ଓ ଈଶାନ୍ କିଷନ୍‌ଙ୍କ ଉପରେ ଦଳ ବିଶ୍ବାସ ପ୍ରକଟ କରିଥିଲା।

ଆଇପିଏଲ୍‌ର ସଫଳ ଅଭିଯାନ ପରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସିନିୟର ଭାରତୀୟ ଦଳ ପାଇଁ ପଦାର୍ପଣର ସୁଯୋଗ ନ ଦେବାକୁ ସମାଲୋଚନା କରିଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ତଥା ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ। ସେ କହିଛନ୍ତି, ଇଂଲଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ବୈଭବଙ୍କୁ ଖେଳିବାକୁ ଦେବାର ଥିଲା। ପିଚ୍‌ ଧିମା ଥିଲା ଏବଂ ବଲ୍‌ ବାଉନ୍‌ସ କରୁଥିଲା। ବୈଭବ ଇଂଲଣ୍ଡ ବୋଲରଙ୍କୁ ଛାତ ଉପରକୁ ମାରିଥାଆନ୍ତେ। କାରଣ ଏହା ଛୋଟ ପଡ଼ିଆ ଥିଲା। ବୈଭବ ସେମାନଙ୍କ ପ୍ୟାଣ୍ଟ୍‌ ଖୋଲି ଦେଇଥାଆନ୍ତେ। ଆଇପିଏଲ୍‌ରେ କେଉଁ ଫାଷ୍ଟବୋଲରଙ୍କୁ ସେ ପ୍ରହାର କରିନଥିଲେ? ତାଙ୍କଠାରୁ ବଡ଼ ଆଶା କିମ୍ବା ତାଙ୍କର କିଛି ନିର୍ଦିଷ୍ଟ ଦାୟିତ୍ବ ନଥିଲା। ତେଣୁ ପୂରା ସ୍ବାଧୀନ ଭାବେ ସେ ବ୍ୟାଟିଂ କରିଥାଆନ୍ତେ। ତାଙ୍କୁ ନିଶ୍ଚୟ ଖେଳାଇବାର ଥିଲା। ଆଗକୁ ତାଙ୍କୁ ଇଂଲଣ୍ଡରେ ସୁଯୋଗ ମିଳିବ କି ନାହିଁ; ତାହାକୁ ନେଇ ମୁଁ ନିଶ୍ଚିତ ନୁହେଁ।