ଅଗଷ୍ଟରେ ଅବସର ନେବେ ପୋଲିସ ଡିଜି ୱାଇ.ବି. ଖୁରାନିଆ, ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
ଭୁବନେଶ୍ୱର : ଆସନ୍ତା ଅଗଷ୍ଟ ୧୬ରେ ଅବସର ନେବେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ । ୱାଇ.ବି. ଖୁରାନିଆଙ୍କ ଅବସର ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ୧୯୯୦ ବ୍ୟାଚର ଆଇପିଏସ୍ ଅଧିକାରୀ ଖୁରାନିଆ ୨୦୨୪ ଅଗଷ୍ଟ ୧୬ରେ ଓଡ଼ିଶାର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ରାଜ୍ୟର ସର୍ବୋଚ୍ଚ ପୋଲିସ ଅଧିକାରୀ ଭାବେ ନ୍ୟୁନତମ ଦୁଇ ବର୍ଷର କାର୍ଯ୍ୟକାଳ ପୂରଣ କରିବା ପାଇଁ ତାଙ୍କ କାର୍ଯ୍ୟକାଳକୁ ୧୬ ଅଗଷ୍ଟ ପର୍ଯ୍ୟନ୍ତ ବଢ଼ାଯାଇଥିଲା ।
ଖୁରାନିଆ ଓଡ଼ିଶାର ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ ଓ ରାଉରକେଲାରେ ଏସ୍ ପି ଭାବେ କାର୍ଯ୍ୟ କରିଥିବାବେଳେ ଭୁବନେଶ୍ୱର-କଟକ ପୋଲିସ କମିଶନର, ଆଇଜି ଅପରେସନ ଓ ଭିଜିଲାନ୍ସର ସ୍ପେଶାଲ୍ ଡାଇରେକ୍ଟର ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ମଧ୍ୟ ଦାୟିତ୍ୱ ସମ୍ଭାଳିଛନ୍ତି । BSFର ବିଭିନ୍ନ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିବା ଖୁରାନିଆ ରାଜ୍ୟପାଳ ପଦକ, ପୋଲିସ ମେଡାଲ୍ ଫର୍ ମେରିଟୋରିଅସ୍ ସର୍ଭିସ୍, ରାଷ୍ଟ୍ରପତି ପୋଲିସ ପଦକ, ଅତି ଉତ୍କୃଷ୍ଟ ସେବା ପଦକ ସହ ଅନେକ ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ସେପଟେ, ୟୁପିଏସସି ଗାଇଡ୍ଲାଇନ୍ ଅନୁସାରେ ଡିଜିପି ଚୟନ ପାଇଁ ଗତ ମେ’ ୧୪ ତାରିଖରେ ୧୧ ଜଣ ବରିଷ୍ଠ ଆଇପିଏସ୍ଙ୍କ ନାଁ ୟୁପିଏସସିକୁ ପଠାଇଛନ୍ତି ରାଜ୍ୟ ସରକାର । ସେମାନେ ହେଲେ ୧୯୯୦ ବ୍ୟାଚର ଆଇପିଏସ୍ ସୁଧାଂଶୁ ଷଡ଼ଙ୍ଗୀ, ୧୯୯୩ ବ୍ୟାଚର ଆଇପିଏସ୍ ସୁଶାନ୍ତ ନାଥ ଓ ୧୯୯୩ ବ୍ୟାଚର ଆଇପିଏସ ଆର୍ ପି କୋଚେ । ୧୯୯୫ବ୍ୟାଚର ପି ଏସ୍ ରଣପିସେ, ୧୯୯୬ ବ୍ୟାଚର ଅରୁଣ ବୋଥ୍ରା, ୧୯୯୬ ବ୍ୟାଚର ଆଇପିଏସ୍ ସୁନୀତା କାକରାନ । ୟୁପିଏସସି ସୁପାରିଶ ପାଇବା ପରେ ରାଜ୍ୟ ସରକାର ନୂଆ ପୋଲିସ ମୁଖ୍ୟଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିବେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।