Youth Dies After Alleged Mob Assault: ବର୍ବରକାଣ୍ଡ... ଯୁବକଙ୍କୁ ପିଟି ପିଟି ମାରିଦେଲେ! ସିସିଟିଭିରେ କଏଦ ନିସ୍ତୁକ ମାଡ଼ର ଭିଡ଼ିଓ

Jun 30, 2026 - 10:42
Youth Dies After Alleged Mob Assault: ବର୍ବରକାଣ୍ଡ... ଯୁବକଙ୍କୁ ପିଟି ପିଟି ମାରିଦେଲେ! ସିସିଟିଭିରେ କଏଦ ନିସ୍ତୁକ ମାଡ଼ର ଭିଡ଼ିଓ

ଖୋର୍ଦ୍ଧା ବାଲିଅନ୍ତା, ରାୟଗଡ଼ା ଇନ୍ତେଲିଗୁଡ଼ା ପରେ ଖୋର୍ଦ୍ଧା ବାଣପୁରରେ ଭିଡ଼ହିଂସାରୁ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ଚୋର ଭାବି ଦିନ ଦ୍ବିପ୍ରହରରେ ଖୁଣ୍ଟରେ ବାନ୍ଧିଲେ ଆଉ ଯିଏ ଯେମିତି ପାରିଲେ ପିଟି ଚାଲିଲେ। ଯେତେ ନେହୁରା ହେଲେ ବି କେହି ଶୁଣିନଥିଲେ। ଓଟିଭି ହାତରେ ଲାଗିଛି ଯୁବକଙ୍କୁ ନିସ୍ତୁକ ମାଡ଼ର ସିସିଟିଭି ଚିତ୍ର। 

ଖୋର୍ଦ୍ଧା ବାଣପୁର ଥାନା ଅନ୍ତର୍ଗତ ଖଣତ ଗାଁରେ ଏଭଳି ଏକ ବର୍ବରକାଣ୍ଡ ସାମନାକୁ ଆସିଛି। ଭିଡ଼ହିଂସାରୁ ଗୁରୁତର ହୋଇ ଯୁବକଙ୍କ ଶେଷରେ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଖୋର୍ଦ୍ଧା ବାଣପୁର ଥାନା ଭୀମପୁର ବାଘୁଆପଦର ସାହିର ତୋଫାନ ନାୟକ। ଚୋର ସନ୍ଦେହରେ ଗ୍ରାମବାସୀ ତୋଫାନକୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ।

ମଝିରେ ମଝିରେ ଖୋଲି ଯାଉଥିବା ଦଉଡିକୁ ଭିଡ଼ି ବାନ୍ଧିବା ପରେ ପୁଣି ଆରମ୍ଭ ହେଉଥିଲା ଅମାନୁଷିକ ଅତ୍ୟାଚାର। ସୂଚନା ପାଇ ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା। ଯୁବକଙ୍କ ଚିକିତ୍ସା ନକରି ପରିବାର ଲୋକଙ୍କୁ ଡକାଇ ଏକ ଲିଖିତ ମୁଚାଲିକା ରଖି ତୋଫାନଙ୍କୁ ଛାଡି ଦେଇଥିଲେ। ଏହାପରେ ତୋଫାନ ରାତିରେ ରକ୍ତବାନ୍ତି କରିବା ସହ ଗୁରୁତର ହୋଇପଡିଥିଲେ। 

ତୋଫାନଙ୍କୁ ପରିବାର ଲୋକେ ବାଣପୁରରେ ଚିକିତ୍ସା ପରେ ଗୁରୁତର ହେବାରୁ କ୍ୟାପିଟାଲ ହସ୍ପିଟାଲ ଆଣିଥିଲେ। ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ପୋଲିସ ତୋଫାନକୁ ନେଇ ଥାନାରେ ବାଡେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଭିଯୋଗକୁ ନେଇ ତନାଘନା ଆରମ୍ଭ ହୋଇଛି। ଘଟଣାରେ ଦୁଇ ଜଣଙ୍କୁ ଉଠାଇ ଆଣି ଅଟକ ରଖି ପଚରାଉଚରା କରୁଛି ପୋଲିସ। ତେବେ ପୋଲିସ ମାଡ଼ ମାରିଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ଖୋର୍ଦ୍ଧା ଏସପି।