Women-Led Drug Network Busted: ଓଢ଼ଣୀ ଆଢୁଆଳରେ ଡ୍ରଗ୍ସ ନେଟୱାର୍କ, ଧରାପଡ଼ିଲେଣି ମାଳ ମାଳ ମହିଳା
ଡ୍ରଗ୍ସ ବେପାରରେ ଅଭିନବ ଫଣ୍ଡା। ଓଢ଼ଣୀ ଆଢୁଆଳରେ ଡ୍ରଗ୍ସ କୁଇନ୍ ବିଛାଇଛନ୍ତି ନିଶା କାରବାରର ନେଟୱର୍କ। ରାଜଧାନୀର ରାଜମହଲ ଛକ ଅଟୋ ଷ୍ଟାଣ୍ଡ ହେଉ ଅବା ଝରଣା ବସ୍ତି। ମହିଳା ଚଳାଉଛନ୍ତି ବ୍ରାଉନସୁଗାର ବେପାର। ନଜର ପକାନ୍ତୁ ଏହି ଚିତ୍ର ଉପରେ। ଏମାନେ ହେଉଛନ୍ତି ଜଣେ ଜଣେ ଡ୍ରଗ୍ସ କୁଇନ୍। ଯାହାଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ବୁଧବାର ଭିନ୍ନ ଭିନ୍ନ ଜାଗାରେ ରେଡ୍ କରି ପ୍ରାୟ ୨୪୦ ଗ୍ରାମ ବ୍ରାଉନସୁଗର ଜବତ କରିଛି ଭୁବନେଶ୍ୱର ଅବକାରୀ ଟିମ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୪ ଲକ୍ଷ ଟଙ୍କା। ୪ଟି କେସରେ ସମୁଦାୟ ୬ ଜଣ ଗିରଫ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ରହିଛନ୍ତି ୩ ମହିଳା। ଯେଉଁମାନେ ଭିନ୍ନ ଭିନ୍ନ ତାରିକାରେ ସହର ଭିତରେ ଚଳାଇଥିଲେ ନିଶା ସିଣ୍ଡିକେଟ୍।
କେବଳ ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏହି ଲେଡି ଗ୍ୟାଙ୍ଗ ବିଛାଇଛନ୍ତି ନିଶା କାରବାରର ନେଟୱର୍କ। ବୁଧବାର ଖୋର୍ଦ୍ଧା ମଡେଲ୍ ଥାନା ଅଧୀନରେ ଚଢ଼ାଉ ବେଳେ ଜବତ ହୋଇଛି ପାଖାପାଖି ୪୫୦ ଗ୍ରାମ୍ ବ୍ରାଉନସୁଗର। ଠିକ୍ ସମାନ ଢଙ୍ଗରେ ୪୫ ଲକ୍ଷ ଟଙ୍କାର ଧଳାଜହର ଡିଲ୍ ରେ ବି ସାମ୍ନାକୁ ଆସିଛି ମହିଳାଙ୍କ ସଂପୃକ୍ତି। ଛୋଟମୋଟ ନିଶା ନୁହେଁ, ଓଡ଼ିଶାକୁ ବ୍ରାଉନସୁଗାର ସହ ଗଞ୍ଜେଇ, ମାରିୱାନା, ସିନ୍ଥେଟିକ୍ସ ଡ୍ରଗ୍ସର ଏଣ୍ଟ୍ରି କରାଇବା ସହ ବେପାରର ନେଟୱର୍କ ଚଳାଇଛନ୍ତି ନିଶାରାଣୀ।
ପୂର୍ବରୁ ଭୁବନେଶ୍ବରର ଫାଳିକିଆ ବସ୍ତି, ହଳଦୀ ପଡ଼ିଆ ଓ ସାଲିଆ ସାହିରୁ ଅନେକ ମହିଳାଙ୍କୁ ଗିରଫ କରାଯାଇଛି। ତେବେ କାହିଁକି ଏହି ଡ୍ରଗ୍ସ ବେପାରର ମଙ୍ଗ ଧରୁଛନ୍ତି ମହିଳା? ତାର କାରଣ ବି ସ୍ପଷ୍ଟ। ପରିବାରର ଆର୍ଥିକ ସମସ୍ୟା, ଆଉ କମ୍ ସମୟରେ ଅଧିକ ରୋଜଗାର ଆଶାରେ ବେଆଇନ ବ୍ୟବସାୟକୁ ଆପଣାଉଛନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ମହିଳାଙ୍କ କ୍ଷେତ୍ରରେ ପୋଲିସ୍ ଓ ଅବକାରୀ ଅଧିକାରୀଙ୍କ ସନ୍ଦେହରୁ ବର୍ତ୍ତିଯିବାର ସମ୍ଭାବନା ଅଧିକ। ତେଣୁ ଏହାକୁ ସୁଯୋଗ ଭାବି ନିଜ ଆଡୁ ହେଉ କିମ୍ବା ମାଫିଆଙ୍କ ନିର୍ଦ୍ଦେଶରେ ସଂପୃକ୍ତ ରହୁଛନ୍ତି ମହିଳା। ତେଣୁ ଏହି ଟ୍ରେଣ୍ଡକୁ ଭାଙ୍ଗିବା ପାଇଁ ଜୋରଦାର ଧରପଗଡ଼ ଚାଲିଥିବା କହିଛନ୍ତି ଅବକାରୀ ଅଧୀକ୍ଷକ।
ଗ୍ରାମାଞ୍ଚଳରେ ମହିଳାଙ୍କ ନିଶା ବିରୋଧୀ ଅଭିଯାନ, କିନ୍ତୁ ସହରାଞ୍ଚଳରେ ବେପାରର ମଙ୍ଗ ଧରିଛନ୍ତି ମହିଳା। ଏହି ଧାରାକୁ କେମିତି ଓ କେବେ ଭାଙ୍ଗିପାରୁଛି ଅବକାରୀ ବିଭାଗ, ତା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।