Woman Faces Shocking Humiliation: ଦୁଷ୍କର୍ମ ଅଭିଯୋଗ ପରେ ମହିଳାଙ୍କୁ ପଞ୍ଚାୟତର ଦଣ୍ଡ, ଜବରଦସ୍ତ ଚଟାଇଲେ ଛେପ
ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଥିଲେ। କିନ୍ତୁ ନ୍ୟାୟ ପାଇବା ବଦଳରେ ତାଙ୍କୁ ପଞ୍ଚାୟତ ଦ୍ୱାରା ଦଣ୍ଡ ଦିଆଯାଇଥିବା ଏବଂ ଛେପ ଚଟାଇବାକୁ ବାଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଦୁଷ୍କର୍ମ ଅଭିଯୋଗ କରିବା ପରେ ବିହାରର ବେଗୁସରାୟରେ ପଞ୍ଚାୟତ ସମ୍ମୁଖରେ ଜଣେ ମହିଳାଙ୍କୁ ଦଣ୍ଡ ସ୍ୱରୂପ ଛେପ ଚଟାଇବାକୁ ବାଧ୍ୟ କରାଯାଇଥିବା ଜଣାପଡ଼ିଛି। ଘଟଣାର ଭିଡିଓ ଭାଇରାଲ ହେବା ପରେ ପୋଲିସ ଦୁଷ୍କର୍ମ ଅଭିଯୋଗ ଏବଂ ସର୍ବସାଧାରଣ ସ୍ଥାନରେ ଅପମାନ ଘଟଣାର ତଦନ୍ତ ଆରମ୍ଭ କରିଛି।
ଏହି ଘଟଣା ଜୁନ୍ ମାସରେ ଘଟିଥିଲା, କିନ୍ତୁ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଥିଲା।
ଅଗଷ୍ଟ ୧ ତାରିଖରେ ଦାଖଲ ହୋଇଥିବା ଏଫଆଇଆର୍ ଅନୁସାରେ, ଜୁନ୍ ୨ ତାରିଖ ରାତିରେ ଜଣେ ପଡ଼ୋଶୀ ଧମକ ଦେଇ ମହିଳାଙ୍କ ଘରେ ଜବରଦସ୍ତ ପ୍ରବେଶ କରି ତାଙ୍କ ସହ ଦୁଷ୍କର୍ମ କରିଥିଲା ।
ମହିଳାଙ୍କ ଅଭିଯୋଗ ଅନୁସାରେ, ଅଭିଯୁକ୍ତ ଜଣକ ଝରକା ଦେଇ ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ଗ୍ରାମବାସୀ ତାକୁ ଧରିଥିଲେ। ପରେ ପୋଲିସକୁ ଖବର ଦେବା ବଦଳରେ ପଞ୍ଚାୟତ ବସାଇ ଉଭୟଙ୍କୁ ସମସ୍ତଙ୍କ ଆଗରେ ଅପମାନିତ କରାଯାଇଥିଲା।
ଭାଇରାଲ ଭିଡିଓରେ ଦେଖାଯାଉଛି ଯେ, ମହିଳା ଜଣକ ନିଜ କାନ ଧରି ଠିଆ ହୋଇଛନ୍ତି ଏବଂ ତାଙ୍କୁ ଗ୍ରାମବାସୀ ଘେରି ରହିଛନ୍ତି। ପରେ ସେ ତଳକୁ ନଇଁ ଚଟାଣ ଉପରେ ପଡ଼ିଥିବା ଛେପ ଚାଟୁଥିବା ଦେଖାଯାଉଛି।
ଭିଡିଓର ପରବର୍ତ୍ତୀ ଅଂଶରେ ଦୁଷ୍କର୍ମ ଅଭିଯୁକ୍ତ ବୋଲି କୁହାଯାଉଥିବା ଜଣେ ବ୍ୟକ୍ତିଙ୍କୁ ମଧ୍ୟ କାନ ଧରି କ୍ଷମା ମାଗିବା ଏବଂ ଛେପ ଚାଟିବାକୁ ବାଧ୍ୟ କରାଯାଇଥିବା ଦେଖାଯାଉଛି।
ଜୁଲାଇ ୩୧ରେ ଭିଡିଓ ପ୍ରଥମେ ସୋସିଆଲ ମିଡିଆରେ ଭାଇରାଲ ହେବାର ଗୋଟିଏ ଦିନ ପରେ ମହିଳା ଜଣକ ଅଭିଯୋଗ ଦାଖଲ କରିଥିଲେ।
ତେବେ ଗ୍ରାମର କିଛି ସ୍ଥାନୀୟ ଲୋକ ଘଟଣାକୁ ଭିନ୍ନ ଭାବେ ଉପସ୍ଥାପନ କରିଛନ୍ତି। ସେମାନଙ୍କ ଦାବି ଅନୁସାରେ, ମହିଳା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ଥିଲା ଏବଂ ଉଭୟଙ୍କୁ ଆପତ୍ତିଜନକ ସ୍ଥିତିରେ ଧରାଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।