Auqib Nabi Gets Maiden India Call: ରଣଜୀ ହିରୋ ଆକିବ ନବୀଙ୍କୁ ଟେଷ୍ଟ ଦଳରେ ମିଳିଲା ସୁଯୋଗ, ଆହତ ବୁମ୍ରା ବାଦ୍

Aug 03, 2026 - 15:44
Auqib Nabi Gets Maiden India Call: ରଣଜୀ ହିରୋ ଆକିବ ନବୀଙ୍କୁ ଟେଷ୍ଟ ଦଳରେ ମିଳିଲା ସୁଯୋଗ, ଆହତ ବୁମ୍ରା ବାଦ୍

ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର। ଷ୍ଟାର୍ ଫାଷ୍ଟ ବୋଲର ଜସପ୍ରୀତ ବୁମ୍ରା ଶ୍ରୀଲଙ୍କା ବିପକ୍ଷ ଆଗାମୀ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ବାଦ୍ ପଡ଼ିଛନ୍ତି। ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ଫିଟ୍ ନ ହେବା କାରଣରୁ ବିସିସିଆଇ ଏହି ନିଷ୍ପତ୍ତି ନେଇଛି।

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ସମୟରେ ବୁମ୍ରାଙ୍କ ବାମ ଆଣ୍ଠୁରେ ଆଘାତ ଲାଗିଥିଲା। ଆଘାତରୁ ସେ ଏପର୍ଯ୍ୟନ୍ତ ପୂରା ସୁସ୍ଥ ହୋଇନଥିବାରୁ, ତାଙ୍କୁ ଆନ୍ତର୍ଜାତୀୟ କ୍ରିକେଟ୍‌ର ଚାପକୁ ଫେରାଇ ଆଣିବାକୁ ଟିମ୍ ମ୍ୟାନେଜମେଣ୍ଟ ରିସ୍କ ନେବାକୁ ଚାହିଁନାହିଁ।

ବୁମ୍ରାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଫାଷ୍ଟ ବୋଲର ଆକିବ ନବୀଙ୍କୁ ଦଳରେ ସାମିଲ କରାଯାଇଛି। ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଆକିବ ନବୀ ପ୍ରଥମ ଥର ପାଇଁ ସିନିୟର ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି।

ରଣଜୀ ଟ୍ରଫିରେ ଆକିବଙ୍କ ପ୍ରଦର୍ଶନ ତାଙ୍କୁ ଏହି ସୁଯୋଗ ଦେଇଛି। ଗତ ଦୁଇଟି ରଣଜୀ ସିଜନ୍‌ରେ ସେ ୧୦୪ଟି ୱିକେଟ୍ ନେଇଛନ୍ତି। ୨୦୨୫-୨୬ ସିଜନ୍‌ରେ ୬୦ଟି ୱିକେଟ୍ ନେଇ ଜମ୍ମୁ-କାଶ୍ମୀରକୁ ପ୍ରଥମ ଥର ରଣଜୀ ଟ୍ରଫି ଜିତାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ।

ନିକଟରେ ଭାରତ ‘ଏ’ ଦଳ ସହ ଶ୍ରୀଲଙ୍କା ଗସ୍ତରେ ମଧ୍ୟ ଥିଲେ ଆକିବ। ସେଠାରେ ଦୁଇଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ରେ ୬ଟି ୱିକେଟ୍ ନେଇ ନିଜର ଦକ୍ଷତା ଦେଖାଇଥିଲେ। ଅନ୍ୟପଟେ, ଭାରତୀୟ ବ୍ୟାଟର ବି ସାଇ ସୁଦର୍ଶନଙ୍କ ଖେଳିବା ନେଇ ଫିଟନେସ୍ କ୍ଲିୟରାନ୍ସ ଉପରେ ନିର୍ଭର କରିବ। ଭାରତ ‘ଏ’ ଦଳର ଶ୍ରୀଲଙ୍କା ଗସ୍ତ ସମୟରେ ତାଙ୍କ ପାଦରେ ଆଘାତ ଲାଗିଥିଲା।

ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଅଗଷ୍ଟ ୧୫ରୁ ଗାଲେରେ ଆରମ୍ଭ ହେବ। ଏହି ସିରିଜ୍ ପାଇଁ ଶୁବମନ ଗିଲ୍ ଅଧିନାୟକ ଓ କେଏଲ ରାହୁଲ ଉପଅଧିନାୟକ ରହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।