WhatsApp Username Row: ହ୍ବାଟସଆପର "USER NAMES" ଫିଚର; ବଢିବ ବିପଦ! ଚୋରି ହେବ ପରିଚୟ? କଠୋର ହେଲେ କେନ୍ଦ୍ର ସରକାର
ହ୍ବାଟସଆପର "USER NAMES" ଫିଚରକୁ ନେଇ କଠୋର ଆଭିମୁଖ୍ୟ ଦେଖାଇଲେ କେନ୍ଦ୍ର ସରକାର। ରୋଲ୍ ଆଉଟ୍ ଉପରେ ରୋକ୍ ଲଗାଇବା ସହ ମେଟାକୁ ଜାରି ହେଲା ନୋଟିସ। ଏହି ନୂତନ ସୁବିଧା ଦ୍ୱାରା ଅନଲାଇନ୍ ଠକେଇ, ପରିଚୟ ଚୋରି ଏବଂ ସାଇବର ଅପରାଧ ବୃଦ୍ଧି ପାଇବାର ଆଶଙ୍କା ପ୍ରକାଶ କରିଛି କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ।
ଏଥିପାଇଁ ୩ ଦିନରେ ଜବାବ ଦାଖଲ କରିବାକୁ ମେଟାକୁ ନୋଟିସ୍ ଜାରି କରାଯାଇଛି। ଏହି ଫିଚରର ସୁରକ୍ଷା ବ୍ୟବସ୍ଥା ନେଇ ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଏହା ସହିତ ସରକାରୀ ସ୍ତରରେ ସମ୍ପୂର୍ଣ୍ଣ ଆଲୋଚନା ଓ ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଭାରତରେ ଏହି ଫିଚରକୁ ଲଞ୍ଚ ନକରିବା ପାଇଁ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ଫିଚର ଦ୍ବାରା ସରକାରୀ ଅଧିକାରୀ, ବ୍ୟାଙ୍କ କିମ୍ବା ଜଣାଶୁଣା ବ୍ୟକ୍ତିଙ୍କ ନାମରେ ନକଲି ୟୁଜରନେମ୍ ତିଆରି କରି ସାଇବର ଅପରାଧୀମାନେ ଲୋକଙ୍କୁ ସହଜରେ ବିଭ୍ରାନ୍ତ କରି ଟଙ୍କା ଲୁଟି ପାରନ୍ତି। ୟୁଜରନେମ୍ ବ୍ୟବହାର କରିବା ଦ୍ୱାରା ମୋବାଇଲ୍ ନମ୍ବର ଲୁଚି ରହିବ। ଏହାଦ୍ୱାରା ତଦନ୍ତକାରୀ ସଂସ୍ଥାମାନଙ୍କ ପାଇଁ ଅପରାଧୀଙ୍କ ପ୍ରକୃତ ପରିଚୟ ଏବଂ ସେମାନେ ଭାରତରେ ଅଛନ୍ତି ନା ବିଦେଶରେ, ତାହା ଟ୍ରାକ୍ କରିବା କଷ୍ଟକର ହେବ।
କେବଳ ଆଇଡି ଜରିଆରେ ମେସେଜ୍ ଆସିଲେ, ଦେଶରେ ବ୍ୟାପକ ଭାବେ ବଢୁଥିବା 'ଡିଜିଟାଲ୍ ଆରେଷ୍ଟ' ଏବଂ ଫିସିଙ୍ଗ୍ ସ୍କାମ୍ ଆହୁରି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଭାରତରେ ହ୍ୱାଟ୍ସଆପର ପ୍ରାୟ ୫୦ କୋଟି ୟୁଜର ଅଛନ୍ତି। ଡିଜିଟାଲ୍ ସୁରକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷା ସହିତ କୌଣସି ପ୍ରକାରର ସାଲିସ୍ କରାଯିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି।
ସେପଟେ ହ୍ବାଟ୍ସଅପର ଜଣେ ଅଧିକାରୀଙ୍କ କହିବା କଥା, ପ୍ରସିଦ୍ଧ ବ୍ୟକ୍ତି , ସରକାରୀ ସଂସ୍ଥା ଏବଂ ଭେରିଫାଏଡ୍ ମେଟା ଆକାଉଣ୍ଟ୍ ଗୁଡ଼ିକର ନାମକୁ ହ୍ୱାଟ୍ସଆପ୍ ଆଗୁଆ ସଂରକ୍ଷିତ କରି ରଖିଛି। ଯେପରି କେହି ସେମାନଙ୍କ ନାଁରେ ନକଲି ଆକାଉଣ୍ଟ୍ ଖୋଲି ଲୋକଙ୍କୁ ଠକି ନପାରିବେ ସେଥିପାଇଁ ବ୍ୟବସ୍ଥା ହାତକୁ ନିଆଯାଇଛି।