Weather Forecast: ଆଜି ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷିବ,ଜଗତସିଂହପୁରକୁ ରେଡ୍ ଆଲର୍ଟ
ଭୁବନେଶ୍ୱର,୧୫/୦୭: ରଥଯାତ୍ରାରେ ପୂରା ରାଜ୍ୟକୁ ଭିଜାଇବ ବର୍ଷା । ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ବର୍ଷା ହୋଇପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।
ବୁଧବାର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବ । ଜଗତସିଂହପୁରରେ ଅତି ଭୀଷଣ ବର୍ଷା ଆଶଙ୍କା ଅଛି । ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଥିବା ଘୂର୍ଣ୍ଣିବଳୟ ବୁଧବାର ସୁଦ୍ଧା ଲଘୁଚାପରେ ପରିଣତ ହେବ ।
ଏହା ପ୍ରଭାବରେ ବୁଧବାର ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, କେନ୍ଦୁଝର, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ ଢେଙ୍କାନାଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏ ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଗୁରୁବାର ବା ରଥଯାତ୍ରା ଦିନ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ସେହିଭଳି ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମରେ ପ୍ରବଳ ବର୍ଷା ହୋଇପାରେ ।
ଅଧିକ ପଢ଼ନ୍ତୁ :- ବାଲେଶ୍ୱର ସହରରେ କୃତ୍ରିମ ବନ୍ୟା, ରାସ୍ତା ଉପରେ ୨ ଫୁଟ ଉଚ୍ଚରେ ଲହଡି ଭାଙ୍ଗୁଛି ଡ୍ରେନ ପାଣି
୧୭ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା ଅଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱରରେ ସର୍ବାଧିକ ୧୦୦ ମିମି ବର୍ଷା ହୋଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।