water in Renton Nala: ରେଣ୍ଟନ୍ ନାଳରେ ୮ଫୁଟ ଉଚ୍ଚ ପାଣି: ତଣ୍ଡିଡିହ ଗାଁ ଜଳବନ୍ଦି
ପାଳଲହଡ଼ା: ରେଣ୍ଟନ୍ ନାଳରେ ପ୍ରାୟ ୮ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଅନୁଗୋଳ ଜିଲ୍ଲା ପାଳଲହଡ଼ା ବ୍ଲକ୍ ବନ୍ଧାଭୂଇଁ ପଞ୍ଚାୟତର ତଣ୍ଡିଡିହ ଗାଁ ଜଳବନ୍ଦି ହୋଇଛି। ୫ ବର୍ଷ ତଳେ ଏହି ନାଳ ଉପରେ ଥିବା ପୋଲ ଭାଙ୍ଗିଯାଇଥିଲା। ଆଜି ପର୍ଯ୍ୟନ୍ତ ପୋଲ ମରାମତି ହୋଇ ନଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି।
ଜମରଡିହସ୍ଥିତ ପିବିଡିଏ କାର୍ଯ୍ୟାଳୟଠାରୁ ମାତ୍ର ୩ କିଲୋମିଟର ଦୂରରେ ରହିଛି ତଣ୍ଡିଡିହ ଗାଁ। ସରକାରଙ୍କ ସ୍ୱତନ୍ତ୍ର ପିବିଡିଏ ଯୋଜନାରେ ଏହି ଗାଁ ସାମିଲ ହୋଇଛି। ଏହା ସତ୍ତ୍ବେ ଗାଁର ବିକାଶ ହୋଇପାରୁନି। ଭୀମକାଣ୍ଡ ଛକରୁ ଗାଁକୁ ଯାଇଥିବା ପୋଲଟି ୫ ବର୍ଷ ତଳେ ଭାଙ୍ଗିଯାଇଥିଲା। ଏହା ପରଠାରୁ ଆମ୍ବୁଲାନ୍ସ ସମେତ କୌଣସି ଯାନବାହନ ଗାଁକୁ ଯାଇପାରୁ ନାହିଁ। ପୋଲ ମରାମତି ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଫଳରେ ଲୋକମାନେ ଜମରଡିହ ହାଟ ନିକଟରେ ରେଣ୍ଟନ୍ ନାଳ ପାର ହୋଇ ଯାତାୟାତ କରୁଥିଲେ।
ଗତ ରାତିର ପ୍ରବଳ ବର୍ଷା ଯୋଗୁଁ ରେଣ୍ଟନ୍ ନାଳରେ ପ୍ରାୟ ୮ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ଏହାଫଳରେ ତଣ୍ଡିଡିହ ଗାଁ ସମ୍ପୂର୍ଣ୍ଣ ଜଳବନ୍ଦି ହୋଇପଡ଼ିଛି। ଜରୁରି ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ସରକାରୀ ସେବା ଗାଁରେ ପହଞ୍ଚିବା ଅସମ୍ଭବ ହୋଇପଡ଼ିଛି। ଏପରି ପରିସ୍ଥିତିରେ ଯଦି କେହି ବି ଅସୁସ୍ଥ ହୋଇପଡ଼ନ୍ତି, ତୁରନ୍ତ ରୋଗୀଙ୍କୁ ଚିକିତ୍ସା ପାଇଁ ନେବା ସମ୍ଭବ ନୁହେଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ପୂର୍ବତନ ମହିଳା ସରପଞ୍ଚ ଗୋଲା କାରଜୀ ଅଭିଯୋଗ କରିଛନ୍ତି ଯେ, ପିବିଡିଏ କେବଳ କାଗଜପତ୍ରରେ ସୀମିତ ରହିଛି। ଗ୍ରାମବାସୀଙ୍କୁ ସରକାରୀ ଯୋଜନାର ସୁଫଳ ମିଳୁନାହିଁ। ତୁରନ୍ତ ଭଙ୍ଗା ପୋଲର ମରାମତି କିମ୍ବା ନୂତନ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।