Villages Await Pucca Road: ଗାଁର ଦୁଃଖ ଅସରନ୍ତି; ଆଜି ବି ପହଞ୍ଚିନି ପକ୍କା ସଡ଼କ, ଖାଲଖମା ଭରା ରାସ୍ତାରେ ବିପଦପୂର୍ଣ୍ଣ ଯାତାୟାତ
ପ୍ରତ୍ୟେକ ଗାଁକୁ ପକ୍କା ସଡ଼କ ଯୋଜନା ଏଠି ମାରିଛି ଫେଲ l ଦଶନ୍ଧି ପରେ ଦଶନ୍ଧି ବିତୁଛି ହେଲେ ଖାଲଖମା ଭରା ପଥୁରିଆ ରାସ୍ତାରେ ଯାତାୟତ କରୁଛନ୍ତି ୨ ଗାଁର ଲୋକ। ଆମ୍ବୁଲାନ୍ସ ତ ଦୂରର କଥା ଗାଁରେ କେବେ ପହଞ୍ଚି ପାରିନାହିଁ ଚାରିଚକିଆ ଯାନ। ନିର୍ବାଚନ ସମୟରେ ଗାଁକୁ ନେତା ମନ୍ତ୍ରୀ ଆସିଥିଲେ, ସମସ୍ୟା ଦୂର ପାଇଁ ପ୍ରତିଶୃତି ବି ଦେଇଥିଲେ। ଲୋକଙ୍କ ଭୋଟରେ ସରକାର ବଦଳିଗଲା ହେଲେ ରାସ୍ତାର ଅବସ୍ଥା ବଦଳିଲା ନାହିଁ l
ଏହି ରାସ୍ତାରେ ବାଇକ ଚଳାଇବା ଷ୍ଟଣ୍ଟ ଦେଖାଇବା ସହ ସମାନ l କାରଣ ଟିକେ ଅସାବଧାନତା ହେଲେ ସିଧା ଯମପୁରକୁ ଯିବା ଥୟ l ରାସ୍ତା ସାରା ଖାଲ ଖମା ସହ ପଥର ଭରପୁର l ତାସାଙ୍ଗକୁ ସଂକୀର୍ଣ୍ଣ ପାହାଡିଆ ଗଡ଼ାଣି l ଯିଏ ଥରେ ଯିବ ତାପରେ ଆଉକେବେ ଯିବାକୁ ଇଚ୍ଛା କରିବ ନାହିଁ l ହେଲେ ଏହି ବିପଦପୂର୍ଣ୍ଣ ରାସ୍ତା ଦୁଇ ଗାଁ ପାଇଁ ସାଜିଛି ଲାଇଫ ଲାଇନ l ଗଞ୍ଜାମ ପୋଲସରା ବ୍ଲକ ଗୋଛାବାଡି ପଞ୍ଚାୟତର ଚାଞ୍ଚଡା ଏବଂ ପାଣ୍ଡିରୀପଡା ପଞ୍ଚାୟତର ତୋସିଙ୍ଗି ଗାଁର ଶତାଧିକ ଲୋକ ଏହି ରାସ୍ତା ଉପରେ ନିର୍ଭରଶୀଳ l
ସରକାରଙ୍କ ମାଗଣା ଚାଉଳଠୁ ଆରମ୍ଭ କରି ଭତ୍ତା, ଶିକ୍ଷା, ସ୍ବାସ୍ଥ୍ୟ ସେବା ସବୁ ଏହି ବିପଦ ସଂକୁଳ ରାସ୍ତା ପାରହେଲେ ହିଁ ମିଳେ l ସବୁଠାରୁ ବଡ଼ କଥା ହେଲା କେବେବି ଚାରିଚକିଆ ଯାନ କି ଆମ୍ବୁଲାନ୍ସ ଗାଁ ମୁହଁ ମାଡ଼ିନାହିଁ l ଲୋକଙ୍କ ସମସ୍ୟା ବୁଝିବାକୁ କିଛି ମାସ ତଳେ ସ୍ଥାନୀୟ ସାଂସଦ ଟ୍ରାକ୍ଟରରେ ଗାଁକୁ ଆସି ରାସ୍ତା ସମସ୍ୟା ଦୂର ନେଇ ପ୍ରତିଶୃତି ଦେଇଥିଲେ। ହେଲେ ତାହା ଆଜି ପର୍ଯ୍ୟନ୍ତ ପୂରଣ ହୋଇପାରିନାହିଁ l
ପିଢ଼ି ପରେ ପିଢ଼ି ବିତୁଛି ସତ ହେଲେ ଚାଞ୍ଚଡା ଓ ତୋସିଙ୍ଗି ଗାଁକୁ ପହଞ୍ଚି ପାରୁନାହିଁ ପକ୍କାସଡ଼କ l ଗାଁଠାରୁ ପାଞ୍ଚ କିଲୋମିଟର ଦୂର ପାଲକା ଠାରେ ସରକାରଙ୍କ ସମସ୍ତ ଯୋଜନା ସମାପ୍ତ ହୋଇଯାଇଥିବା ଭଳି ମନେ ହେଉଛି l କାରଣ ଆବାସ ଘର ପାଇଁ ଗାଁଲୋକ ଆବେଦନ କରିଛନ୍ତି ସତ, ହେଲେ ରାସ୍ତା ନଥିବାରୁ ଇଟା, ବାଲି, ସିମେଣ୍ଟ ଭଳି ନିର୍ମାଣ ସାମଗ୍ରୀ ପହଞ୍ଚି ପାରୁନି।
ସେପଟେ ରାସ୍ତା ସମସ୍ୟା ପାଇଁ ଗାଁକୁ ବନ୍ଧୁବାନ୍ଧବ ବି ଆସିବାକୁ ନାରାଜ। କୌଣସି କାର୍ଯ୍ୟ ହେଲେ ଝିଅ ଜ୍ୱାଇଁ ଥରେ ଆସିଲେ ଦ୍ୱିତୀୟ ଥର ଆସିବାକୁ ୧୦ ଥର ଚିନ୍ତା କରୁଛନ୍ତି। ରାସ୍ତା ସମସ୍ୟା ଦୂର ଲାଗି ଦୁଇ ଗ୍ରାମବାସୀ ବାରମ୍ବାର ପ୍ରଶାସନ, ନେତା, ମନ୍ତ୍ରୀଙ୍କୁ ଜଣାଇଛନ୍ତି। ସେପଟେ ଡିପିଆର ପ୍ରସ୍ତୁତ ହୋଇଛି ରାସ୍ତା ସମସ୍ୟା ଦୂର ଲାଗି ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୋଲସରା ବିଡ଼ିଓ l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।