Vegetable Prices Skyrocket Across Odisha: ବଜାରକୁ ଯିବାକୁ ଡର ଲାଗୁଛି, ୫୦ରୁ ତଳକୁ ଖସୁନି ପରିବା ଦର

Jul 20, 2026 - 19:58
Vegetable Prices Skyrocket Across Odisha: ବଜାରକୁ ଯିବାକୁ ଡର ଲାଗୁଛି, ୫୦ରୁ ତଳକୁ ଖସୁନି ପରିବା ଦର

ବାଇଗଣ ୮୦। ଟମାଟୋ ୬୦। ଭେଣ୍ଡି ବି ୬୦। ବିନ୍ସ, ସଜନା ଛୁଇଁ ଆଡ଼କୁ ଦେଖିବାକୁ ଡର ଲାଗୁଛି। ୫୦ ତଳକୁ ପରିବା ନାହିଁ। ରାଜ୍ୟରେ ଧାଏଁକିନା ବଢିଗଲା ପନିପରିବା ଦାମ୍। ସପ୍ତାହେ ଭିତରେ ଦର ଦୁଇଗୁଣା। ୪ ଦିନ ତଳେ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପରିବା ଏବେ ୬୦ ଉପରେ । କଟକ ଛତ୍ରବଜାରର ଦାମ୍ ଅନୁସାରେ, ବାଇଗଣ କେଜି ୭୦ରୁ ୮୦ ଟଙ୍କା, କଲରା ୬୦, ପୋଟଳ ୮୦, ଜହ୍ନି ୬୦, ବିନ୍ସ ୧୩୦, ସଜନା ଛୁଇଁ ୧୫୦, ଧନିଆଁ ପତ୍ର କେଜିକୁ ୨୦୦ ଟଙ୍କା। କୋଉ ଗୋଟିକ ପରିବାର ୫୦-୬୦ରୁ କମ୍ ନାହିଁ। ଭୁବନେଶ୍ବରରୁ ଭଦ୍ରକ ଯାଏଁ, ସବୁଠି ସମାନ ସ୍ଥିତି । ହାଣ୍ଡିଶାଳରେ ହଠାତ ପରିବା ପ୍ରହାର ଖାଉଟିଙ୍କ ଅଣ୍ଟା ଭାଙ୍ଗିଦେଇଛି। ଦୋକାନୀଙ୍କଠୁ ଦାମ୍ ଶୁଣି ହୋସ୍ ଉଡ଼ିଯାଉଛି । ବ୍ୟାଗ୍ ଫୁଲ୍ କରି ପରିବା ଆଣୁଥିବା ଗରାଖଙ୍କ ପାଇଁ ଚିନ୍ତା ପାଲଟିଛି ଅମୂଲ ମୂଲ। ପୂର୍ବରୁ ଯେତିକି ଟଙ୍କାରେ ବ୍ୟାଗ୍ ଫୁଲ୍ ହେଉଥିଲା ଏବେ ସେତିକିରେ ଅଧା ବି ଭରୁନି।

କାହିଁକି ରକେଟ୍ ବେଗରେ ବଢ଼ିଗଲା ପରିବା ଦାମ୍ ? ସପ୍ତାହକରେ ଦର ଡବଲ୍ ହେବା ପଛରେ କାରଣ କଣ ? ଲଘୁଚାପ ବର୍ଷାରେ ଆଠଗଡ଼ ଅଞ୍ଚଳର ବୁଡ଼ି ନଷ୍ଟ ହୋଇଯାଇଛି ଏକର ଏକର ଜମିର ଫସଲ। ଅମଳ ସମୟରେ ସବୁକିଛି ଛାରଖାର ହୋଇଯାଇଛି। କେବଳ ଆଠଗଡ଼ ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏମିତି ଅବସ୍ଥା। ବ୍ୟବସାୟୀଙ୍କ କହିବା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ପନିପରିବା ଫସଲ ନଷ୍ଟ ହୋଇଯାଇଛି। ସାଧାରଣତଃ ବର୍ଷା ଦିନେ ସ୍ଥାନୀୟ ପରିବା ବଜାରକୁ ଆସିଥାଏ। କିନ୍ତୁ ଏବେ ମାର୍କେଟକୁ ଲୋକାଲ ପରିବା ଆସୁନି । ବାହାର ରାଜ୍ୟରେ ଆମଦାନୀ ହେଉଥିବା ପରିବା ବି ବର୍ଷା ମାଡ଼ ଖାଇ ନଷ୍ଟ ହୋଇଯାଉଛି। ଅନ୍ୟପଟେ ରଥଯାତ୍ରା କାରଣରୁ ପୁରୀକୁ ପୂର୍ବାପେକ୍ଷା ଅଧିକ ପରିବା ଯୋଗାଣ ହେଉଛି। ଏଣୁ ଚାହିଦା ଅଧିକ ଓ କମ୍ ଉପଲବ୍ଧତା କାରଣରୁ ସ୍ବାଭାବିକ ଭାବେ ଦାମ୍ ବଢୁଛି। ବେପାର ମଧ୍ୟ ଘାଟାରେ ଚାଲୁଛି । 

ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ଅନେକ ଅତ୍ୟାବଶ୍ୟକ ସାମଗ୍ରୀର ଦାମ୍ ପୂର୍ବରୁ ବଢିସାରିଛି । ଖାଇବା ତେଲଠୁ ଆରମ୍ଭ କରି ଏଲପିଜି ଓ ପେଟ୍ରୋଲ-ଡିଜେଲ୍ ଦାମ୍ ଖାଉଟିଙ୍କୁ ଚିନ୍ତାରେ ପକାଇଛି। ଏଭଳି ସ୍ଥିତିରେ ବର୍ଦ୍ଧିତ ପରିବା ଦର ମଧ୍ୟବିତ୍ତଙ୍କ ମୁଣ୍ଡ ଉପରେ ଚଡ଼କ ପକାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।