Ryan Reynolds hints at Deadpool's MCU future: ଡେଡପୁଲ୍‌ର ନୂଆ ପ୍ରୋଜେକ୍ଟ ନେଇ ରାଇନ୍ ରେନୋଲ୍ଡସ୍ ଦେଲେ ବଡ଼ ହିଣ୍ଟ

Jul 21, 2026 - 16:16
Ryan Reynolds hints at Deadpool's MCU future: ଡେଡପୁଲ୍‌ର ନୂଆ ପ୍ରୋଜେକ୍ଟ ନେଇ ରାଇନ୍ ରେନୋଲ୍ଡସ୍ ଦେଲେ ବଡ଼ ହିଣ୍ଟ

ମାର୍ଭେଲ୍ ସିନେମାଟିକ୍ ୟୁନିଭର୍ସରେ (ଏମସିୟୁ) ଡେଡପୁଲର ଭବିଷ୍ୟତକୁ ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ହଲିଉଡ୍ ଅଭିନେତା ରାଇନ୍ ରେନୋଲ୍ଡସ୍ ହିଣ୍ଟ ଦେଇଛନ୍ତି ଯେ ଡେଡପୁଲକୁ ନେଇ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ ଚାଲିଛି। ଯଦିଓ ସେ ପ୍ରୋଜେକ୍ଟର ନାଁ ବା କାହାଣୀ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି, ତାଙ୍କ ମନ୍ତବ୍ୟ ମାର୍ଭେଲ୍ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ାଇଛି।

ରାଇନ୍ ରେନୋଲ୍ଡସ୍ ଏହା ସ୍ପଷ୍ଟ କରିନାହାନ୍ତି ଯେ ଆଗାମୀ ପ୍ରୋଜେକ୍ଟଟି 'ଡେଡପୁଲ୍ ୪' ହେବ କିମ୍ବା ଅନ୍ୟ କୌଣସି ଏମସିୟୁ ଫିଲ୍ମରେ ୱେଡ୍ ୱିଲସନଙ୍କ ଉପସ୍ଥିତି ଦେଖିବାକୁ ମିଳିବ। ତେବେ ପୂର୍ବରୁ ମଧ୍ୟ ସେ ସଙ୍କେତ ଦେଇଥିଲେ ଯେ ଡେଡପୁଲର ପରବର୍ତ୍ତୀ ଫିଳ୍ମ ଗୁଡିକ ପୂର୍ବ ଫିଲ୍ମଗୁଡ଼ିକ ଠାରୁ ଭିନ୍ନ ହୋଇପାରେ।

୨୦୨୩ରେ ରେନୋଲ୍ଡସ୍ କହିଥିଲେ ଯେ ସେ କାହାଣୀ ଅପେକ୍ଷା ବଡ଼ ଟିମର ଅଂଶ ଭାବେ ଡେଡପୁଲକୁ ଦେଖିବାକୁ ଆଗ୍ରହୀ। ସେହି ମନ୍ତବ୍ୟ ପରଠାରୁ ଏହି ଚରିତ୍ରକୁ ନେଇ ମାର୍ଭେଲର ବଡ଼ ଯୋଜନା ଥିବା ନେଇ ଅନୁମାନ ଚାଲି ଆସୁଛି।

ଫ୍ୟାନାଟିକ୍ସ ଫେଷ୍ଟ ୨୦୨୬ରେ ଯୋଗଦେଇ ରାଇନ୍ ରେନୋଲ୍ଡସ୍ କହିଥିଲେ ଯେ ମାର୍ଭେଲ୍ କମିକ୍ସର ଅନେକ କାହାଣୀ ଏପର୍ଯ୍ୟନ୍ତ ବଡ଼ ପରଦାକୁ ଆସିନାହିଁ। ସେ କହିଥିଲେ, "ମୋତେ ଲାଗୁଛି କମିକ୍ସରେ ଏମିତି ଅନେକ ଗଭୀର କାହାଣୀ ରହିଛି, ଯାହା ଏପର୍ଯ୍ୟନ୍ତ ଫିଲ୍ମରେ ଆସିନାହିଁ। ଆଗକୁ କିଛି ଆସୁଛି। ଶେଷରେ ଆଉ ଏକ ଡେଡପୁଲ୍ ନିଶ୍ଚିତ ଭାବେ ଆସିବ।"

ଯଦିଓ ସେ ରିଲିଜ୍ ସମୟ କିମ୍ବା କାହାଣୀ ବିଷୟରେ କିଛି କହିନାହାନ୍ତି, ତଥାପି ଏହାକୁ ଡେଡ୍ପୁଲ୍ର ଭବିଷ୍ୟତକୁ ନେଇ ତାଙ୍କର ସବୁଠାରୁ ବଡ଼ ସଙ୍କେତ ବୋଲି ଧରାଯାଉଛି। ଗତ କିଛି ମାସ ଧରି ଚର୍ଚ୍ଚା ଚାଲିଛି ଯେ ଏମସିୟୁରେ ମ୍ୟୁଟାଣ୍ଟ ଯୁଗ ଆରମ୍ଭ କରିବା ପାଇଁ ମାର୍ଭେଲ୍ ଡେଡପୁଲକୁ ବଡ଼ ଭୂମିକାରେ ଦେଖାଯାଇପାରେ। ଅନେକ ରିପୋର୍ଟରେ କୁହାଯାଉଛି ଯେ ତାଙ୍କର ପରବର୍ତ୍ତୀ ଯାତ୍ରା ଏକ୍ସ-ମ୍ୟାନ୍ ଚରିତ୍ରମାନଙ୍କ ସହ ଜଡ଼ିତ ହୋଇପାରେ।

ଯଦିଓ ମାର୍ଭେଲ୍ ଷ୍ଟୁଡିଓଜ୍ କିମ୍ବା ରାଇନ୍ ରେନୋଲ୍ଡସ୍ ଏହି ଗୁଜବକୁ ସ୍ୱୀକାର କରିନାହାନ୍ତି, ତଥାପି ଏମସିୟୁରେ ମ୍ୟୁଟାଣ୍ଟ କାହାଣୀର ବିସ୍ତାରକୁ ଦେଖି ଏଭଳି ସମ୍ଭାବନାକୁ ଅସ୍ୱୀକାର କରାଯାଇ ପାରୁନାହିଁ। ରିପୋର୍ଟ ଅନୁସାରେ, ପରବର୍ତ୍ତୀ ସୋଲୋ ଫିଲ୍ମ ପୂର୍ବରୁ ରାଇନ୍ ରେନୋଲ୍ଡସ୍ 'ଆଭେଞ୍ଜର୍ସ: ଡୁମ୍ସଡେ'ରେ ଡେଡପୁଲ୍ ଭୂମିକାରେ ନଜର ଆସିପାରନ୍ତି।

ଯଦିଓ ମାର୍ଭେଲ୍ ଏପର୍ଯ୍ୟନ୍ତ ଏହାକୁ ନିଶ୍ଚିତ କରିନାହିଁ, ତଥାପି ଏହି କ୍ରସଓଭର ଫିଲ୍ମରେ ଅନେକ ପୁରୁଣା ଓ ନୂଆ ସୁପରହିରୋଙ୍କ ସହ ଡେଡପୁଲକୁ ଦେଖିବାକୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ରବର୍ଟ ଡାଉନି ଜୁନିଅର, କ୍ରିସ୍ ହେମ୍ସୱର୍ଥ, ଦ ଫ୍ୟାଣ୍ଟାଷ୍ଟିକ୍ ଫୋର୍, କ୍ୟାପ୍ଟେନ୍ ଆମେରିକା ଓ ସାଙ୍ଗ-ଚିଙ୍କ ପରି ଚରିତ୍ରମାନେ ମଧ୍ୟ ଏହି ବଡ଼ ପ୍ରୋଜେକ୍ଟରେ ଥାଇପାରନ୍ତି ବୋଲି କୁହାଯାଉଛି।

'ଡେଡପୁଲ୍ ଆଣ୍ଡ ୱଲଭରିନ୍'ର ସଫଳତା ପରେ ଏମସିୟୁରେ ଏହି ଚରିତ୍ରର ଗୁରୁତ୍ୱ ଆହୁରି ବଢ଼ିଛି। ରାଇନ୍ ରେନୋଲ୍ଡସଙ୍କ ମନ୍ତବ୍ୟ ଗୋଟିଏ କଥା ସ୍ପଷ୍ଟ କରୁଛି, ମାର୍ଭେଲ୍ ଏବେ ଡେଡପୁଲକୁ ଛାଡିବା ମୁଡରେ ନାହିଁ। ସେ ପରବର୍ତ୍ତୀ ସୋଲୋ ଫିଲ୍ମରେ ନଜର ଆସୁନ୍ତୁ କିମ୍ବା ଏମସିୟୁର ବଡ଼ ମ୍ୟୁଟାଣ୍ଟ କାହାଣୀର ଅଂଶ ହୁଅନ୍ତୁ, ଆଗାମୀ ଦିନରେ ଡେଡପୁଲକୁ ନେଇ ପ୍ରଶଂସକଙ୍କ ପାଇଁ ଆହୁରି ବଡ଼ ସର୍ପ୍ରାଇଜ୍ ରହିଛି।
 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।