Vaibhav Sooryavanshi Makes India Debut: ୧୫ ବର୍ଷରେ ଇତିହାସ ରଚିଲେ ବୈଭବ, ଭାଙ୍ଗିଲେ ସଚିନଙ୍କ ରେକର୍ଡ

ଭାରତୀୟ କ୍ରିକେଟ୍ରେ ଲେଖାହେଲା ନୂଆ ଇତିହାସ। ମାତ୍ର ୧୫ ବର୍ଷ ବୟସରେ ଟିମ୍ ଇଣ୍ଡିଆ ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଛନ୍ତି ବିହାରର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହା ସହ ସେ ଭାରତ ପାଇଁ ସବୁଠୁ କମ୍ ବୟସରେ ଡେବ୍ୟୁ କରିବାର ରେକର୍ଡ ନିଜ ନାମରେ କରିଛନ୍ତି।
୧୫ ବର୍ଷ ୩ ମାସ ୭ ଦିନ ବୟସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ଭାରତ ପାଇଁ ଡେବ୍ୟୁ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ବିହାରର ସମସ୍ତିପୁରର ଏହି ବିସ୍ଫୋରକ ଓପନରଙ୍କୁ ମାଞ୍ଚେଷ୍ଟରରେ ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇଛନ୍ତି ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଟିମ୍ ମ୍ୟାନେଜମେଣ୍ଟ।
ଆଇପିଏଲ୍ରେ ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ଚର୍ଚ୍ଚାକୁ ଆସିଥିବା ବୈଭବ ନିକଟରେ ଦାମ୍ବୁଲାରେ ଅନୁଷ୍ଠିତ ଇଣ୍ଡିଆ-ଏ ତ୍ରିରାଷ୍ଟ୍ରୀୟ ସିରିଜ୍ ଫାଇନାଲରେ ଶ୍ରୀଲଙ୍କା-ଏ ବିପକ୍ଷରେ ମାତ୍ର ୧୧ଟି ବଲ୍ରେ ଦ୍ରୁତତମ ଲିଷ୍ଟ-ଏ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୨୯ ବଲ୍ରେ ୯୪ ରନ୍ କରି ଆଉଟ୍ ହୋଇଥିଲେ ମଧ୍ୟ ତାଙ୍କ ବିସ୍ଫୋରକ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିଥିଲା।
ଏହି ଡେବ୍ୟୁ ସହ ବୈଭବ ଭାରତ ପାଇଁ ସବୁଠୁ କମ୍ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିବା ଖେଳାଳି ହୋଇଛନ୍ତି। ସେ ୨୦୧୯ରେ ୧୫ ବର୍ଷ ୨୩୯ ଦିନ ବୟସରେ ଡେବ୍ୟୁ କରିଥିବା ଶେଫାଲି ବର୍ମାଙ୍କ ରେକର୍ଡକୁ ଭାଙ୍ଗିଛନ୍ତି। ପୁରୁଷ କ୍ରିକେଟ୍ରେ ସେ ୧୬ ବର୍ଷ ୨୦୫ ଦିନ ବୟସରେ ଡେବ୍ୟୁ କରିଥିବା କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି।
ଟି-୨୦ ଅନ୍ତର୍ଜାତୀୟରେ ବୈଭବଙ୍କ ପରେ ସବୁଠୁ କମ୍ ବୟସରେ ଭାରତ ପାଇଁ ଡେବ୍ୟୁ କରିଥିବା ଖେଳାଳି ହେଲେ ୱାଶିଂଟନ ସୁନ୍ଦର, ଋଷଭ ପନ୍ତ ଏବଂ ଈଶାନ୍ତ ଶର୍ମା। ଏବେ ସମସ୍ତଙ୍କ ନଜର ରହିବ ଏହି ଯୁବ ତାରକାଙ୍କ ପ୍ରଦର୍ଶନ ଉପରେ।
The start of a special chapter ✨
— BCCI (@BCCI) July 4, 2026
A proud moment as Vaibhav Sooryavanshi receives his #TeamIndia cap from Vice-Captain Tilak Varma 🧢
Updates ▶️ https://t.co/WYfL8tAm58 #ENGvIND pic.twitter.com/zpLtixYDgM