India tightens action on Meta and Telegram: ଇଣ୍ଡିଆ ରାଡାରରେ ମେଟା-ଟେଲିଗ୍ରାମ୍, କେନ୍ଦ୍ରର କଡ଼ା ଡୋଜ୍

୧୫ ଦିନ...ଚାରି ବଡ଼ ଆକ୍ସନ୍। ପ୍ରଥମେ ଟେଲିଗ୍ରାମ୍ ସାମୟିକ ବ୍ୟାନ୍...ପରେ ମେଟାକୁ ନୋଟିସ୍...ଇନଷ୍ଟାଗ୍ରାମକୁ ସମନ୍...ଆଉ ଆଜି ଟେଲିଗ୍ରାମକୁ ପୁଣି କଡ଼ା ତାଗିଦ୍। ସୋସିଆଲ୍ ମିଡିଆରେ ବେଆଇନ କଣ୍ଟେଣ୍ଟ ଓ ପାଇରେସିକୁ ନେଇ ଆକ୍ସନ୍ ମୋଡରେ କେନ୍ଦ୍ର ସରକାର। ଭାରତରେ ପାଇରେସି ବିରୋଧରେ ବଡ଼ ପଦକ୍ଷେପ ନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଟେଲିଗ୍ରାମକୁ ଜାରି କରିଛି ନୋଟିସ୍।
ଅଭିଯୋଗ ହୋଇଛି, ହଜାର ହଜାର ଟେଲିଗ୍ରାମ ଚ୍ୟାନେଲ ଜରିଆରେ ନୂଆ ଫିଲ୍ମ ଓ ଓଟିଟି କଣ୍ଟେଣ୍ଟର ପାଇରେଟେଡ୍ କପି ବେଆଇନ ଭାବେ ପ୍ରସାରଣ କରାଯାଉଛି। ଏହାକୁ ତୁରନ୍ତ ବନ୍ଦ କରିବା ସହ ୧୫ ଦିନ ମଧ୍ୟରେ ଆକ୍ସନ୍ ଟେକେନ୍ ରିପୋର୍ଟ ଦେବାକୁ କୁହାଯାଇଛି। ସୂଚନା ଅନୁସାରେ, ନୂଆ ଫିଲ୍ମ ଓ ୱେବ୍ ସିରିଜର ପାଇରେଟେଡ୍ କପି ସେୟାର୍ କରିବାରେ ଟେଲିଗ୍ରାମ ସାଜିଥିଲା ବଡ଼ ମାଧ୍ୟମ। ହଜାର ହଜାର ଆକାଉଣ୍ଟରେ ବେଆଇନ ଭାବେ ଏହାକୁ ସେୟାର କରାଯାଉଥିଲା। ଏଣୁ ଭାରତର କ୍ରିଏଟର ଇକୋନୋମି ଏବଂ ମନୋରଞ୍ଜନ ଜଗତକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଏଭଳି ବଡ଼ ପଦକ୍ଷେପ ନେଇଛନ୍ତି। ନିକଟରେ NEET ପୁନଃପରୀକ୍ଷା ସମୟରେ ବି ଟେଲିଗ୍ରାମକୁ ବଡ଼ ଝଟକା ଦେଇ ସାମୟିକ ବ୍ୟାନ୍ କରିଥିଲେ କେନ୍ଦ୍ର ସରକାର।
କେବଳ ଟେଲିଗ୍ରାମ ନୁହେଁ, ମେଟା ମଧ୍ୟ କେନ୍ଦ୍ର ସରକାରଙ୍କ ନଜରରେ। ଦୁଇ ଦିନ ତଳେ ହ୍ୱାଟ୍ସଆପ୍ ୟୁଜରନେମ୍ ଫିଚରକୁ ନେଇ ମେଟାକୁ ନୋଟିସ୍ କରାଯାଇଥିଲା। ଏପରିକି ସରକାରୀ ସ୍ତରରେ ସମୀକ୍ଷା ଶେଷ ନହେବା ପର୍ଯ୍ୟନ୍ତ ଭାରତରେ ଏହି ଫିଚର୍ ଲଞ୍ଚ୍ ହୋଇପାରିବନି ବୋଲି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ୟୁଜରନେମ୍ ଦ୍ବାରା ସାଇବର ଠକେଇ ଓ ଅପରାଧ ବଢିବା ଆଶଙ୍କା କରିଛନ୍ତି କେନ୍ଦ୍ର ସରକାର। ଅନ୍ୟପଟେ ଇନଷ୍ଟାଗ୍ରାମରେ ଶିଶୁ ଅଶ୍ଳୀଳତା ସମ୍ପର୍କିତ ବିଜ୍ଞାପନ ପ୍ରସଙ୍ଗରେ ବି ମେଟାକୁ ସମନ୍ କରିଛି କେନ୍ଦ୍ର। ଅଭିଯୋଗ ହୋଇଛି, ଇନଷ୍ଟାଗ୍ରାମରେ ବିଜ୍ଞାପନ ଜରିଆରେ ୟୁଜରମାନଙ୍କୁ ଟେଲିଗ୍ରାମ ଚ୍ୟାନେଲକୁ ପଠାଯାଉଥିଲା, ଯେଉଁଠି ବିକ୍ରି ହେଉଥିଲା ଶିଶୁ ଅଶ୍ଳୀଳ ଭିଡିଓ।
ଡିଜିଟାଲ୍ ପ୍ଲାଟଫର୍ମରେ ବେଆଇନ କଣ୍ଟେଣ୍ଟ, ପାଇରେସି ଓ ସାଇବର ଅପରାଧ ପ୍ରସଙ୍ଗରେ କେନ୍ଦ୍ର ସରକାର ଜିରୋ ଟଲରେନ୍ସ ନୀତି ଆପଣାଇଛନ୍ତି। ଆଗକୁ ମେଟା ଓ ଟେଲିଗ୍ରାମ ଏହି ନୋଟିସ୍ ର କିଭଳି ଜବାବ ଦେଉଛନ୍ତି ଓ ସରକାର ପରବର୍ତ୍ତୀ କି ପଦକ୍ଷେପ ନେଉଛନ୍ତି, ତା'ଉପରେ ସମସ୍ତଙ୍କ ନଜର।