UP Road Accident: ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକକୁ ପଛରୁ ଧକ୍କା ଦେଲା ବସ, ଚାଲିଗଲା ୪ ଜୀବନ

Jun 30, 2026 - 13:37
UP Road Accident: ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକକୁ ପଛରୁ ଧକ୍କା ଦେଲା ବସ, ଚାଲିଗଲା ୪ ଜୀବନ

ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ମଙ୍ଗଳବାର ଭୋର ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯମୁନା ଏକ୍ସପ୍ରେସୱେରେ ଯାଉଥିବା ଏକ ଡବଲ ଡେକର ଭଲଭୋ ବସ୍ ସାମ୍ନାରେ ଯାଉଥିବା ଏକ ଟ୍ରକକୁ ପଛରୁ ଜୋରଦାର ଧକ୍କା ଦେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨୦ରୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଏହି ଦୁର୍ଘଟଣା ଭୋର ପ୍ରାୟ ୪ଟା ସମୟରେ ମଥୁରାର ରାୟା ଥାନା ଅଞ୍ଚଳର ଯମୁନା ଏକ୍ସପ୍ରେସୱେରେ ଘଟିଥିଲା। ବିହାର ପଞ୍ଜୀକୃତ ଗୋଲା ବସ୍ ସର୍ଭିସର ଏକ ଭଲଭୋ ବସ୍ (BR 28P 4723) ଦ୍ରୁତ ଗତିରେ ଯାଉଥିବା ବେଳେ ସାମ୍ନାରେ ଯାଉଥିବା ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା।

ପୋଲିସ କହିଛି, ଦୁର୍ଘଟଣା ସମୟରେ ବସ୍‌ରେ ପ୍ରାୟ ୬୫ ଜଣ ଯାତ୍ରୀ ଥିଲେ। ଘଟଣା ପରେ ବସ୍‌ ଭିତରେ ଆତଙ୍କ ଖେଳିଯାଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ, ଏସଡିଆରଏଫ୍ ଓ ଅଗ୍ନିଶମ ବାହିନୀର ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବସ୍‌ରେ ଫସି ରହିଥିବା ଯାତ୍ରୀଙ୍କୁ ବାହାର କରି ଆମ୍ବୁଲାନ୍ସ ଯୋଗେ ମଥୁରା ଜିଲ୍ଲା ହସ୍ପିଟାଲକୁ ପଠାଯାଇଥିଲା।

ଏହି ଦୁର୍ଘଟଣାରେ ୪ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ଚିହ୍ନଟ କରିବାକୁ ପୋଲିସ ପ୍ରୟାସ ଜାରି ରଖିଛି। ଏଥିସହ ପ୍ରାୟ ୩୫ ଜଣ ସୁରକ୍ଷିତ ଯାତ୍ରୀଙ୍କୁ ଅନ୍ୟ ଗାଡ଼ିର ବ୍ୟବସ୍ଥା କରି ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇ ଦିଆଯାଇଛି।

ଦୁର୍ଘଟଣା ପରେ କିଛି ସମୟ ପାଇଁ ଯମୁନା ଏକ୍ସପ୍ରେସୱେରେ ଯାତାୟାତ ପ୍ରଭାବିତ ହୋଇଥିଲା। ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣି ଯାତାୟାତ ସ୍ୱାଭାବିକ କରିଥିଲା।

ପ୍ରାଥମିକ ତଦନ୍ତରୁ ଦ୍ରୁତ ଗତି କିମ୍ବା ଚାଳକଙ୍କ ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଜାରି ରଖିଛି। ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବ।